ମୁମ୍ବାଇ: ବଲିଉଡର ହି ମ୍ୟାନ୍ ଧର୍ମେନ୍ଦ୍ର ଆଉ ଇହ ଜଗତରେ ନାହାନ୍ତି। ତାଙ୍କ ସିନେ ପରିବାର ଓ କୋଟି କୋଟି ଫ୍ୟାନଙ୍କୁ ଲୁହରେ ଭସାଇ ସବୁଦିନ ପାଇଁ ଚାଲି ଯାଇଛନ୍ତି ଆରପାରିକୁ । ଧର୍ମେନ୍ଦ୍ର କେବଳ ସିନେମାରେ ହିରୋ ନଥିଲେ, ବାସ୍ତବ ଜୀବନରେ ବି ସେ ଥିଲେ ଖୁବ୍ ସାହସୀ, ନିର୍ଭିକ...ଏକଦମ ଦବଙ୍ଗ ଷ୍ଟାଇଲ୍। ସେହି ଖୋଲା ହୃଦୟର ହସ....ସିଧାସଳଖ ନିର୍ଭେଜାଲ କଥା...ତାଙ୍କ କଥାରେ ବାରି ହେଉ ପଡ଼ୁଥିଲା ଗୋଟେ ସରଳ ନିଷ୍କପଟ ମଣିଷର ସ୍ପଷ୍ଟ ଚିତ୍ର। ଯିଏ କେବେ କାହା ପାଖରେ କରି ସାଲିସ କରି ନଥିଲା। 

ବଲିଉଡର ଚାକଚକ୍ୟ, ମାୟାନଗରି ମୁମ୍ବାଇର ଦମଖମ୍ ଭିତରେ ଧର୍ମେନ୍ଦ୍ରଙ୍କ ଭିତରେ ବଞ୍ଚିଥିଲା ଗୋଟେ ଗାଁଉଲି ଦମଦାର ହୃଷ୍ଟପୁଷ୍ଟ ଯୁବକ। ଯେତେବେଳେ ପୂରା ବଲିଉଡ୍ ଅଣ୍ଡରୱାର୍ଲଡ ଚାପରେ ଥିଲା, ସେତେବେଳେ ଧର୍ମେନ୍ଦ୍ର ହିଁ ଗୋଟିଏ ଷ୍ଟାର୍, ଯିଏ ଅଣ୍ଡରୱାର୍ଲ୍ଡକୁ ଚ୍ୟାଲେଞ୍ଜ ଦେଉଥିଲେ। ସିଧା ସିଧା ଧମକାଉ ଥିଲେ। ଏଥିପାଇଁ ଅଣ୍ଡରୱାଲର୍ଡ ବି କେବେ ଧର୍ମେନ୍ଦ୍ରଙ୍କ ସହ ଲାଗିବାକୁ ସାହସ କରି ନାହିଁ।

ଧରମ ପାଜୀଙ୍କର ସାହସିକତାର ଏଭଳି ଅନେକ ଉଦାହରଣ ରହିଛି। ଆଜି ତାଙ୍କ ଆବର୍ତ୍ତମାନରେ ଆମେ ଆପଣଙ୍କୁ ସେହି ଧର୍ମେନ୍ଦ୍ରଙ୍କ ସହ ପରିଚିତ କରାଇବୁ, ଯିଏ ଥରେ ଅଣ୍ଡରୱାର୍ଲ୍ଡ କୁ ବି ଧମକ ଦେଇଥିଲେ। ଚେତାବନୀ ଦେଇ କହିଥିଲେ, ସାବଧାନ ମୋ ସହ ଲାଗନି..। ନହେଲେ ପୂରା ପଞ୍ଜାବ ଟ୍ରକରେ ଲଦା ହୋଇ ଆସିଯିବେ ଲଢ଼ିବାକୁ।

୧୯୮୦ ଏବଂ ୧୯୯୦ ଦଶକରେ, ମୁମ୍ବାଇର ଚଳଚ୍ଚିତ୍ର ଶିଳ୍ପ ଅଣ୍ଡରୱାର୍ଲ୍ଡ ଭୟରେ ବଞ୍ଚୁଥିଲା। ଗ୍ୟାଙ୍ଗଷ୍ଟର ଏବଂ ଡନମାନଙ୍କର ଚାନ୍ଦା ଆଦାୟ, ଧମକ ଚମକ ଓ ହତ୍ୟା ଆଦି ଏସବୁ ସାଧାରଣ କଥା ଥିଲା। ଏମାନଙ୍କ ପ୍ରଭାବରୁ ବଞ୍ଚିବା ପାଇଁ ଅନେକ ଅଭିନେତା ଚାନ୍ଦା ଦେଉଥିଲେ ନହେଲେ ଅଣ୍ଡରୱାର୍ଲ୍ଡ ସହିତ ଜଡିତ ପ୍ରଯୋଜକଙ୍କ ଦ୍ୱାରା ନିର୍ମିତ ଚଳଚ୍ଚିତ୍ରରେ ବାଧ୍ୟ ହୋଇ କାମ କରୁଥିଲେ। ହେଲେ ଧର୍ମେନ୍ଦ୍ର ଏମିତି ଜଣେ ସୁପରଷ୍ଟାର ଥିଲେ ଯିଏ କେବେ ବି ଏମାନଙ୍କ ସମ୍ମୁଖରେ ମୁଣ୍ଡ ନୁଆଁଇ ନଥିଲେ।

ମାସକ ତଳେ ଏକ ସାକ୍ଷାତ୍କାର ଦେଇ ଧର୍ମେନ୍ଦ୍ରଙ୍କ ସାହସିକତାର ଏଭଳି ଗୋଟିଏ ପରେ ଗୋଟିଏ କାହାଣୀ କହିଥିଲେ ଅଭିନେତା ତଥା ନିର୍ଦ୍ଦେଶକ ସତ୍ୟଜିତ ପୁରୀ। ଫ୍ରାଇଡେ ଟକିଜକୁ ସାକ୍ଷାତ୍କାର ଦେଇ ଶ୍ରୀ ପୁରୀ କହିଥିଲେ ଯେ ୧୯୮୦ ଓ ୯୦ ଦଶକରେ ବଲିଉଡରେ ଅଣ୍ଡରୱାର୍ଲ୍ଡର ଖୁବ୍ ପ୍ରଭାବ ଥିଲା। ଗୋଟିଏ ଫୋନ୍ କଲରେ ଭଲ ଭଲ ଅଭିନେତାମାନେ ମଧ୍ୟ ଭୟରେ ଥରୁଥିଲେ। କିନ୍ତୁ ଧର୍ମେନ୍ଦ୍ର ଏବଂ ତାଙ୍କ ପରିବାର କେବେ ବି ଏମାନଙ୍କୁ ଡରି ନଥିଲା। ଅଣ୍ଡରୱାର୍ଲ୍ଡରୁ ଯଦି କେହି ଜଣେ ତାଙ୍କୁ ଧମକ ଦେଉଥିଲା ତେବେ ଧରମ ଜୀ କହୁଥିଲେ ଯଦି ମୋତେ ଧମକାଇବାକୁ ଚେଷ୍ଟା କରିବ ତେବେ ପୂରା ଶେନେୱାଲ(ଧର୍ମେନ୍ଦ୍ରଙ୍କ ଗାଁ) ପଞ୍ଜାବରୁ ଉଠି ଆସିବ ଲଢ଼ିବାକୁ। ତୁମେ ୧୦ ଜଣେ ହେଲେ ମୋ ପାଖରେ ପୂରା ଆର୍ମି ରହିଛି। ଥରେ କହିବି ମାନେ ଟ୍ରକରେ ଲଦା ହୋଇ ଲୋକ ପଞ୍ଜାବରୁ ତୁମ ସହ ଲଢ଼ିବାକୁ ଚାଲି ଆସିବେ। ତେଣୁ ମୋତେ ଧମକାଇବ ନାହିଁ। ସେହିଦିନ ଠାରୁ ସେମାନେ କେବେ ଧର୍ମେନ୍ଦ୍ରଙ୍କ ସହ ପଙ୍ଗା ନେଇ ନାହାନ୍ତି ବୋଲି ପୁରୀ ଫ୍ରାଇଡେ ଟକିଜକୁ କହିଥିଲେ।

ଏଭଳି ଦମଦାର ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ବଲିଉଡର ହି ମ୍ୟାନ୍। ଏଭଳି ମୁକାବିଲା ପାଇଁ ତାଙ୍କର ଖୁବ୍ ସାହସ ଥିଲା ବୋଲି ସାରା ବଲିଉଡ୍ ମଧ୍ୟ ଜାଣିଥିଲା। କେବଳ ଏହି ଗୋଟିଏ କଥା ନୁହେଁ, ଥରେ କେହି ଜଣେ ଧର୍ମେନ୍ଦ୍ରଙ୍କୁ ଛୁରା ମାଡ଼ କରିବାକୁ ଚେଷ୍ଟା କରିଥିଲା। ଆଉ ଧର୍ମେନ୍ଦ୍ର ତୁରନ୍ତ ତାକୁ ଧରିବା ସହ ଛୁରି ତା ହାତରୁ ଛଡ଼ା ଆଣିଥିଲେ ଏବଂ ତାକୁ କହୁଣୀ ମାରି ତଳକୁ ପକାଇ ଦେଇଥିଲେ।

ଏନେଇ ସତ୍ୟଜିତ ପୁରୀ କହିଛନ୍ତି, ପବ୍ଲିକରେ ଥିବା ବେଳେ ଜଣେ ଲୋକ ହଠାତ୍ ଧର୍ମେନ୍ଦ୍ରଙ୍କୁ ଛୁରା ମାଡ଼ କରିଥିଲା। ହେଲେ ଗୋଟିଏ ମିନିଟ୍ ଭିତରେ ଧର୍ମେନ୍ଦ୍ର ତା' ଠାରୁ ଛୁରି ଛଡ଼ାଇ ନେବା ସହିତ ତାକୁ ତଳେ ପକାଇ ଦେଇଥିଲେ। ଆଜିର ବଡ଼ ବଡ଼ ଅଭିନେତା ଆଖାପାଖରେ ୬-୬ଟି ବାଉଁସର ଓ ଗମନ୍ୟାନ୍ ଧରି ବୁଲୁଛନ୍ତି, ହେଲେ ସେତେବେଳେ ଧର୍ମେନ୍ଦ୍ର ଓ ବିନୋଦ ଖାନ୍ନାଙ୍କ ଭଳି ଷ୍ଟାର୍ ବିନା କୌଣସି ସିକ୍ୟୁରିଟିରେ ରାସ୍ତାରେ ଖୁଲମଖୁଲା ବୁଲୁଥିଲେ ବୋଲି ସତ୍ୟଜିତ ପୁରୀ କହିଛନ୍ତି।

ଧର୍ମେନ୍ଦ୍ରଙ୍କ ଏଭଳି ରାଉଡି ସ୍ୱଭାବ ପାଇଁ ଗ୍ୟାଙ୍ଗଷ୍ଟାରମାନେ ବି ତାଙ୍କ ସହ ପଙ୍ଗା ନେବାକୁ ଡରୁଥିଲେ। ତାଙ୍କ ଦବଙ୍ଗଗିରିର ଆଉ ଏକ ଉଦାହରଣ ଦେଇ ସତ୍ୟଜିତ କହିଛନ୍ତି, ୧୯୮୫ ମସିହାରେ ଫିଲ୍ମ ‘ଗୁଲାମୀ’ର ଶୁଟିଂ ଚାଲିଥାଏ। ସିନେମାର ଗୋଟିଏ ସିନରେ ହିରୋକୁ ଘୌଡ଼ା ଚଢ଼ି ରାଜପ୍ରାସାଦାର ଶିଢ଼ି ଉପରେ ଚଢ଼ିବାର ଦୃଶ୍ୟ ଶୁଟିଂ କରିବାର ଥିଲା। ଏଥିପାଇଁ ଷ୍ଟଣ୍ଟମ୍ୟାନ୍ ଠିକ୍ ହୋଇ ସାରିଥିଲେ। ହେଲେ ଧର୍ମେନ୍ଦ୍ର କହିଲେ ସେ ନିଜେ ଏହି ରିସ୍କ ଶଟ୍ ଦେବେ। ଶେଷରେ ସେୟା ହେଲା। ହେଲେ ଶୁଟିଂ ପୂର୍ବରୁ ଘୋଡ଼ାଟି କୋଠାର ଶିଡ଼ି ଉପରେ ପରିସ୍ରା କରି ଦେଇଥିବାରୁ ଶିଡ଼ି ଖସଡ଼ା ହୋଇଯାଇଥିଲା। ହେଲେ ଏକଥା ଉପରେ କାହାର ଧ୍ୟାନ ଥିଲା।

ଶଟ୍ ଦେବା ପୂର୍ବରୁ ଘୋଡ଼ା ଆଖପାଖ ଏରିଆ ଖାଲି କରିବାକୁ କହିଥିଲେ ଧର୍ମେନ୍ଦ୍ର। ଧର୍ମେନ୍ଦ୍ର ଘୋଡ଼ା ନେଇ ଯେତେବେଳେ ଶିଡ଼ି ଉପରେ ଚଢ଼ିଲେ, ଠିକ୍ ମଝାମଝିରେ ଖସଡ଼ା ଯୋଗୁ ଘୋଡ଼ାର ଗୋଡ଼ ସ୍ଲିପ ମାରିଥିଲା। ଘୋଡ଼ା ପଛୁଆ ଖସିପଡ଼ୁଥିବା ବେଳେ ଧର୍ମେନ୍ଦ୍ର ଗୋଟିଏ ସେକେଣ୍ଡ ଭିତରେ ମାର୍ବଲରେ ଗୋଡ଼ ଢିରା ମାରି ଜଙ୍ଘରେ ବଳ କସି ଉଭୟ ନିଜକୁ ଓ ଘୋଡ଼ାକୁ ଉପରକୁ ଉଠାଇଥିଲେ।

ଶଟ୍ ଦେଇ ସାରିବା ପରେ ଧର୍ମେନ୍ଦ୍ର ପୂରା ରାଗିପାଚି ନାଲ୍ ହୋଇଯାଇଥିଲେ, ଆଉ ଅବହେଳା ପାଇଁ ସିଧା ଆସି ଆସିଷ୍ଟାଣ୍ଟ କଲର ଧରି ନେଇଥିଲେ। ହେଲେ ସେ ତାଙ୍କ ହାତରୁ ଖସି ଦୌଡ଼ି ପଳାଇ ଯ।ଇଥିଲା। ଏହାପରେ ଧର୍ମେନ୍ଦ୍ର ଘୋଡ଼ା ପାଖକୁ ରାଗରେ ଯାଇଥିଲେ ମାରିବାକୁ। ହେଲେ ମୁଣ୍ଡ ଥଣ୍ଡା କରି ନିଜକୁ ଅଟକାଇଥିଲେ ଏବଂ କାଳେ ଘୋଡ଼ାକୁ ଆଘାତ ଲାଗିଥିବ ସେଥିପାଇଁ ଘୋଡ଼ାର ମାଲିକକୁ ସେତେବେଳେ ୨୦୦ ଟଙ୍କା ଦେଇଥିଲେ ତାର ଚିକିତ୍ସା କରିବାକୁ।

ଧର୍ମେନ୍ଦ୍ରଙ୍କ ସାହସିକତାର ଏଭଳି ଅନେକ କାହାଣୀ ରହିଛି। ହେଲେ ସେ ଆଜି ନାହାନ୍ତି। ଧରମ ପାଜୀ ଆଜି ସ୍ୱଦେହରେ ନଥିଲେ କ'ଣ ହେବ,ସେ ଯେଉଁ ଭଲପାଇବା କମାଇଛନ୍ତି, ଯେଉଁ ଲୋକପ୍ରିୟତା ହାସଲ କରିଛନ୍ତି ତାହା ସବୁଦିନ ପାଇଁ ଦର୍ଶକଙ୍କ ମନ ଭିତରେ ଘର କରି ରହିବ।