ନୂଆଦିଲ୍ଲୀ ୧୮।୧: ଭାରତରେ ଡିଜିଟାଲ ପେମେଣ୍ଟ ଗତ କିଛି ବର୍ଷରେ ବେଶ୍ ବୃଦ୍ଧି ହୋଇଛି। ଆଜି ପରିସ୍ଥିତି ଏପରି ଯେ ଚା ଦୋକାନରୁ ଆରମ୍ଭ କରି ଅଟୋ ଭଡ଼ା, ବିଦ୍ୟୁତ ବିଲ, ମୋବାଇଲ ରିଚାର୍ଜରୁ ଆରମ୍ଭ କରି ମହଙ୍ଗା ସପିଂ ସବୁ ୟୁପିଆଇରେ ଚାଲିଛି। ହେଲେ ୨୦୨୬ ବଜେଟ୍ ପୂର୍ବରୁ ୟୁପିଆଇକୁ ନେଇ ଏପରି ବାସ୍ତବତା ସାମ୍ନାକୁ ଆସୁଛି ଯାହା ଉପରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଏହି ପ୍ରସଙ୍ଗ ଉପରେ ଏବେ ଫ୍ରି ଡିଜିଟାଲ ପେମେଣ୍ଟ ମଡେଲର ଭବିଷ୍ୟତ ନିର୍ଭର କରୁଛି। ଏଣୁ ଆଗାମୀ ସମୟରେ ଏ ନେଇ ସରକାରଙ୍କ ନିଷ୍ପତ୍ତି ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଇପାରେ।

ଦେଶରେ ଡିଜିଟାଲ ପେମେଣ୍ଟର ଏକ ବଡ଼ ଭାଗ ୟୁପିଆଇ ଦ୍ୱାରା ସଞ୍ଚାଳିତ ହେଉଛି। ମୋଟ ଡିଜିଟାଲ ନେଣଦେଣର ପାଖାପାଖି ୮୫% ୟୁପିଆଇ ମାଧ୍ୟମରେ ହେଉଛି। ଏଥିରେ ତଥ୍ୟର କଥା କହିଲେ କେବଳ ଅକ୍ଟୋବର ୨୦୨୫ରେ ୨୦ ବିଲିୟନରୁ ଅଧିକ ଟ୍ରାଞ୍ଜାକ୍ସନ ହୋଇଥିବା ବେଳେ ପାଖାପାଖି ୨୭ ଲକ୍ଷ କୋଟି ଟଙ୍କା ନେଣଦେଣ ହୋଇଛି। ଏହି ତଥ୍ୟରୁ ୟୁପିଆଇ କିପରି ଲୋକଙ୍କ ଦୈନନ୍ଦିନ ଜୀବନ ସହ ଜଡ଼ିତ ହୋଇଯାଇଛି ତାହା ପ୍ରମାଣିତ ହେଉଛି। ହେଲେ ଏହି ତଥ୍ୟ ମଧ୍ୟରେ ଏକ ଚ୍ୟାଲେଞ୍ଜ ସାମ୍ନାକୁ ଆସୁଛି। ଡାଟା ମୁତାବକ ୪୫% ବ୍ୟବସାୟୀ କେବଳ ୟୁପିଆଇ ମାଧ୍ୟମରେ ପେମେଣ୍ଟ ନେଉଛନ୍ତି। ହେଲେ ଆଶ୍ଚର୍ଯ୍ୟର କଥା ଦେଶର ପାଖାପାଖି ଏକ ତୃତୀୟାଂଶ ପିନକୋଡ ଏପରି ଯେଉଁଠି ୧୦୦ରୁ ବି କମ୍ ଆକ୍ଟିଭ ୟୁପିଆଇ ମର୍ଚାଣ୍ଟ ଅଛନ୍ତି। ହେଲେ ଏହି ସବୁ ଅଞ୍ଚଳରେ ବ୍ୟାପାରର ସମ୍ଭାବନା ବହୁତ ଅଧିକ ରହିଛି।

‘ଦି ଇକୋନମିକ୍ ଟାଇମ୍ସ’ ରିପୋର୍ଟ ମୁତାବକ ୟୁପିଆଇର ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଉଛି ଏହା ସମ୍ପୂର୍ଣ୍ଣ ମାଗଣା ହେବା। ଏପର୍ଯ୍ୟନ୍ତ କୌଣସି ଦୋକାନୀଙ୍କ ଠାରୁ ମର୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍ (ଏମଡିଆର) ଅସୁଲ ହେଉ ନାହିଁ। ହେଲେ ସବୁ ୟୁପିଆଇ ନେଣଦେଣ ନିମନ୍ତେ ପାଖାପାଖି ୨ଟଙ୍କା ଖର୍ଚ୍ଚ ଆସୁଛି। ଏହି ବ୍ୟୟକୁ ଏ ପର୍ଯ୍ୟନ୍ତ ବ୍ୟାଙ୍କ ଓ ଫିନଟେକ୍ କମ୍ପାନୀ ବହନ କରିଆସୁଛନ୍ତି। ଭାରତ ସରକାର ୨୦୨୩-୨୪ରେ ଦେଶରେ ଡିଜିଟାଲ ପେମେଣ୍ଟକୁ ଉତ୍ସାହିତ କରିବା ପାଇଁ ୩,୯୦୦ କୋଟି ଟଙ୍କା ଦେଇଥିଲେ। ତେବେ ୨୦୨୫-୨୬ରେ ଏହି ସହଯୋଗ ହ୍ରାସ ହୋଇ ୪୨୭ କୋଟି ଟଙ୍କା ହୋଇଯାଇଛି।

ଅନ୍ୟପଟେ ଆଗାମୀ ବର୍ଷମାନଙ୍କରେ ୟୁପିଆଇ ସିଷ୍ଟମକୁ ଚଳାଇବା ପାଇଁ ମୋଟ ଖର୍ଚ୍ଚ ୮,୦୦୦ରୁ ୧୦ ହଜାର କୋଟି ଟଙ୍କାକୁ ପହଞ୍ଚି ପାରେ। ଏହି କାରଣରୁ ଏବେ ଫ୍ରି ୟୁପିଆଇର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଲାଣି। ଏହି ପ୍ରସଙ୍ଗରେ ଆରବିଆଇ ଗଭର୍ଣ୍ଣର ସ୍ପଷ୍ଟ ଭାବେ କହିଛନ୍ତି ଯେ ୟୁପିଆଇକୁ ସବୁବେଳେ ମାଗଣା ଚଳାଯାଇ ପାରିବନି। ଏହି ପ୍ରକ୍ରିୟା ପାଇଁ ହେଉଥିବା ଖର୍ଚ୍ଚ କାହାକୁ ନା କାହାକୁ ବହନ କରିବାକୁ ପଡିବ। ଏହି ବିଷୟ ଉପରେ ଏବେ କମ୍ପାନୀମାନଙ୍କ କହିବା କଥା ହେଉଛି ଆର୍ଥିକ ଅଭାବ କାରଣରୁ ନୂଆ ଫିଚର୍ସ ଆଣିବା କଷ୍ଟକର ହେଉଥିବା ବେଳେ ସିଷ୍ଟମକୁ ଅଧିକ ମଜଭୁତ କରିବା ମଧ୍ୟ ସମ୍ଭବ ହେଉ ନାହିଁ। ସେହିପରି ଦୁର୍ଗମ ଗ୍ରାମାଞ୍ଚଳକୁ ୟୁପିଆଇ ପହଞ୍ଚାଇବାରେ ମଧ୍ୟ କଷ୍ଟ ହେଉଛି।

ଏଣୁ ୨୦୨୬ ବଜେଟରେ ୟୁପିଆଇର ଭବିଷ୍ୟତ ନେଇ ସ୍ପଷ୍ଟ ସୂଚନା ମିଳିଯିବ ବୋଲି ଏବେ ଅନୁମାନ କରାଯାଉଛି। ୟୁପିଆଇ ଆଗକୁ ମଧ୍ୟ ମାଗଣା ରହିବ ନା କୌଣସି ନୂଆ ମାର୍ଗ ଆପଣାଯିବ ତାହା ସ୍ପଷ୍ଟ ହୋଇଯିବ। ଏଥିରେ ଏକ ବିକଳ୍ପ ହେଉଛି ସରକାର ଅଧିକ ସବସିଡି ଦେଇ ଫ୍ରି ମଡେଲକୁ ଜାରି ରଖି ପାରନ୍ତି, ଯାହା ଦ୍ୱାରା ସାଧାରଣ ଲୋକ ଓ ଛୋଟ ବ୍ୟବସାୟୀ ପ୍ରଭାବିତ ନ ହୁଅନ୍ତି। ସେହିପରି ଦ୍ୱିତୀୟ ରାସ୍ତାଟି ହେଉଛି ସରକାର ସୀମିତ ଏମଡିଆର ଲାଗୁ କରି ୟୁପିଆଇକୁ ଧିରେ ଧିରେ ଆତ୍ମନିର୍ଭର କରିବା ଦିଗରେ ପାଦ ବଢାଇ ପାରନ୍ତି।