ନୂଆଦିଲ୍ଲୀ: ଇରାନ ଯୁଦ୍ଧ ପରେ, ଭାରତରେ ଗ୍ୟାସ ସପ୍ଲାଏ ବର୍ତ୍ତମାନ ପ୍ରମୁଖ ଚିନ୍ତାର ବିଷୟ ପାଲଟିଛି। ଅନେକ ସହରରେ ଗ୍ୟାସ ସପ୍ଲାଏର ଅଭାବର ଖବର ସାମ୍ନାକୁ ଆସୁଛି। ଏଭଳି ସ୍ଥିତିକୁ ଦେଖି ଭାରତ ସରକାର ଘରୋଇ ରନ୍ଧନ ଗ୍ୟାସ (ଏଲପିଜି)ର ସପ୍ଲାଏ ସୁପରିଚାଳନା ସୁନିଶ୍ଚିତ କରିବା ପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଅଧିନିୟମ (ଏସେନସିଆଲ୍ କମୋଡିଟିସଅ ଆକ୍ଟ)କୁ ଲାଗୁ କରିଛନ୍ତି। ଏହି ଆଇନ ଅଧୀନରେ, ରିଫାଇନାରୀ ଏବଂ ପେଟ୍ରୋକେମିକାଲ୍ କମ୍ପାନୀଗୁଡ଼ିକୁ ଏଲପିଜି ଉତ୍ପାଦନ ବୃଦ୍ଧି କରିବାକୁ ଏବଂ ଏଲପିଜି ଉତ୍ପାଦନ ପାଇଁ କିଛି ହାଇଡ୍ରୋକାର୍ବନ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗ୍ୟାସ୍ ଅଭାବ ଯୋଗୁ, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ ସମେତ ଅନେକ ରାଜ୍ୟ ଅସ୍ଥାୟୀ ଭାବରେ ବାଣିଜ୍ୟିକ ଗ୍ୟାସ୍ ଯୋଗାଣ ବନ୍ଦ କରାଯାଇଛି। ଏହି ନିଷେଧ ଯୋଗୁ ରେଷ୍ଟୁରାଣ୍ଟ ଏବଂ ହୋଟେଲଗୁଡ଼ିକୁ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି। ଛୋଟ ହୋଟେଲ ଏବଂ ଖାଦ୍ୟପେୟ ଦୋକାନର ମାଲିକମାନେ ଯୋଗାଣ ପୁନଃସ୍ଥାପିତ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି।

କେନ୍ଦ୍ର ସରକାର ଇସିଏ ଲାଗୁ କରିବା ପରେ ଦେଶରେ ଜରୁରୀକାଳୀନ ଭିତ୍ତିରେ ଇନ୍ଧନ ଯୋଗାଣ ନେଇ ଏକାଧିକ ପରିବର୍ତ୍ତନ ହୋଇପାରେ। ଦେଶରେ ରନ୍ଧନ ଗ୍ୟାସ୍‌ର ସୁପରିଚାଳନା ପାଇଁ ନିର୍ଦ୍ଦିଷ୍ଟ ପଦକ୍ଷେପ ନିଯାଇପାରେ। ତେଣୁ ବର୍ତ୍ତମାନ ସ୍ଥିତିରେ କେନ୍ଦ୍ର ସରକାର ଲାଗୁ କରିଥିବା ଇସିଏ ନିୟମ କ’ଣ ସାଧାରଣ ଲୋକ ନିହାତି ଜାଣିବା ଦରକାର। ତେବେ ଆସନ୍ତୁ ଏ ବିଷୟରେ ଜାଣିବା।

ଇସିଏ କ’ଣ?ଏହା କାର୍ଯ୍ୟକାରୀ ହେବା ପରେ କ'ଣ ପରିବର୍ତ୍ତନ ଆସିବ?

ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫ ହେଉଛି ଭାରତ ସରକାରଙ୍କ ଏକ ଆଇନ ଯାହା ଅତ୍ୟାବଶ୍ୟକ ସାମଗ୍ରୀର ଉତ୍ପାଦନ, ଯୋଗାଣ ଏବଂ ବଣ୍ଟନକୁ ନିୟନ୍ତ୍ରଣ କରେ। ଏହାର ଉଦ୍ଦେଶ୍ୟ ହେଉଛି ବେଆଇନ ଜମାଖୋରୀ ଏବଂ କଳାବଜାରୀକୁ ରୋକି ସୁଲଭ ମୂଲ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ସହଜ ଉପଲବ୍ଧତା କରାଇବା। ଏହି ଆଇନ ଅନୁଯାୟୀ, ସରକାର ଷ୍ଟକ୍ ସୀମା ସ୍ଥିର କରିପାରିବେ।

ପଢ଼ନ୍ତୁ- ଯୁଦ୍ଧ ବନ୍ଦ ହେବା ନେଇ ଟ୍ରମ୍ପଙ୍କ ମନ୍ତବ୍ୟ ପରେ ମାର୍କେଟ୍ରେ ସବୁଜ ସଂକେତ: କମିଲା ଅଶୋଧିତ ତେଲ ମୂଲ୍ୟ, ଉଛୁଳିଲା ଶେୟାର ମାର୍କେଟ୍

ଏହି ଆଇନରେ କୁହାଯାଇଛି, 'ସରକାର ଅର୍ଥନୈତିକ ସୁରକ୍ଷା ଆଇନ, ୧୯୫୫ ଅଧୀନରେ ଆସୁଥିବା ଅତ୍ୟାବଶ୍ୟକୀୟ ସାମଗ୍ରୀର ଉତ୍ପାଦନ, ଯୋଗାଣ, ବେପାର ଓ ବାଣିଜ୍ୟକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଜାରି କରିପାରିବେ। ସରକାରଙ୍କ ପାଖରେ ଏହି କ୍ଷମତା ରହିଛି।' କେନ୍ଦ୍ର ସରକାର ୧୨ ଫେବୃଆରୀ ୨୦୦୭ରେ ଏହି ଆଇନକୁ ଅପଡେଟ୍ କରିଥିଲେ, ଯେଉଁଥିରେ ଔଷଧ, ସାର (ଜୈବ, ଅଜୈବ), ଖାଦ୍ୟ ସାମଗ୍ରୀ (ଖାଦ୍ୟ ତୈଳ ବିହନ ଏବଂ ତେଲ ସମେତ), ସମ୍ପୂର୍ଣ୍ଣ କପାରୁ ତିଆରି ହ୍ୟାଙ୍କ ୟାର୍ନ, ପେଟ୍ରୋଲିୟମ୍ ଏବଂ ପେଟ୍ରୋଲିୟମ୍ ଉତ୍ପାଦ, କଞ୍ଚା ଝୋଟ ଏବଂ ଝୋଟ ବସ୍ତ୍ର ଏବଂ ବିଭିନ୍ନ ବିହନ ଏବଂ ପନିପରିବା ଏଥିରେ ସାମିଲ କରାଯାଇଥିଲା।

ସରଳ ଭାଷାରେ କହିବାକୁ ଗଲେ, ନିର୍ଦ୍ଦିଷ୍ଟ ପରିସ୍ଥିତିରେ, ସରକାର ଏହି ଆଇନ ମାଧ୍ୟମରେ ସାଧାରଣ ଲୋକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଯୋଗାଣ ବଜାୟ ରଖିବା ପାଇଁ କିଛି ନିୟମ ପରିବର୍ତ୍ତନ କରନ୍ତି ଏବଂ ଯୋଗାଣ ଶୃଙ୍ଖଳା ପ୍ରଭାବିତ ନ ହୁଏ ତାହା ନିଶ୍ଚିତ କରିବାକୁ ଚେଷ୍ଟା କରନ୍ତି।

ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ, ୧୯୫୫ର ଧାରା ୩ ସରକାରଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଉତ୍ପାଦନ, ଯୋଗାଣ ଏବଂ ବଣ୍ଟନକୁ ନିୟନ୍ତ୍ରଣ କରିବା ପାଇଁ କ୍ଷମତା ପ୍ରଦାନ କରେ। ଧାରା ୭ରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନର ବ୍ୟବସ୍ଥା ଉଲ୍ଲଂଘନ କରିବା ପାଇଁ ଦଣ୍ଡର ମଧ୍ୟ ବ୍ୟବସ୍ଥା ରହିଛି। ଏହାର ଅର୍ଥ ହେଉଛି ସରକାର ସମୟ ସମୟରେ ଏହି ଆଇନକୁ ବ୍ୟବହାର କରି କିଛି ପରିସ୍ଥିତିରେ ଅତ୍ୟାବଶ୍ୟକ ସାମଗ୍ରୀର ସଂରକ୍ଷଣକୁ ସୀମିତ କରନ୍ତି। କେତେକ ସମୟରେ, ସରକାର ଗହମ ସଂରକ୍ଷଣ ଉପରେ କଟକଣା ଲଗାନ୍ତି, ନିର୍ଦ୍ଦିଷ୍ଟ ବ୍ୟବସାୟୀ କିମ୍ବା ଖୁଚୁରା ବିକ୍ରେତାଙ୍କ ଉପରେ ଆଧାର କରି ସୀମା ସ୍ଥିର କରନ୍ତି।

କମୋଡିଟି ଆକ୍ଟ ଲାଗୁ ହେବା ପରେ ୪ଟି କ୍ୟାଟେଗୋରୀରେ ଗ୍ୟାସ୍ ବଣ୍ଟନ ହେବ

ପ୍ରଥମ କ୍ୟାଟେଗୋରୀ (ଫୁଲ୍ ସପ୍ଲାଏ): ଏଥିରେ ଆପଣଙ୍କ ଘରର ରନ୍ଧନ ଗ୍ୟାସ (PNG) ଏବଂ ଯାନରେ ବ୍ୟବହୃତ CNG ରହିଛି। ଏମାନଙ୍କୁ ପୂର୍ବ ପରି ସପୂର୍ଣ୍ଣ ଗ୍ୟାସ ଯୋଗାଣ ଜାରି ରହିବ।
ଦ୍ୱିତୀୟ କ୍ୟାଟେଗୋରୀ (ସାର କାରଖାନା): ସାର କାରଖାନାଗୁଡ଼ିକ ସେମାନଙ୍କର ଗ୍ୟାସ ଯୋଗାଣର ପ୍ରାୟ ୭୦% ପାଇବେ। ତେବେ ସେମାନଙ୍କୁ ପ୍ରମାଣ କରିବାକୁ ପଡିବ ଯେ ଏହି ଗ୍ୟାସ ସାର ଉତ୍ପାଦନ ପାଇଁ ହିଁ ବ୍ୟବହୃତ ହେବ।
ତୃତୀୟ କ୍ୟାଟେଗୋରୀ (ବଡ଼ ଶିଳ୍ପ): ନ୍ୟାସ୍‌ନାଲ ଗ୍ରୀଡ୍ ସହ ଜଡ଼ିତ ଚା’ କାରଖାନା ଏବଂ ଅନ୍ୟାନ୍ୟ ବଡ଼ ଶିଳ୍ପଗୁଡ଼ିକ ସେମାନଙ୍କର ଗ୍ୟାସ ଆବଶ୍ୟକତାର ପ୍ରାୟ ୮୦% ପାଇବେ।
​​​​​​​ଚତୁର୍ଥ କ୍ୟାଟେଗୋରୀ (କ୍ଷୁଦ୍ର ବ୍ୟବସାୟ ଏବଂ ହୋଟେଲ): ସହର ଗ୍ୟାସ ନେଟୱାର୍କ ସହିତ ସଂଯୁକ୍ତ ଛୋଟ କାରଖାନା, ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକ ମଧ୍ୟ ସେମାନଙ୍କର ଗ୍ୟାସ ବ୍ୟବହାରର ପ୍ରାୟ ୮୦% ପାଇବେ।

ପଢ଼ନ୍ତୁ- ଏଲପିଜି ସିଲିଣ୍ଡର ଅଭାବ; ମୁମ୍ବାଇରେ ୨୦% ହୋଟେଲ ବନ୍ଦ, ବେଙ୍ଗାଲୁରୁରେ ବି ସ୍ଥିତି ସାଂଘାତିକ

ଆଉ କ’ଣ ଆଦେଶ ଦେଲେ ସରକାର?

ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ରିଫାଇନାରୀ ଏବଂ ପେଟ୍ରୋକେମିକାଲ୍ ପ୍ଲାଣ୍ଟଗୁଡ଼ିକ ଆଉ ପେଟ୍ରୋକେମିକାଲ୍ ଉତ୍ପାଦ କିମ୍ବା ଅନ୍ୟାନ୍ୟ ଶିଳ୍ପ ଉଦ୍ଦେଶ୍ୟରେ ଗ୍ୟାସ୍ ବ୍ୟବହାର କରିପାରିବେ ନାହିଁ। ଏହାର ଅର୍ଥ ହେଉଛି ଏହି ଗ୍ୟାସଗୁଡ଼ିକୁ ସିଧାସଳଖ ଏଲପିଜି ଉତ୍ପାଦନ ପାଇଁ ବ୍ୟବହାର କରାଯିବ, ଯାହା ଘରେ ରୋଷେଇ ଗ୍ୟାସର ନିରାପଦ ଯୋଗାଣ ସୁନିଶ୍ଚିତ କରିବ। ଏହା ବ୍ୟତୀତ, ସରକାର କହିଛନ୍ତି ଯେ ଏଲପିଜି ଭାରତରେ ଏକ ଅତ୍ୟାବଶ୍ୟକ ରୋଷେଇ ଇନ୍ଧନ, ଏବଂ ଏହାର ସ୍ଥିର ଉପଲବ୍ଧତା ସୁନିଶ୍ଚିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିସହିତ ତୈଳ ବିପଣନ କମ୍ପାନୀଗୁଡ଼ିକୁ ମଧ୍ୟ ଏହି ବ୍ୟବସ୍ଥା ଅନୁଯାୟୀ କେବଳ ଘରୋଇ ଗ୍ରାହକମାନଙ୍କୁ ଏଲପିଜି ଯୋଗାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ସରକାରଙ୍କର ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ରହିବ ବୋଲି ସରକାର କହିଛନ୍ତି।

 ୩ ଦିନ ପୂର୍ବେ ଘରୋଇ ଗ୍ୟାସ ଦର ୬୦ ଟଙ୍କା ବଢାଇଥିଲେ କେନ୍ଦ୍ର ସରକାର

ତିନି ଦିନ ପୂର୍ବରୁ, ସରକାର ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୬୦ ଟଙ୍କା ବୃଦ୍ଧି କରିଥିଲେ। ଦିଲ୍ଲୀରେ ବର୍ତ୍ତମାନ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୧୩ ଟଙ୍କା ହୋଇଛି। ଯାହା ପୂର୍ବରୁ ୮୫୩ ଟଙ୍କା ଥିଲା। ସେହିପରି ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୧୫ ଟଙ୍କାକୁ ବୃଦ୍ଧି କରାଯାଇଛି। ଯାହାର ମୂଲ୍ୟ ଏବେ ୧୮୮୩ ଟଙ୍କା ହୋଇଛି। ବର୍ଦ୍ଧିତ ମୂଲ୍ୟ ୭ ମାର୍ଚ୍ଚରୁ ଲାଗୁ ହୋଇଛି। ଏହା ପୂର୍ବରୁ, ସରକାର ୮ ଏପ୍ରିଲ୍ ୨୦୨୫ରେ ଘରୋଇ ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରିଥିଲେ। ପ୍ରାୟ ବର୍ଷକ ପରେ ଯୁଦ୍ଧ ଯୋଗୁ ଏହି ଦର ବୃଦ୍ଧି ହୋଇଛି। ସେହିପରି ୧ ମାର୍ଚ୍ଚ, ୨୦୨୬ରେ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୩୧ ବୃଦ୍ଧି କରାଯାଇଥିଲା।

​​​​​​​