ନୂଆଦିଲ୍ଲୀ: ଭାରତୀୟ ରାଜନୀତିରେ ବିଧାୟକଙ୍କ ସମ୍ପତ୍ତି ସର୍ବଦା ଆଲୋଚନାର ବିଷୟ ହୋଇଆସିଛି। ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ADR) ଦ୍ୱାରା ଏକ ରିପୋର୍ଟରେ ୨୮ଟି ଦେଶର ୪,୦୯୨ ଜଣ ବିଧାୟକଙ୍କ ସମ୍ପତ୍ତି ଆକଳନ କରାଯାଇଛି। ରିପୋର୍ଟ ଅନୁଯାୟୀ, ଦେଶର ସବୁଠାରୁ ଧନୀ ଏବଂ ଗରିବ ବିଧାୟକଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ବ୍ୟବଧାନ ରହିଛି।

ଦେଶର ସବୁଠାରୁ ଧନୀ ବିଧାୟକ କିଏ ?ତାଲିକାର ଶୀର୍ଷରେ ଅଛନ୍ତି ମହାରାଷ୍ଟ୍ର ବିଧାନସଭାର ଘାଟକୋପର ପୂର୍ବର ବିଜେପି ବିଧାୟକ ପରାଗ ଶାହ । ତାଙ୍କର ସମ୍ପତ୍ତି ପ୍ରାୟ ୩,୩୮୩ କୋଟି ଟଙ୍କା ବୋଲି ଆକଳନ କରାଯାଇଛି। ବିଜେପି ନେତା ପରାଗ ଶାହ ମୁମ୍ବାଇର ଘାଟକୋପର ପୂର୍ବ ନିର୍ବାଚନମଣ୍ଡଳୀରୁ ଦୁଇଥର ବିଧାୟକ ହୋଇଛନ୍ତି । ପରାଗ ଜଣେ ଗୁଜରାଟୀ ଜୈନ ପରିବାରରୁ ଆସିଛନ୍ତି ଏବଂ ସେ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଶିକ୍ଷା ସମାପ୍ତ କରିବା ପରେ, ସେ ୧୯୯୧ ମସିହାରେ ତାଙ୍କ ପରିବାରର ରିୟଲ ଇଷ୍ଟେଟ୍ ବ୍ୟବସାୟରେ ଯୋଗ ଦେଇଥିଲେ । ୨୦୦୨ରେ ସେ ଇନଫ୍ରାକନଷ୍ଟ୍ରକସନ୍ ଲିମିଟେଡ୍ ପ୍ରତିଷ୍ଠା କରିଥିଲେ ।

କଂଗ୍ରେସର ଡି.କେ. ଶିବକୁମାର (କର୍ଣ୍ଣାଟକ) ୧୪୧୩ କୋଟି ଟଙ୍କାର ସମ୍ପତ୍ତି ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି। କର୍ଣ୍ଣାଟକର କେ.ଏଚ. ପୁତାସ୍ୱାମୀ ଗୌଡା (ସ୍ୱାଧୀନ) ୧,୨୬୭ କୋଟି ଟଙ୍କାର ସମ୍ପତ୍ତି ସହିତ ତୃତୀୟ ସ୍ଥାନରେ ଅଛନ୍ତି । ପ୍ରିୟ କୃଷ୍ଣା (କଂଗ୍ରେସ, କର୍ଣ୍ଣାଟକ) ୧,୧୫୬ କୋଟି ସମ୍ପତ୍ତି ସହିତ ଚତୁର୍ଥ ସ୍ଥାନରେ ଅଛନ୍ତି । ପଞ୍ଚମ ସ୍ଥାନରେ ଅଛନ୍ତି ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ । ତାଙ୍କ ପାଖରେ ୯୩୧ କୋଟି ଟଙ୍କାର ସମ୍ପତ୍ତି ରହିଛି ।

ଦେଶର ସବୁଠାରୁ ଗରିବ ବିଧାୟକ କିଏ?ରିପୋର୍ଟ ଅନୁଯାୟୀ, ଦେଶର ସବୁଠାରୁ ଗରିବ ବିଧାୟକ ହେଉଛନ୍ତି ନିର୍ମଳ କୁମାର ଧାରା (ବିଜେପି, ପଶ୍ଚିମବଙ୍ଗ)। ତାଙ୍କର ସମ୍ପତ୍ତିର ମୂଲ୍ୟ ମାତ୍ର ୧୭୦୦ ଟଙ୍କା । ।

କେଉଁ ରାଜ୍ୟରେ ସବୁଠାରୁ ଧନୀ ବିଧାୟକ ଅଛନ୍ତି ?ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକ ଏବଂ ଆନ୍ଧ୍ର ପ୍ରଦେଶରେ ଧନୀ ବିଧାୟକଙ୍କ ସଂଖ୍ୟା ଅଧିକ । କର୍ଣ୍ଣାଟକରେ ୩୧ ଜଣ ବିଧାୟକଙ୍କ ମୋଟ ସମ୍ପତ୍ତି ୧୪,୧୭୯ କୋଟି ଟଙ୍କା । ଆନ୍ଧ୍ର ପ୍ରଦେଶରେ ସବୁଠାରୁ ଧନୀ ୨୭ ଜଣ ବିଧାୟକ ଅଛନ୍ତି ଏବଂ ସେମାନଙ୍କର ମୋଟ ସମ୍ପତ୍ତି ୧୪ ହଜାର କୋଟିରୁ ଅଧିକ । ମହାରାଷ୍ଟ୍ରରେ ୨୮୬ ବିଧାୟକଙ୍କ ମୋଟ ସମ୍ପତ୍ତି ୧୨,୪୨୪ କୋଟି ଟଙ୍କା ବୋଲି ଏଡିଆର ରିପୋର୍ଟରୁ ଜଣାପଡ଼ିଛି ।

କେଉଁ ଦଳର ବିଧାୟକ ସବୁଠାରୁ ଧନୀ?ବିଜେପିର ୧୬୫୩ ଜଣ ବିଧାୟକଙ୍କ ସଂପତ୍ତିକୁ ଯଦି ହିସାବକୁ ନିଆଯାଏ, ତେବେ ପ୍ରତି ବିଧାୟକଙ୍କ ଭାଗରେ ହାରାହାରି ୧୫.୮୯ କୋଟି ଟଙ୍କା ପଡ଼ିବ । ସେହିଭଳି କଂଗ୍ରେସର ୬୪୬ ଜଣ ଧନୀ ବିଧାୟକଙ୍କ ସଂପତ୍ତିକୁ ହିସାବକୁ ନେଲେ ହାରାହାରି ୨୬.୮୬ କୋଟି ଟଙ୍କା ପ୍ରତି ବିଧାୟକ ହେବ ବୋଲି ଜଣାପଡ଼ିଛି । ଏହାର ଅର୍ଥ ହେଉଛି ଯେ, ବିଜେପିର ବିଧାୟକଙ୍କ ସଂଖ୍ୟା ଅଧିକ ଥିଲେ ମଧ୍ୟ, କଂଗ୍ରେସ ବିଧାୟକଙ୍କ ହାରାହାରି ସମ୍ପତ୍ତି ଅଧିକ।