News7 Logo

ଭୟ ନାଁ ବଦଳିଲା ସ୍ୱର, ଟ୍ରମ୍ପ କହିଲେ- ଭାରତ ଓ ରୁଷକୁ ଚୀନ ହାତରେ ହରାଇ ବସିଲୁ...

NEWS7
MODI

ନୂଆଦିଲ୍ଲୀ: ଆମେରିକା ଦ୍ୱାରା ୫୦ ପ୍ରତିଶତ ଟାରିଫ୍ ଲାଗୁ କରାଯିବା ପରେ ୱାଶିଂଟନ ସହ ନୂଆଦିଲ୍ଲୀ ସମ୍ପର୍କରେ ବିରାଟ ଫାଟ ସୃଷ୍ଟି ହୋଇଛି । ଅନ୍ୟପଟେ ଭାରତ, ଚୀନ ଓ ରୁଷ ମଧ୍ୟରେ ବନ୍ଧୁତା ବଢିବାରେ ଲାଗିଛି । ଏହି ଘଟଣାକ୍ରମ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଖିକୁ ବାଧୁଛି । କିନ୍ତୁ ଚୀନରେ ନିକଟରେ ଶେଷ ହୋଇଥିବା ଏସସିଓ ସମ୍ମିଳନୀ ପରେ ଏବେ ଟ୍ରମ୍ପଙ୍କ ଆଭିମୁଖ୍ୟ ନରମ ପଡ଼ିଥିବା ନଜର ଆସୁଛି । ଟ୍ରମ୍ପ ଶୁକ୍ରବାର କହିଛନ୍ତି, ଆମେରିକା, ଭାରତ ଓ ରୁଷକୁ ଚୀନ ହତାଇରେ ହରାଇ ବସିଛି ।  

ଟ୍ରମ୍ପ ନିଜ ସୋସିଆଲ୍ ମିଡିଆ ପୋଷ୍ଟରେ ରାଷ୍ଟ୍ରପତି ପୁଟିନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଜିନପିଙ୍ଗ ଏକ ପୁରୁଣା ଫଟୋ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, 'ଏପରି ଲାଗୁଛି ଯେ ଆମ ଭାରତ ଓ ରୁଷକୁ ସବୁଠୁ ଗଭୀର, ସବୁଠୁ ଅନ୍ଧକାରମୟ ଚୀନ ହାତରେ ହରାଇ ବସିଛୁ । ଭଗବାନ କରନ୍ତୁ ସେମାନଙ୍କ ଭବିଷ୍ୟତ ଲମ୍ୱା ଓ ସମୃଦ୍ଧମୟ ହେଉ ।'

Trump Truth​​​​​​​

 

​​ଟ୍ରମ୍ପଙ୍କ ଏହି ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ଚୀନର ତିଆନଜିନରେ ଏସସିଓ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଘନିଷ୍ଠତା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା । ଟ୍ରମ୍ପ ପ୍ରଶାସନ ଭାରତୀୟ ସାମଗ୍ରୀ ଉପରେ ଶୁଳ୍କକୁ ଦ୍ୱିଗୁଣିତ କରି ୫୦ ପ୍ରତିଶତ କରିବା ଏବଂ ରୁଷରୁ ଅଶୋଧିତ ତୈଳ କିଣିବା ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ଭାରତ-ଆମେରିକା ସମ୍ପର୍କରେ ତିକ୍ତତା ଆହୁରି ଗଭୀର ହୋଇଥିଲା ।

ଅନ୍ୟପଟେ ସାପ୍ତାହିକ ସାମ୍ୱାଦିକ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତିଙ୍କ ଏହି ପୋଷ୍ଟ ଉପରେ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲଙ୍କୁ ପ୍ରଶ୍ନ କରାଯାଇଥିଲା । ଯାହାର ଜବାବରେ ରଣଧୀର କହିଥିଲେ, ବର୍ତ୍ତମାନ ସମୟରେ ଏହି ପୋଷ୍ଟ ଉପରେ ମୋର କୌଣସି ଟିପ୍ପଣୀ ନାହିଁ ।