LIVE TV

ଲଗାଣ ବର୍ଷା ଯୋଗୁଁ ବଢୁଛି ମହାନଦୀର ଜଳସ୍ତର, ଉପର ମୁଣ୍ଡରେ ବର୍ଷା ଲାଗିରହିଲେ ଆସିପାରେ ବନ୍ୟା

NEWS7
Mahanadi

କଟକ ୨୭୯: ଲଗାଣ ବର୍ଷା ଯୋଗୁଁ ବଢୁଛି ମହାନଦୀର ଜଳସ୍ତର । ଶୁକ୍ରବାର ରାତିରୁ ମହାନଦୀରେ ଜଳ ପ୍ରବାହ ବଢ଼ିବାରେ ଲାଗିଥିଲା । ଶନିବାର ସକାଳ ୮ଟା ସୁଦ୍ଧା ମୁଣ୍ଡଳୀ ଦେଇ ପ୍ରତି ସେକେଣ୍ଡରେ ୫ ଲକ୍ଷ ୯୨ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ୯ଟା ବେଳକୁ ଏହା ୫ ଲକ୍ଷ ୯୬ ହଜାରରେ ପହଞ୍ଚିଥିଲା । କିନ୍ତୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଜଳ ପ୍ରବାହ ଅପରିବର୍ତ୍ତିତ ରହିଲା । ନଦୀ କୁଳିଆ ଲୋକଙ୍କର ମତରେ ଯଦି ଉପର ମୁଣ୍ଡରେ ବର୍ଷା ଲାଗି ରହେ ତେବେ ହୁଏତ ମହାନଦୀରେ ବନ୍ୟା ଆସିପାରେ, ନଚେତ ବିଶେଷ କିଛି ଅସୁବିଧା ହେବନାହିଁ ।

ସ୍ଥାନୀୟ ଲୋକଙ୍କ ମତରେ ଗତ କେଇଦିନ ହେବ ମହାନଦୀରେ ପାଣି ଆସିଛି । କିନ୍ତୁ ଶୁକ୍ରବାର ଠାରୁ ନଦୀରେ ଜଳ ପ୍ରବାହ ବଢ଼ିବାରେ ଲାଗିଛି । ଯାହାଦ୍ୱାରା ବଡ଼ମ୍ବାର ଶସାଙ୍ଗ, ଗମେଇ, ଓଗାଳପୁର ଭଳି ଗାଁ ଏବଂ ପ୍ରସିଦ୍ଧ ଶକ୍ତିପୀଠ ଭଟ୍ଟାରିକା ଆଦି ପ୍ରଭାବିତ ହୋଇଛି । ଯଦି ୮ ଲକ୍ଷରୁ ଅଧିକ କ୍ୟୁସେକ୍ ପାଣି ମହାନଦୀରେ ପ୍ରବାହିତ ହେବ ତେବେ କଟକ ଜିଲ୍ଲାର ପୁରୁଣା ତିଗିରିଆ ଏବଂ ବାଙ୍କୀ ଉପଖଣ୍ଡର ଅନେକ ଅଞ୍ଚଳ ପ୍ରଭାବିତ ହୋଇପାରେ । ହେଲେ ବର୍ତ୍ତମାନର ସ୍ଥିତି ଆଦୌ ଉଦବେଗଜନକ ନୁହେଁ ବୋଲି ସ୍ଥାନୀୟ ବାସିନ୍ଦାଙ୍କ ମତ । କିନ୍ତୁ ଯଦି ପାଗରେ ପରିବର୍ତ୍ତନ ନଆସେ ତେବେ ଆଗକୁ ହୁଏତ କିଛିବି ହେଇପାରେ ।

ମୁଣ୍ଡଳୀର ତଳମୁଣ୍ଡକୁ ମହାନଦୀ ଅନେକ ଶାଖା ନଦୀରେ ବିଭକ୍ତ ହୋଇଛି, ଯେହେତୁ ମହାନଦୀରେ ଏବେ ଜଳ ପ୍ରବାହ ବଢିଛି, ତେଣୁ କାଠଯୋଡ଼ି, କୁଆଖାଇ, କୁଶଭଦ୍ରା, ଦେବୀ, କନ୍ଦଳ, ବିଲୁଆଖାଇ, ବିରୂପା, ଲୁଣା, ଚିତ୍ରୋତ୍ପଳା ଆଦି ନଦୀରେ ମଧ୍ୟ ଜଳସ୍ତର ବଢିବାଟା ସ୍ୱାଭାବିକ।​​​​​​​