• ମଧ୍ୟପ୍ରାଚ୍ୟରେ ଘମାଘୋଟ ଯୁଦ୍ଧ
  • ଭାରତରେ ପଡ଼ିଲାଣି ପ୍ରଭାବ
  • ରୋଷେଇ ଘରେ ଦେଖାଦେଲାଣି ସଙ୍କଟ
  • ଆରମ୍ଭ ହେଲାଣି କଳାବଜାରୀ
  • ଘରେ ରୋଷେଇ ହେବ କେମିତି ?
  • ଆଗକୁ ହୋଟେଲ ଚାଲିବା କଷ୍ଟ
  • ଜୀବିକା ଉପରେ ପଡିପାରେ ପ୍ରଭାବ
  • ଆରମ୍ଭ ହେଲାଣି ରାଜନୀତି

ଭୁବନେଶ୍ବର ୧୧।୩: ମଧ୍ୟପ୍ରାଚ୍ୟ ଯୁଦ୍ଧର ଅସର ସିଧା ରୋଷେଇ ଘରେ । ଘର ହେଉ କି ହୋଟେଲ । ଏବେ ରୋଷେଇ ହେବ କେମିତି ଲାଗିଲାଣି ଚିନ୍ତା । ଖାଲି ଘରୋଇ ନୁହେଁ ବ୍ୟବସାୟୀ ମଧ୍ୟ ଧର୍ମସଙ୍କଟରେ ପଡ଼ିଛନ୍ତି । ଗୋଟିଏ ପଟେ ଘରେ ଯଦି ରୋଷେଇ ନହୁଏ ହୋଟେଲ, ରେଷ୍ଟୁରାଣ୍ଟରେ ଥିଲା ଭରସା । ହେଲେ ଏବେ ସେଠି ବି ଧର୍ମସଙ୍କଟ । କିଛି ସ୍ଥାନରେ ମେନ୍ୟୁ ବି କମିଗଲାଣି । ରାଜଧାନୀ ଭୁବନେଶ୍ବର ସମେତ ଅନେକ ସ୍ଥାନରେ ବନ୍ଦ ହେବାକୁ ବସିଲାଣି ରେଷ୍ଟୁରାଣ୍ଟ ଓ ହୋଟେଲ । କ’ଣ କରିବେ ସେ ନେଇ ସବୁ ଚିନ୍ତାରେ । ବିଶେଷ କରି ଖାଦ୍ୟ ପାଇଁ ହୋଟେଲ ଉପରେ ନିର୍ଭର କରୁଥିବା ଲୋକେ ଓ ଛାତ୍ରଛାତ୍ରୀ ବେଶ୍ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଲାଣି ।

ହୋଟେଲ-ରେଷ୍ଟୁରାଣ୍ଟରେ ପ୍ରଭାବ:

ଭାରତରେ ଦେଖାଦେଇଛି ଏଲପିଜି ସଙ୍କଟ । ରନ୍ଧନ ଗ୍ୟାସ୍‌ର ମୂଲ୍ୟ ବଢିଛି । ଦେଶରେ ଆବଶ୍ୟକତା ଏଲପିଜିର ପ୍ରାୟ ୨/୩ ଅଂଶ ପଶ୍ଚିମ ଏସିଆ ଦେଶଗୁଡ଼ିକରୁ ଆମଦାନୀ କରିଥାଏ । ବର୍ତ୍ତମାନ ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଛି ଯୁଦ୍ଧ । ଏଥିଯୋଗୁଁ ସମୁଦ୍ର ପଥ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଗ୍ୟାସ୍ ଆସିବାରେ ବାଧା ସୃଷ୍ଟି ହୋଇଛି । ଏଥିଯୋଗୁଁ ଆନ୍ତର୍ଜାତୀୟ ବଜାରରେ ଗ୍ୟାସ୍ ଦର ବଢ଼ିଛି । ତୈଳ କମ୍ପାନୀ ଗୁଡ଼ିକ ଏଲପିଜି ଦର ବଢାଇଛନ୍ତି । ଘରୋଇ ସିଲିଣ୍ଡର ଦର ବଢ଼ିବା ସହ ବ୍ୟବସାୟିକ ସିଲିଣ୍ଡର ଦାମ୍ ମଧ୍ୟ ବଢିଛି । ଏହାର ସିଧାସଳଖ ପ୍ରଭାବ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଉପରେ ପଡ଼ିଛି ।