ଏହି ଫିଲ୍ମ ପରେ ସିଗାରେଟ୍ ପ୍ରତି ଆସକ୍ତ ହୋଇପଡିଥିଲେ ବିଦ୍ୟା, କହିଲେ-ଦିନକୁ ତିନୋଟି ନିହାତି....

Published By : Prameya-News7 Bureau | May 01, 2024 IST

ମୁମ୍ଵାଇ ୦୧।୦୫: ବଲିଉଡରେ ‘ପରୀଣିତା’ ହୋଇ ଦର୍ଶକଙ୍କ ଆଗକୁ ଆସିଥିଲେ । ଘନ କେଶ ରାଶି । କପାଳରେ ବିନ୍ଦି । ଶାଢ଼ି ପରିହିତା ବିଦ୍ୟା ବାଲନ ସତେ ଯେମିତି ସାଧାରଣ ଝିଅଟିଏ । କିଛି ବର୍ଷ ମଧ୍ୟରେ ଚେହେରା ଓ ଅଭିନୟ ଦୁଇଟି ଯାକ ପୂରା ବଦଳି ଗଲା । ‘ପରୀଣିତା’ ହୋଇଗଲେ ‘ସିଲ୍କ ସ୍ମିତା’ । ଖୋଲାମେଲା ପୋଷାକ । ଉନ୍ମୁକ୍ତ ଶରୀରରେ ତୀବ୍ର ଆବେଦନ ନେଇ ବଡ ପରଦାରେ ଝଡ଼ ସୃଷ୍ଟି କରିଥିଲେ ବିଦ୍ୟା । ତାଙ୍କ ଅଭିନୟ ‘୧୦୦ କୋଟି କ୍ଲବ୍‌’ରେ ପହଞ୍ଚାଇ ଦେଇଥିଲା ‘ଦ ଡାର୍ଟି ପିକଚର୍‌’କୁ । କିନ୍ତୁ ସେହି ଫିଲ୍ମ କରିବାକୁ ଯାଇ ଧୂମପାନରେ ଆସକ୍ତ ହୋଇପଡ଼ନ୍ତି ବିଦ୍ୟା । ଯଦିଓ ସିଗାରେଟ୍‌ ଧୂଆର ଗନ୍ଧକୁ ବରାବର ଉପଭୋଗ କରୁଥିଲେ ବିଦ୍ୟା । 

ଏକ ସାକ୍ଷାତକାରରେ ବିଦ୍ୟା ଏହି ପ୍ରସଙ୍ଗରେ କହିଛନ୍ତି ‘ଦ ଡାର୍ଟି ପିକଚର୍‌’ ଫିଲ୍ମରେ ବେଶ୍‌ କେତୋଟି ଧୂମପାନ ଦୃଶ୍ୟରେ ଅଭିନୟ କରିବାକୁ ହୋଇଥିଲା। ସେହି ସମୟରେ ସିଗାରେଟ୍‌ ପ୍ରତି ସେ ଆସକ୍ତ ହୋଇପଡିଥିଲେ । ଦିନକୁ ତିନୋଟି ସିଗାରେଟ୍‌ ତାଙ୍କର ଦରକାର ହେଉଥିଲା । ତେବେ ସେହି ଆସକ୍ତି ସେ ଉପଭୋଗ କରୁଥିଲେ । ପିଲାଦିନରୁ ସିଗାରେଟ୍‌ ଗନ୍ଧ ତାଙ୍କୁ ଭଲ ଲାଗୁଥିଲା । କଲେଜ ଯିବା ସମୟରେ ବସ୍‌ ପାଇଁ ଅପେକ୍ଷା କରି ଛିଡା ହେଉଥିଲା ସମୟରେ ଆଖାପଖର ଧୂମପାନର ଗନ୍ଧ ତତାଙ୍କୁ ଆକର୍ଷିତ କରୁଥିଲା । ତେଣୁ ସେ ଧୂମପାନ କରୁଥିବା ଲୋକଙ୍କ ପାଖାପାଖି ଛିଡା ହେଉଥିଲେ । ଯଦିଓ ସେ ଧୂମପାନ କରୁନଥିଲେ । କୁହାଯାଏ, ‘ଦି ଡାର୍ଟି ପିକଚର୍‌’ରେ ଅଭିନୟ କରିବା ପୂର୍ବରୁ ତାଙ୍କ ଶୁଭେଚ୍ଛୁମାନେ ତତାଙ୍କୁ ସାବଧାନ କରିଥିଲେ । 

ବିଦ୍ୟାଙ୍କର ସେହି ସମୟର ‘ଅନ୍‌ ସ୍କ୍ରିନ୍‌ ଇମେଜ୍‌’ ଭାଙ୍ଗିଯିବାର ଆଶଙ୍କା ଥିଲା । ଆଶଙ୍କା କେତେକାଂଶରେ ସତ ବି ହୋଇଥିଲା । ବିଦ୍ୟାଙ୍କୁ ଧୂମପାନ ଦୃଶ୍ୟରେ ଦେଖି ନାକ ଟେକିଥିଲେ ଅନେକ । କିନ୍ତୁ ସେହି ଫିଲ୍ମ ବିଦ୍ୟାଙ୍କ ଅଭିନୟ ଦକ୍ଷତାକୁ ଆହୁରି ମଜଭୁତ କରିପାରିଥିଲା ଯାହା ତାଙ୍କୁ ଜାତୀୟ ପୁରସ୍କାର ପାଇବାରେ ସାହାଯ୍ୟ କରିଥିଲା । ତେବେ ସେହି ଫିଲ୍ମ ବ୍ୟତୀତ ବିଦ୍ୟା ଆଉ କେବେ ବି ଧୂମପାନ କରିନାହାନ୍ତି ବୋଲି କୁହନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.