ମାତ୍ର ୬ ଦିନରେ ଗଲାଣି ୧୦ କୃଷ୍ଣସାର ମୃଗଙ୍କ ଜୀବନ, ରୋଗ ଚିହ୍ନି ପାରୁନାହାନ୍ତି ପ୍ରାଣୀ ଚିକିତ୍ସକ !

NEWS7
vande-bharat-express-flagged-off-from-berhampur-and-rourkela

ଜାମସେଦପୁର: ଝାଡ଼ଖଣ୍ଡର ଜାମସେଦପୁରରେ ଥିବା ଟାଟା ଷ୍ଟିଲ୍ ପ୍ରାଣୀ ଉଦ୍ୟାନରୁ ଏକ ଖରାପ ଖବର ଆସିଛି। ରହସ୍ୟମୟ ଜୀବାଣୁ ସଂକ୍ରମଣ ମାତ୍ର ୬ ଦିନ ମଧ୍ୟରେ ୧୦ଟି କୃଷ୍ଣସାର ମୃଗଙ୍କ ଜୀବନ ନେଇଛି । କୃଷ୍ଣସାର ମୃଗ ରହୁଥିବା ଏହି ଉଦ୍ୟାନରେ ଏବେ ପ୍ରାଣୀ ଚିକିତ୍ସକମାନଙ୍କୁ ଦେଖିବାକୁ ମିଳିଛି । ଡିସେମ୍ବର ୧ ତାରିଖରେ ପ୍ରଥମ କୃଷ୍ଣସାର ମୃଗର ମୃତ୍ୟୁ ହୋଇଥିଲା ଏବଂ ସେବେଠାରୁ ମୃତ୍ୟୁର ଧାରା ବନ୍ଦ ହୋଇନାହିଁ।

ବିଶେଷଜ୍ଞମାନେ ସନ୍ଦେହ କରୁଛନ୍ତି ଯେ, ଏହା ହେମୋରେଜିକ୍ ସେପ୍ଟିସେମିଆ (HS) ନାମକ ଏକ ସଂକ୍ରମଣ । ଯାହା କୃଷ୍ଣସାର ମୃଗଙ୍କ ଜୀବନ ନେଉଛି। ଏହି ମୃତ୍ୟୁ କେବଳ ଜାମସେଦପୁରର ପ୍ରାଣୀ ଉଦ୍ୟାନ ପାଇଁ ବିପଦ ନୁହେଁ, ବରଂ ରାଞ୍ଚିର ବିର୍ସା ବାୟୋଲୋଜିକାଲ ପାର୍କକୁ ଏଥିପାଇଁ ସତର୍କ କରାଇ ଦିଆଯାଇଛି । ସେଠାରେ ତୁରନ୍ତ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି।

ଟାଟା ଷ୍ଟିଲ୍ ପ୍ରାଣୀ ଉଦ୍ୟାନର ଉପନିର୍ଦ୍ଦେଶକ ଡକ୍ଟର ନଇମ୍ ଅଖତର କହିଛନ୍ତି, ‘ପାର୍କରେ ଏପର୍ଯ୍ୟନ୍ତ ଦଶଟି କୃଷ୍ଣସାର ମୃଗଙ୍କ ମୃତ୍ୟୁ ହୋଇଛି। ହରିଣର ମୃତଦେହକୁ ପରୀକ୍ଷା ପାଇଁ ଏବଂ ମୃତ୍ୟୁର ସଠିକ୍ କାରଣ ନିର୍ଣ୍ଣୟ କରିବା ପାଇଁ ରାଞ୍ଚି ପ୍ରାଣୀ ଚିକିତ୍ସା ପ୍ରତିଷ୍ଠାନକୁ ନିଆଯାଇଛି। ଏହା ଜୀବାଣୁ ସଂକ୍ରମଣ ଯୋଗୁଁ ହୋଇଥିବା ଜଣାପଡ଼ିଛି।’

ସେପଟେ ରାଞ୍ଚି ଭେଟେରିନାରୀ କଲେଜର ପାଥୋଲୋଜି ବିଭାଗର ସହକାରୀ ପ୍ରଫେସର ଡାକ୍ତର ପ୍ରଜ୍ଞା ଲାକ୍ରା କହିଛନ୍ତି ଯେ, ମୃତଦେହର ପୋଷ୍ଟମର୍ଟମ କରାଯାଇଛି। ଏହା ହେମୋରେଜିକ୍ ସେପ୍ଟିସେମିଆ ବୋଲି ସନ୍ଦେହ କରାଯାଉଛି । ଏହା ପାଷ୍ଟୁରେଲା ପ୍ରଜାତିର ଜୀବାଣୁ ଦ୍ୱାରା ହେଉଥିବା ଏକ ରୋଗ। ଏହାକୁ ପାଷ୍ଟୁରେଲୋସିସ୍ ମଧ୍ୟ କୁହାଯାଏ।

ସେ ଆହୁରି କହିଛନ୍ତି ଯେ, ସୋମବାର ଦିନ ଏହି ମାମଲାର ଅଧିକ ତଦନ୍ତ ଆରମ୍ଭ ହେବ। ପରବର୍ତ୍ତୀ ପ୍ରକ୍ରିୟା ସମାପ୍ତ ହେବା ପରେ, ଆମେ ରୋଗ ନିଶ୍ଚିତ କରିପାରିବୁ। ଟାଟା ଷ୍ଟିଲ୍ ପ୍ରାଣୀ ଉଦ୍ୟାନରେ ପକ୍ଷୀ ସମେତ ପ୍ରାୟ ୩୭୦ ପ୍ରାଣୀ ରହୁଛନ୍ତି। ସେଠାରେ ପୂର୍ବରୁ ୧୮ଟି କୃଷ୍ଣସାର ମୃଗ ରହୁଥିଲେ। ଏବେ କେବଳ ୮ଟି କୃଷ୍ଣସାର ମୃଗ ଅଛନ୍ତି।