ନୂଆଦିଲ୍ଲୀ: ୟୁଏସଏସ ଆବ୍ରାହମ୍ ଲିଙ୍କନରେ ଥିବା କେତେକ ନୌସେନା କର୍ମଚାରୀ ଜାହାଜରୁ ଡେଇଁ ପଡ଼ିବାକୁ ଚେଷ୍ଟା କରିଥିବା ରିପୋର୍ଟରୁ ଜଣାପଡ଼ିଛି । ମିଲିଟାରୀ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଦୀର୍ଘଦିନ ଧରି ବୃଦ୍ଧି ପାଇଥିବା ନିୟୋଜନ ଜାହାଜରେ ଥିବା କର୍ମଚାରୀଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଇଛି । ଯେଉଁଥି ପାଇଁ କିଛି ସୈନିକ ଏପରି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି । ଗତବର୍ଷ ନଭେମ୍ବର ମାସରୁ ଆବ୍ରାହମ୍ ଲିଙ୍କନ୍‌ରେ ୫,୦୦୦ରୁ ଅଧିକ ନୌସେନା ଏବଂ ମେରାଇନ୍ସ କର୍ମଚାରୀ ନିୟୋଜିତ ଅଛନ୍ତି । ଏହା ମେ ମାସରେ ଶେଷ ହେବାର ଥିଲା, ମାତ୍ର ମଧ୍ୟପ୍ରାଚ୍ୟରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନକୁ ସହାୟତା କରିବା ପାଇଁ ଏହି ଯୁଦ୍ଧପୋତକୁ ସେଠାରେ ରଖାଯାଇଛି ।

ଆନାବେଲ୍ ଲୋମା ନାମକ ଜଣେ ମହିଳା ଏହି ସଂସ୍ଥାକୁ କହିଛନ୍ତି, ସେ ଏକ ଫୋନ୍ କଲ୍ ପାଇଥିଲେ,  ଯେଉଁଥିରେ ତାଙ୍କ ସ୍ୱାମୀ ଜାହାଜରୁ ଡେଇଁବାକୁ ଚେଷ୍ଟା କରିଥିଲେ ବୋଲି କୁହାଯାଇଥିଲା । ସେ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ମୁତୟନ ସମୟସୀମାକୁ ବାରମ୍ବାର ବୃଦ୍ଧି କରାଯିବା ପରେ ସେ ଏହି ଚରମ ପଦକ୍ଷେପ ନେଇଥିଲେ । ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି ଏବଂ ସେବେଠାରୁ ନୌସେନା ପକ୍ଷରୁ ସେ କୌଣସି ଖବର ପାଇନାହାନ୍ତି ।

ଅନ୍ୟ ଏକ ଘଟଣାରେ, ଜଣେ ନୌସେନା କର୍ମଚାରୀ ତାଙ୍କ ସହକର୍ମୀଙ୍କୁ ଜାହାଜରୁ ଡେଇଁବା ସମୟରେ ଅଟକାଇଥିଲେ ବୋଲି ତାଙ୍କ ସ୍ତ୍ରୀ ମାରିଆ ରୋଡ୍ରିଗୁଏଜ୍ କହିଛନ୍ତି । ସେ କହିଛନ୍ତି ଯେ ତାଙ୍କ ସ୍ୱାମୀ ଜଣେ କର୍ମଚାରୀଙ୍କୁ ଟାଣି ଆଣି ଉପରକୁ ନେଇଆସିଥିଲେ । ଭାଗ୍ୟବଶତଃ ସେ ଜାହାଜର ଅନ୍ୟ ପାଖକୁ ଯାଇନଥିଲେ । ପାଟିଶବ୍ଦ ଶୁଣି ଅନ୍ୟ ତିନିଜଣ ସେଠାରେ ପହଞ୍ଚିଥିଲେ ।

ଷ୍ଟାର୍ସ ଆଣ୍ଡ ଷ୍ଟ୍ରାଇପ୍ସର ଏକ ରିପୋର୍ଟରେ ମଧ୍ୟ ସମାନ ଘଟଣା ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା, ଯେଉଁଥିରେ ଜଣେ କ୍ରୁ ସଦସ୍ୟ ଜାହାଜରୁ ଡେଇଁବାକୁ ଯାଉଥିଲେ । ପାଖରେ ଥିବା ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ ଏବଂ ଲାଉଡସ୍ପିକର ଘୋଷଣା ମାଧ୍ୟମରେ ସମସ୍ତ କ୍ରୁ ସଦସ୍ୟଙ୍କୁ ଏହି ବିଷୟରେ ସୂଚନା ଦିଆଯାଇଥିଲା ।

ଅଧିକ ଦିନ ଧରି ନିୟୋଜିତ ରହିବା କାରଣରୁ ୟୁଏସଏସ ଆବ୍ରାହମ୍ ଲିଙ୍କନରେ ଥିବା କର୍ମଚାରୀମାନେ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟା ବିଷୟରେ ଆଲୋଚନା କରିବା ପାଇଁ ନିକଟରେ ସେମାନଙ୍କ ପରିବାରର ୨୦୦ରୁ ଅଧିକ ଲୋକ ସାନ ଡିଏଗୋରେ ନୌସେନାର କାର୍ଯ୍ୟକାରୀ ସଚିବ ହଙ୍ଗ୍ କାଓଙ୍କୁ ଭେଟିଥିଲେ ।