News7 Logo

ଭାରତ ଋଷ ଠାରୁ ତେଲ କିଣିବା ବନ୍ଦ କଲେ ଯାଇ ବିବାଦର ସମାଧାନ ହେବ: ଆମେରିକା ବାଣିଜ୍ୟ ମନ୍ତ୍ରୀ

NEWS7
Howard Lutnick on buying Russian oil

ନୂଆଦିଲ୍ଲୀ: ଟ୍ରମ୍ପ ସରକାର ଭାରତ ସହିତ ସବୁ ପ୍ରକାର କୂଟନୀତି ଗେମ୍ ଖେଳିବାକୁ ଚେଷ୍ଟା କରି ଫେଲ୍ ମାରୁଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ଭରାତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ନରମ ମନୋଭବା ପୋଷଣ କରୁଥିବା ବେଳେ ତାଙ୍କ ମନ୍ତ୍ରୀ ଓ ଉପଦେଷ୍ଟାମାନଙ୍କୁ ଲଗାଇ ଭାରତ ବିରୋଧରେ ଲଗାତର ବିଷୋଦଗାର କରିବା ଜାରି ରଖିଛନ୍ତି।

କିଛିଦିନ ତଳେ ଟ୍ରମ୍ପ ଭାରତ ସହିତ ଖୁବ୍‌ଶୀଘ୍ର ବାଣିଜ୍ୟ ଡିଲ୍ ହେବା ନେଇ ସୋସିଆଲ୍ ମିଡିଆରେ ଘୋଷଣା କରିଥିବା ବେଳେ ତାଙ୍କରି ବାଣିଜ୍ୟ ମନ୍ତ୍ରୀ ହୱାର୍ଡ ଲୁଟନିକ ପୁଣିଥରେ ଭାରତକୁ ଧମକ ଦେଇଛନ୍ତି। ଯେପର୍ଯ୍ୟନ୍ତ ଭାରତ ଋଷ ଠାରୁ ତେଲ କିଣିବା ବନ୍ଦ କରି ନାହିଁ ସେ ପର୍ଯ୍ୟନ୍ତ ନୂଆ ଦିଲ୍ଲୀ ସହିତ କୌଣସି ବାଣିଜ୍ୟ ଡିଲ୍ ହେବ ନାହିଁ ବୋଲି ସେ କହିଛନ୍ତି।

ବାଣିଜ୍ୟ ଏବଂ ଶକ୍ତି ନୀତିକୁ ନେଇ ଆମେରିକା ଓ ଭାରତ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିବା ବେଳେ ଲୁଟନିକ ମୁଖ୍ୟ ବାଣିଜ୍ୟ ପ୍ରାଥମିକତା ବିଷୟରେ ଆମେରିକା ଗଣମାଧ୍ୟମ ସିଏନ୍‌ବିସିକୁ ପ୍ରତିକ୍ରିୟା ଦେଇ କହିଛନ୍ତି "ଆମେ ଭାରତ ସହିତ ସମସ୍ୟାର ସମାଧାନ କରିବାକୁ ଯାଉଛୁ" ହେଲେ ଏହାର ଅଗ୍ରଗତି ଭାରତ ରୁଷୀୟ ତୈଳ ଆମଦାନୀ ବନ୍ଦ କରିବା ଉପରେ ନିର୍ଭର କରେ। ସେ ଆହୁରି କହିଛନ୍ତି ଯେ ତାଇୱାନ ସହିତ ଆମେରିକାର ଏକ ବଡ଼ ଚୁକ୍ତି ହେବାକୁ ଯାଉଛି ଏବଂ ସ୍ୱିଜରଲ୍ୟାଣ୍ଡ ସହିତ ଏକ ବାଣିଜ୍ୟ ଚୁକ୍ତି ଖୁବ୍ ଶୀଘ୍ର ଚୂଡ଼ାନ୍ତ ହେବାର ସମ୍ଭାବନା ରହିଛି।

ତେବେ ପୂର୍ବଥର ଅପେକ୍ଷା ଏଥର ଲୁଟନିକଙ୍କ ସ୍ୱର ବି ଭାରତ ବିରୁଦ୍ଧରେ ନରମିଛି। କାରଣ ପୂର୍ବଥର ଲୁଟନିକ ଭାରତ ବିରୁଦ୍ଧରେ କଡ଼ା ଶବ୍ଦର ବ୍ୟବହାର କରିଥିଲେ। ମାସେକୁ ଦୁଇ ମାସ ଭିତରେ ଭାରତ ସରି କହିବ ଓ ବାଣିଜ୍ୟ ଡିଲ୍ ପାଇଁ ଆଲୋଚନା କରିବାକୁ ଅନୁରୋଧ କରିବ ବୋଲି ଲୁଟନିକ ବୟାନ ଦେଇଥିଲେ। ହେଲେ ଏବେ ଟ୍ରମ୍ପ ମୋଦୀଙ୍କୁ ପ୍ରିୟ ବନ୍ଧୁ କହିବା ପରେ ଆମେରିକାର ଆଭିମୁଖ୍ୟ ଭାରତ ପାଇଁ ଧୀରେ ଧୀରେ ବଦଳୁଥିବା ଦେଖିବାକୁ ମିଳୁଛି।