ନୂଆଦିଲ୍ଲୀ ୫।୯: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର କହିଛନ୍ତି ଯେ ସାମଗ୍ରୀ ଓ ସେବା କର (ଜିଏସଟି) ହାରରେ ସୁଧାର ଦେଶର ଅର୍ଥ ବ୍ୟବସ୍ଥାକୁ ମଜଭୁତ କରିବ। ଏହି ନୂଆ ଶୁଳ୍କ ହାର ଦେଶରେ ସେପ୍ଟେମ୍ବର ୨୨ ତାରିଖରୁ ଲାଗୁ ହେବ। ସେ କହିଛନ୍ତି ଯେ ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ ହେଉଛି ଘରୋଇ ଚାହିଦା ବଢାଇବା ଓ ସାଧାରଣ ଲୋକଙ୍କୁ ଆଶ୍ୱସ୍ତ କରିବା। ଏହା ଛଡା ଶୁଳ୍କ ସୁଧାର କରି  ଆମେରିକାର ଟାରିଫ ବୃଦ୍ଧିର ମଧ୍ୟ ମୁକାବିଲା କରାଯିବ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାର ଏବେ ଏହି କଥା ଉପରେ ପୁରା ଧ୍ୟାନ ଦେବେ ଯେ ଶୁଳ୍କ ହାର ହ୍ରାସର ସିଧା ଲାଭ ଯେପରି ଖାଉଟିଙ୍କୁ ମିଳେ। ଏହା ଉପରେ ଏବେ ସରକାର ନଜର ରଖିବେ ଓ ବ୍ୟବସାୟୀ ଏବଂ କମ୍ପାନୀ ସାମଗ୍ରୀ ଓ ସେବା ମୂଲ୍ୟ ଯେପରି ହ୍ରାସ କରନ୍ତି ତାହା ସୁନିଶ୍ଚିତ କରିବେ। ସେ କହିଛନ୍ତି ଯେ ସବୁ ଉଦ୍ୟୋଗ ସଙ୍ଗଠନ ଏ କଥା ସ୍ୱୀକାର କରିଛନ୍ତି ଯେ ସାଧାରଣ ଉପଭୋକ୍ତାଙ୍କୁ ଏହାର ଲାଭ ମିଳିବା ଦରକାର।

ସୀତାରମଣ କହିଛନ୍ତି ଯେ ଜିଏସଟି ଶୁଳ୍କ ହାର ହ୍ରାସ ପରେ ସାଂସଦ ନିଜନିଜ ନିର୍ବାଚନମଣ୍ଡଳିକୁ ଯାଇ ଖାଉଟିଙ୍କୁ ଏହି ହ୍ରାସର ଲାଭ ମିଳୁଛି କି ନା ତାହା ନିଶ୍ଚିତ କରିବେ। ଏଥି ପାଇଁ ସାଂସଦଙ୍କୁ ଦାୟିତ୍ୱ ଦିଆଯିବ ଓ ଏକ ଭିଜିଲାନ୍ସ ଅଭିଯାନ ଚଳାଯିବ ଏଥି ପାଇଁ ସରକାର ପୂର୍ଣ୍ଣ ପ୍ରାଣରେ କାମ କରୁଛନ୍ତି। ଏହି ଅବସରରେ ଋଷିଆରୁ ତୈଳ କିଣା ନେଇ ଅର୍ଥ ମନ୍ତ୍ରୀଙ୍କୁ ପ୍ରଶ୍ନ କରାଯିବାରେ ସେ କହିଛନ୍ତି ଯେ ଭାରତ ନିଜର ଆର୍ଥିକ ଆବଶ୍ୟକତାକୁ ଧ୍ୟାନରେ ରଖି ତୈଳ କ୍ରୟ ପ୍ରକ୍ରିୟା ଜାରି ରଖିବ। ସେ କହିଛନ୍ତି ଯେ ଅଶୋଧିତ ତୈଳ ଆମଦାନୀ ଭାରତ ନିମନ୍ତେ ସବୁଠୁ ମହଙ୍ଗା ଆମଦାନୀ, କାରଣ ଏହାକୁ ବୈଦେଶିକ ମୁଦ୍ରା ବିନିମୟରେ କିଣା ଯାଉଛି।

ଏଣୁ ଶସ୍ତା ଦରରେ ଯେଉଁଠୁ ବି ତୈଳ ମିଳିବ ଭାରତ କିଣିବ, ଚାହେ ଏହା ଋଷ ହେଉନା କାହିଁକି ବୋଲି ସୀତାରମଣ କହିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଆମେରିକା ଦ୍ୱାରା ଲଗା ଯାଇଥିବା ୫୦% ଶୁଳ୍କର ପ୍ରଭାବ ରପ୍ତାନୀ ଉପରେ ନିଶ୍ଚିତ ପଡିବ। କିନ୍ତୁ ଜିଏସଟି ଶୁଳ୍କ ହାର ହ୍ରାସ ଯୋଗୁ ଘରୋଇ ଚାହିଦା ବୃଦ୍ଧି ପାଇବ ଓ ଏଥିରେ ଆମେରିକା ଟ୍ୟାକ୍ସର ଭରଣା ମଧ୍ୟ ହୋଇଯିବ। ଏହା ଛଡା ସରକାର ଟାରିଫ ଯୋଗୁ ପ୍ରଭାବିତ ବ୍ୟବସାୟୀଙ୍କ ଲାଗି ମଧ୍ୟ ପଦକ୍ଷେପ ଗ୍ରହଣ କରିବେ।