ୱାସିଂଟନ ୨୧।୧୧: ଋଷିଆ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିଭ ଆଗରେ ୨୮ସୂତ୍ରୀୟ ପ୍ଲାନ ଉପସ୍ଥାପନ କରିଛନ୍ତି। ସୂଚନା ଅନୁସାରେ ମସ୍କୋ ଏବଂ ୱାସିଂଟନ ମିଳିତ ଏହି ଯୋଜନା ତିଆରି କରିଛନ୍ତି। ଏଥିରେ କୁହାଯାଇଛି ଯେ ୟୁକ୍ରେନକୁ ନିଜ ଅଞ୍ଚଳରୁ କିଛି ଋଷିଆକୁ ଦେବାକୁ ପଡିବ। ଏହା ଛଡା ୟୁକ୍ରେନ ନାଟୋ ସଦସ୍ୟ ହେବନି ଓ ଯୁଦ୍ଧ ସମାପ୍ତ ହେବାର ୧୦୦ ଦିନ ମଧ୍ୟରେ ୟୁକ୍ରେନ ସାଧାରଣ ନିର୍ବାଚନ କରିବାକୁ ପଡିବ ବୋଲି କୁହାଯାଇଛି।

ଟ୍ରମ୍ପଙ୍କ ପ୍ରସ୍ତାବରେ କୁହାଯାଇଛି ଯେ ୟୁକ୍ରେନର ସାର୍ବଭୌମତ୍ୱ ସୁନିଶ୍ଚିତ କରାଯିବ। ଏହା ଛଡା ଋଷିଆ,ୟୁକ୍ରେନ ଓ ୟୁରୋପ ମଧ୍ୟରେ ଏକ ବୁଝାମଣା କରାଯିବ। ଏହା ପରେ ଋଷିଆ ଆଉ ୟୁକ୍ରେନ ଉପରେ ଆକ୍ରମଣ କରିବ ନାହିଁ। ଋଷିଆ ଓ ନାଟୋ ମଧ୍ୟରେ ଆମେରିକା ମଧ୍ୟସ୍ଥତାରେ ବାର୍ତ୍ତା ହେବ, ଯାହା ଦ୍ୱାରା ସୁରକ୍ଷା ସୁନିଶ୍ଚିତ କରାଯାଇ ପାରିବ। ଏହି ପ୍ରସ୍ତାବରେ ୟୁକ୍ରେନକୁ ସୁରକ୍ଷା ଗ୍ୟାରେଣ୍ଟି ଦିଆଯିବା କଥା କୁହାଯାଇଛି। ଏହା ଛଡା ୟୁକ୍ରେନ ସେନାକୁ ୬ ଲକ୍ଷ ମଧ୍ୟରେ ସୀମିତ କରାଯିବ। ଏହି ପ୍ରସ୍ତାବରେ କୁହାଯାଇଛି ଯେ ୟୁକ୍ରେନକୁ ପ୍ରତିଶ୍ରୁତି ଦେବାକୁ ପଡିବ ଯେ ସେ ନାଟୋରେ ସାମିଲ ହେବ ନାହିଁ।

ଏହା ସହିତ ନାଟୋ ମଧ୍ୟ ୟୁକ୍ରେନରେ ସେନା ମୁତୟନ କରିପାରିବ ନାହିଁ ବୋଲି ସର୍ତ୍ତ ରଖା ଯାଇଛି। ଏହା ଛଡା ୟୁକ୍ରେନ ୟୁରୋପୀୟ ୟୁନିୟନର ସଦସ୍ୟ ହୋଇ ପାରିବ। ସେହିପରି ୟୁକ୍ରେନର ଅର୍ଥ ବ୍ୟବସ୍ଥା ସୁଧାରିବା ପାଇଁ ଗ୍ଲୋବାଲ ପ୍ୟାକେଜ୍ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି। ଏହା ଛଡା ୟୁକ୍ରେନର ଯୁଦ୍ଧ ପ୍ରଭାବିତ କ୍ଷେତ୍ରର ପୁନନିର୍ମାଣ ଲାଗି ସହାୟତା ଦିଆଯିବାକୁ ପ୍ରତିଶ୍ରୁତି ଦିଆଯାଇଛି। ଆମେରିକା ଓ ଋଷିଆର ମିଳିତ ୱାର୍କିଂ ଗ୍ରୁପ ୟୁକ୍ରେନର ସୀମା ନିର୍ଦ୍ଧାରଣ କରିବେ।

ପ୍ରସ୍ତାବରେ ୟୁକ୍ରେନକୁ ପରମାଣୁ ଅସ୍ତ୍ରଶସ୍ତ୍ରରୁ ଦୂରରେ ରହିବାକୁ ଦୁଇ ଦେଶ ଋଷିଆ ଓ ୟୁକ୍ରେନ ସ୍କୁଲ କଲେଜ ପାଠ୍ୟକ୍ରମରେ ପକ୍ଷପାତ, ଜାତିଗତ ଭେଦଭାବ ଓ ଅହିଂସା ପାଠ୍ୟ ଖସଡ଼ା ପ୍ରସ୍ତୁତ କରିବେ। ଏହା ଛଡା ଡନିପର ନଦୀର ଜଳ ଋଷିଆ ବ୍ୟବହାର କଲେ ୟୁକ୍ରେନ ଏହାକୁ ବିରୋଧ କରିବନି। ପ୍ରସ୍ତାବରେ ଏହା ବି କୁହାଯାଇଛି ଯେ ଯୁଦ୍ଧ ସମାପ୍ତ ହେବାର ୧୦୦ ଦିନ ମଧ୍ୟରେ ୟୁକ୍ରେନ ସାଧାରଣ ନିର୍ବାଚନ କରିବାକୁ ହେବ। ଯଦି ଉଭୟ ପକ୍ଷ ଏହି ବିନ୍ଦୁମାନଙ୍କ ଉପରେ ସହମତ ହେବେ ତେବେ ଯୁଦ୍ଧବିରାମ ଘୋଷଣା କରାଯିବ ବୋଲି ପ୍ରସ୍ତାବରେ କୁହାଯାଇଛି। ହେଲେ ଏହି ପୁରା ପ୍ଲାନ ଉପରେ ନଜର ପକାଇଲେ ଏହା ଋଷିଆ ସପକ୍ଷରେ ବୋଲି ସ୍ପଷ୍ଟ ଜଣା ପଡୁଛି।