ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଶନିବାର ଦିନ ଭାରତରେ ପହଞ୍ଚିଛନ୍ତି । ତାଙ୍କର ଏହି ନୂଆଦିଲ୍ଲୀ ଗସ୍ତକୁ ନେଇ ଅନ୍ତର୍ଜାତୀୟ ରାଜନୀତିରେ ବେଶ୍ ଚର୍ଚ୍ଚା ଚାଲିଥିବା ବେଳେ, ଏହି ସମୟରେ ଇରାନ ପକ୍ଷରୁ ଏକ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ପ୍ରକାଶ ପାଇଛି । ଇରାନ ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବରୁ ଟ୍ୱିଟର) ମାଧ୍ୟମରେ ରୁବିଓଙ୍କୁ ଟାର୍ଗେଟ୍ କରି ଏକ କଟାକ୍ଷପୂର୍ଣ୍ଣ 'ସଭ୍ୟତା' (Sabhyata) ସମ୍ବନ୍ଧୀୟ ମନ୍ତବ୍ୟ ଦେଇଛି । ଆମେରିକାର ବୈଦେଶିକ ମନ୍ତ୍ରୀ ଭାବରେ ମାର୍କୋ ରୁବିଓ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ । ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ମନାନ୍ତର ଦେଖାଦେଇଥିଲା । ବର୍ତ୍ତମାନ ଉଭୟ ଦେଶ ଏହି ସମ୍ପର୍କକୁ ସୁଧାରିବା ପାଇଁ ପ୍ରୟାସ କରୁଛନ୍ତି । ଆଉ ଏଥପାଇଁ ରୁବିଓଙ୍କ ଦିଲ୍ଲୀ ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

ଇରାନ ଦୂତାବାସର ପୋଷ୍ଟ

ମାର୍କୋ ରୁବିଓ ଭାରତରେ ପହଞ୍ଚିବା ପରେ X ରେ ଏକ ପୋଷ୍ଟ କରି ସୂଚନା ଦେଇଥିଲେ । ଏହି ପୋଷ୍ଟକୁ ନେଇ ମୁମ୍ବାଇସ୍ଥିତ ଇରାନର କନସୁଲେଟ୍ (Iran's Mumbai Consulate) ହିନ୍ଦୀ ଭାଷାରେ ଏକ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଲେଖିଛି । ‘ଥୋଡା ସିଖ୍ ଲୋ ୟାର୍… 'ସଭ୍ୟତା କା କ୍ରାଶ୍ କୋର୍ସ' ଫ୍ରି ମେଁ ମିଲ୍ ଜାଏଗା!’ (ଟିକେ ଶିଖିଯାଅ ଭାଇ... 'ସଭ୍ୟତାର କ୍ରାଶ୍ କୋର୍ସ' ମାଗଣାରେ ମିଳିଯିବ ! ) 'ସଭ୍ୟତା' ହେଉଛି ଏକ ସଂସ୍କୃତ ଶବ୍ଦ, ଯାହାର ଅର୍ଥ ସଂସ୍କୃତି, ଶିଷ୍ଟାଚାର ବା ଇଂରାଜୀରେ ସିଭିଲାଇଜେସନ୍ (Civilisation) ବୋଲି କୁହାଯାଏ । ଆମେରିକାର ବୈଦେଶିକ ମନ୍ତ୍ରୀଙ୍କୁ କଟାକ୍ଷ କରି ଇରାନ ହିନ୍ଦୀରେ କରିଥିବା ଟ୍ବିଟ୍ ସମସ୍ତଙ୍କୁ ଚକିତ କରିଛି ।

କାହିଁକି ଏଭଳି ଟ୍ବିଟ କଲା ଇରାନ ?

ଇରାନ ଦୂତାବାସର ଏହି ରହସ୍ୟଜନକ ଟିପ୍ପଣୀ ପଛର ପ୍ରକୃତ ଉଦ୍ଦେଶ୍ୟ ସ୍ପଷ୍ଟ ହୋଇନଥିଲେ ସୁଦ୍ଧା, ଏହାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ବ ମନ୍ତବ୍ୟ ସହ ଯୋଡ଼ାଯାଉଛି । ଚଳିତ ବର୍ଷ ଏପ୍ରିଲରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଚେତାବନୀ ଦେଇଥିଲେ । ଯଦି ଇରାନ ଶାନ୍ତି ଚୁକ୍ତିରେ ରାଜି ନହୁଏ ଏବଂ 'ହର୍ମୁଜ ପ୍ରଣାଳୀ' (Strait of Hormuz) ରୁ ଅବରୋଧ ନହଟାଏ, ତେବେ ଆଜି ରାତିରେ ଏକ ସମ୍ପୂର୍ଣ୍ଣ ସଭ୍ୟତା ଶେଷ ହୋଇଯିବ ବୋଲି ଟ୍ରମ୍ପ ଧମକ ଦେଇଥିଲେ ।

ବିଶେଷଜ୍ଞଙ୍କ ମତରେ, ଟ୍ରମ୍ପଙ୍କ ସେହି 'ସଭ୍ୟତା ଧ୍ୱଂସ' କରିବା ମନ୍ତବ୍ୟର ଜବାବ ଦେବାକୁ ଯାଇ ଇରାନ ଭାରତର ସଂସ୍କୃତି ଓ ସଭ୍ୟତାକୁ ପ୍ରଶଂସା କରିବା ସହ ଆମେରିକାକୁ ସେଠାରୁ ଶିଷ୍ଟାଚାର ଶିଖିବାକୁ କହିଛି । ବର୍ତ୍ତମାନ ସମୟରେ ମାର୍କୋ ରୁବିଓଙ୍କ ଭାରତ ଗସ୍ତ ଉପରେ ସମଗ୍ର ବିଶ୍ୱର ନଜର ରହିଛି ଏବଂ ଏହି ଗସ୍ତରେ କେଉଁ ସବୁ ପ୍ରମୁଖ ଚୁକ୍ତି ସ୍ୱାକ୍ଷରିତ ହେବ, ତାକୁ ନେଇ ଚର୍ଚ୍ଚା ଲାଗି ରହିଛି ।