ନୂଆଦିଲ୍ଲୀ: ଇରାନ୍ ଯୁଦ୍ଧ ଜାରି ରହିଥିବା ବେଳେ ଏହାର ତୀବ୍ରତା ବୃଦ୍ଧି ପାଇବାରେ ଲାଗିଛି । ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶକୁ ଯୁଦ୍ଧ ବ୍ୟାପିଛି । ଏବେ ଓମାନ୍‌ ଉପକୂଳରେ ଏକ ତୈଳ ଟ୍ୟାଙ୍କର ଉପରେ ମାଡ଼ ହୋଇଛି ମିସାଇଲ୍‌ । କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏଥିରେ ୧୫ ଜଣ ଭାରତୀୟ କ୍ରିଉ ସଦସ୍ୟ ଥିଲେ । ସେମାନଙ୍କ ମଧ୍ୟରୁ ୪ ଜର ଗୁରୁତର ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ।

ଓମାନର ମୁସାଣ୍ଡାମ ଉପଦ୍ୱୀପ ନିକଟରେ ପାଲାଉ-ପତାକା ଥିବା ଟ୍ୟାଙ୍କର ସ୍କାଏଲାଇଟକୁ ଟାର୍ଗେଟ କରାଯାଇଛି । ଜାହାଜ ଉପରେ ଆମେରିକାର କଟକଣା ଲାଗିଥିବା ନେଇ ରୟଟର୍ସ ରିପୋର୍ଟରୁ ଜଣାପଡ଼ିଛି । ଓମାନର ସାମୁଦ୍ରିକ ସୁରକ୍ଷା କେନ୍ଦ୍ର ଏକ୍ସ ପୋଷ୍ଟରେ କହିଛି ଯେ, ମୁସାଣ୍ଡମର ଖାସାବ ବନ୍ଦରରୁ ପ୍ରାୟ ୫ ନଟିକାଲ୍ ମାଇଲ୍ ଉତ୍ତରରେ ଏହି ଆକ୍ରମଣ ହୋଇଛି । ଏହା ପରେ ଜାହାଜରେ ଥିବା ୨୦ ଜଣ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି । ଟ୍ୟାଙ୍କର ଉପରେ କେଉଁ ଭଳି ଯୁଦ୍ଧାସ୍ତ୍ର ମାଡ଼ ହୋଇଛି ​​ତାହା ସ୍ପଷ୍ଟ ହୋଇନାହିଁ।

ପ୍ରାଥମିକ ସୂଚନା ଅନୁଯାୟୀ, ୪ ଜଣ କ୍ରିଉ ସଦସ୍ୟଙ୍କୁ ଗୁରୁତର ଆଘାତ ଲାଗିଛି । କ୍ରିଉ ସଦସ୍ୟଙ୍କ ମଧ୍ୟରେ ୧୫ ଜଣ ଭାରତୀୟ ଏବଂ ପାଞ୍ଚ ଜଣ ଇରାନ ନାଗରିକ ଥିଲେ ବୋଲି ଓମାନ ସାମୁଦ୍ରିକ ସୁରକ୍ଷା କେନ୍ଦ୍ର ସୂଚନା ଦେଇଛି । ରଏଟର୍ସ ରିପୋର୍ଟ ଅନୁସାରେ, ଟ୍ୟାଙ୍କରର ପଞ୍ଜିକୃତ ମାଲିକ ହେଉଛି  ‘ସି ଫୋର୍ସ ଇନକର୍ପୋରେଟେଡ୍’ ଏବଂ ଏହା ରେଡ୍ ସି ସିପ୍ ମ୍ୟାନେଜମେଣ୍ଟ ଏଲଏଲସି ଦ୍ୱାରା ପରିଚାଳିତ। 

ଆମେରିକା ଡିସେମ୍ବର ୨୦୨୫ରେ ରେଡ୍ ସି ସିପ୍ ମ୍ୟାନେଜମେଣ୍ଟ ଏବଂ ସ୍କାଏଲାଇଟ୍ ଉପରେ ପ୍ରତିବନ୍ଧକ ଲଗାଇଥିଲା । ସେମାନେ  ବେଆଇନ ଭାବରେ ଇରାନୀୟ ପେଟ୍ରୋଲିୟମ୍ ଉତ୍ପାଦ ପରିବହନ କରୁଥିବା ନେଇ ଅଭିଯୋଗ ହୋଇଥିଲା । ଜାହାଜ-ଟ୍ରାକିଂ ସେବା Tankertrackers.com ସ୍କାଏଲାଇଟକୁ ଏକ ଛୋଟ ଟ୍ୟାଙ୍କର ଭାବରେ ବର୍ଣ୍ଣନା କରିଛି। ଏହା ଅନ୍ୟ ଜାହାଜଗୁଡ଼ିକୁ ଇନ୍ଧନ ଯୋଗାଇବାକୁ ବ୍ୟବହୃତ ହୁଏ ।