LIVE TV

ସାଉଦୀଆରବ-ପାକିସ୍ତାନ ବୁଝାମଣାକୁ ନେଇ ଆସିଲା ଆମେରିକୀୟ ଏକ୍ସପର୍ଟଙ୍କ ବୟାନ, ବଢିଯିବ ଭାରତର ଟେନସନ

NEWS7
Ian Bremer

ନୂଆଦିଲ୍ଲୀ ୨୦।୯: ନିକଟରେ ସାଉଦୀଆରବ ଓ ପାକିସ୍ତାନ ଏକ ରଣନୈତିକ ପାରସ୍ପରିକ ପ୍ରତିରକ୍ଷା ବୁଝାମଣା କରିଛନ୍ତି। ଏହି ବୁଝାମଣା ଅନୁସାରେ କୌଣସି ଗୋଟିଏ ଦେଶ ଉପରେ ଆକ୍ରମଣକୁ ଉଭୟ ଦେଶଙ୍କ ଉପରେ ଆକ୍ରମଣ ବୁଝାଯିବ। ମାମଲାରେ ଭୂ-ରାଜନୈତିକ ବିଶ୍ଲେଷକ ତଥା ୟୁରେସିୟା ସମୂହ ଅଧ୍ୟକ୍ଷ ଇୟାନ ବ୍ରେମର ‘ଇଣ୍ଡିଆ ଟୁଡେ’ କୁ ଏକ ସାକ୍ଷାତକାର ଦେଇଛନ୍ତି। ସେ କହିଛନ୍ତି ଏହି ବୁଝାମଣା ଭାରତ ପାଇଁ ଏକ ବଡ଼ ପରିବର୍ତ୍ତନ ଆଣିବ।

ସେ କହିଛନ୍ତି ଯେ ଯଦି ସୀମା ବିବାଦକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ସାମରିକ ଅଭିଯାନ ହୁଏ ଏଥିରେ ପାକିସ୍ତାନର ରକ୍ଷା ନିମନ୍ତେ ସାଉଦୀ ଆରବ ସିଧାଶଳଖ ସାମ୍ନାକୁ ଆସିବ । ଏହା ଭାରତର ସୁରକ୍ଷା ଗଣିତକୁ ସମ୍ପୂର୍ଣ୍ଣ ବଦଳାଇ ଦେବ। ବ୍ରେମର କହିଛନ୍ତି ଏହି ବୁଝାମଣା ପାକିସ୍ତାନକୁ ନୂଆ ଭୂ-ରାଜନୈତିକ ଶକ୍ତି ଓ ଆତ୍ମବିଶ୍ୱାସ ଦେବ। ଏଥିରେ ଚୀନ୍‌ ପାକିସ୍ତାନର ମୁଖ୍ୟ ସହଯୋଗୀ ହୋଇ ରହିବ, ଏଣୁ ପାକିସ୍ତାନକୁ ସୈନ୍ୟ ଓ ଗୁଇନ୍ଦା ସମର୍ଥନ ମିଳୁଛି। ଏହି ବୁଝାମଣା ଯୋଗୁ ପାକିସ୍ତାନର ପରମାଣୁ କାର୍ଯ୍ୟକ୍ରମ ମଧ୍ୟ ସମ୍ପ୍ରସାରିତ ହୋଇପାରେ, ଯାହାକୁ ସାଉଦୀ ଆରବ ଦୀର୍ଘ ସମୟରୁ ଏକ ଜରୁରିକାଳୀନ ବିକଳ୍ପ ମାନି ଆସୁଛି।

ଏକ୍ସପର୍ଟ କହିଛନ୍ତି ଯେ ପାକିସ୍ତାନର ପରମାଣୁ କାର୍ଯ୍ୟକ୍ରମରେ ସାଉଦୀ ଆରବର ସମର୍ଥନ କୌଣସି ରହସ୍ୟ ନୁହେଁ। ଦୀର୍ଘ ସମୟ ହେଲା ରିୟାଦ ପାକିସ୍ତାନର ପ୍ଲୁଟୋନିୟମ କାର୍ଯ୍ୟକ୍ରମକୁ ଆର୍ଥିକ ସହାୟତା ଦେଇ ଆସୁଛି। ଏଣୁ ସଂକଟଜନକ ପରିସ୍ଥିତିରେ ସାଉଦୀ ଆରବ ପାକିସ୍ତାନର ପରମାଣୁ କ୍ଷମତାକୁ ନିଜର ଜରୁରିକାଳୀନ ବିକଳ୍ପ ମନେକରିଆସୁଛି। ଏବେ ଏହି ସହଯୋଗକୁ ଔପଚାରିକ ରୂପ କେବଳ ଦିଆଯାଇଛି।

ବ୍ରେମରଙ୍କ ଅନୁସାରେ ଏହି ବୁଝାମଣା ଆମେରିକା ଉପରେ ରିୟାଦର କମନିର୍ଭରତାର ରଣନୀତିର ଅଂଶବିଶେଷ। ନିକଟରେ କତାର ଉପରେ ହୋଇଥିବା ଆକ୍ରମଣରେ ଆମେରିକାର ନିଷ୍କ୍ରିୟତା ସାଉଦୀ ଆରବକୁ ନିରାଶ କରିଛି। ଇସ୍ରାଏଲ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଯୋଗୁ ସାଉଦୀ ଆରବ ନିଜ ପାଇଁ ନୂଆ ସୁରକ୍ଷା ସହଯୋଗୀ ଆବଶ୍ୟକ କରିଛି। ଏହି କାରଣରୁ ରିୟାଦ ପାକିସ୍ତାନ ସହ ସୁରକ୍ଷା ମେଣ୍ଟକୁ ସାର୍ବଜନିକ କରିଛି।

ତେବେ ଭାରତ ସରକାର କହିଛନ୍ତି  ସେ ଏହି ବୁଝାମଣା ଉପରେ କଡ଼ା ନଜର ରଖିଛନ୍ତି। ଭାରତ ଓ ସାଉଦୀ ଆରବ ଭାଗିଦାରୀ ମଜଭୁତ ଥିବା ବିଦେଶ ମନ୍ତ୍ରାଳୟ ଦୋହରାଇଛନ୍ତି। ଏହା ଛଡା ଭାରତ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ନିଜର ରାଷ୍ଟ୍ରୀୟ ସୁରକ୍ଷା ନିମନ୍ତେ ସମସ୍ତ ଜରୁରି ପଦକ୍ଷେପ ନିଆଯିବ।