News7 Logo

ଭାରତ ଆସୁଛନ୍ତି ଆମେରିକାର ମୁଖ୍ୟ ବାର୍ତ୍ତାକାର, ଟ୍ରେଡ୍ ଡିଲ୍ ଉପରେ ହୋଇପାରେ ଆଲୋଚନା

NEWS7
modi

ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ଖୁବଶୀଘ୍ର ଏକ ବୁଝାମଣା ସ୍ୱାକ୍ଷର ହୋଇପାରେ । ଭାରତକୁ ନେଇ ଟ୍ରମ୍ପଙ୍କ ଅଭିମୁଖ୍ୟ ନରମ ପଡ଼ିବା ପରେ, ଆମେରିକୀୟ ଅଧିକାରୀ ସୋମବାର ରାତିରେ ଭାରତ ଗସ୍ତରେ ଆସୁଛନ୍ତି । ତେବେ ଟାରିଫ୍ ବିବାଦ ଭିତରେ ଦୁଇ ଦେଶ ମଧ୍ୟରେ ଆଲୋଚନା କେତେ ଆଗକୁ ବଢିଛି ତାହା ସ୍ପଷ୍ଟ ହୋଇପାରି ନାହିଁ । ଭାରତ ପୂର୍ବରୁ ସ୍ପଷ୍ଟ କରିସାରିଛି ଯେ ଦେଶର ଚାଷୀଙ୍କ ହିତ ସହ କୌଣସି ପ୍ରକାର ସାଲିସ୍ କରାଯିବ ନାହିଁ । ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାତାର ଭାରତ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସୁସମ୍ପର୍କ କଥା ଦୋହରାଉଛନ୍ତି ।

ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁସାରେ, ଜଣେ ଅଧିକାରୀ କହିଛନ୍ତି ଯେ ଆମେରିକୀୟ ବାର୍ତ୍ତାକାର ଭାରତ ଗସ୍ତରେ ଆସୁଛନ୍ତି । ମଙ୍ଗଳବାର ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଦୁଇ ରାଷ୍ଟ୍ର ମଧ୍ୟରେ ଏହି ବୈଠକ ଏପରି ସମୟରେ ହେବାକୁ ଯାଉଛି, ଯେତେବେଳେ ଟ୍ରମ୍ପ ପ୍ରଶାସନ ଭାରତ ଉପରେ ଅତିରିକ୍ତ ୫୦ ପ୍ରତିଶତ ଟାରିଫ୍ ଲଗାଇଛନ୍ତି । ଏହା ସହ ରୁଷଠାରୁ ତେଲ କିଣିବା ଉପରେ ଲଗାତାର ଧମକ ଦିଆଯାଉଛି ।

ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ବିନୟ ମୋହନ କ୍ୱାତ୍ରା ଅନେକ ପ୍ରମୁଖ ଆମେରିକୀୟ ସାଂସଦଙ୍କ ସହ ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ପର୍କ ଉପରେ ଚର୍ଚ୍ଚା କରିଥିଲେ । ଗତ ଶୁକ୍ରବାର ସେ ଏକ୍ସରେ ଲେଖିଥିଲେ, "ପ୍ରତିନିଧି ସଭାର ସଦସ୍ୟ ଜେମ୍ସ ମୋୟଲାନଙ୍କୁ ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟ ସହଭାଗୀତା ଓ ଉର୍ଜା ସହଯୋଗ ଉପରେ ସୂଚନା ଦେବାର ସୁଯୋଗ ମିଳିଛି ।"

ରିପୋର୍ଟ ଅନୁସାରେ, ରୁଷଠାରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ଅଧିକ ଶୁକ୍ଳ ଲଗାଇବା ପାଇଁ ଜି-୭ ରାଷ୍ଟ୍ରଗୁଡ଼ିକୁ ଆମେରିକା ଅନୁରୋଧ କରିଛି । ଆମେରିକା ଜୋର୍ ଦେଇ କହିଛି ଯେ କେବଳ ସାମୂହିକ ପ୍ରୟାସ ଦ୍ୱାରା ହିଁ ଯୁଦ୍ଧକୁ ମିଳୁଥିବା ଅର୍ଥର ରାସ୍ତା ବନ୍ଦ କରିହେବ । ତେବେ ଆମେରିକାରର ବୟାନରେ କୌଣସି ଦେଶର ନାଁ ଉଲ୍ଲେଖ କରାଯାଇ ନାହିଁ । କିନ୍ତୁ ଆମେରିକାର ଟାର୍ଗେଟରେ ରୁଷଠାରୁ ତେଲ କିଣୁଥିବା ଭାରତ ଓ ଚୀନ ଥିବା କୁହାଯାଉଛି ।