News7 Logo

ବିକାଶ ପାଇଁ ଶାନ୍ତି ଜରୁରି; ହିଂସା ପରେ ପ୍ରଥମ ଥର ମଣିପୁର ଗସ୍ତ କରି ବଡ଼ ପ୍ରତିଶ୍ରୁତି ଦେଲେ ପିଏମ୍ ମୋଦୀ

NEWS7
MODI

​​​​​​​ନୂଆଦିଲ୍ଲୀ: ମଣିପୁର ହିଂସାର ଦୁଇ ବର୍ଷ ପରେ ପୂର୍ବୋତ୍ତର ରାଜ୍ୟ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଜନସଭାକୁ ସମ୍ୱୋଧନ କରିଛନ୍ତି । ଏହି ଅବସରରେ ସେ ରାଜ୍ୟବାସୀଙ୍କୁ ବଡ଼ ଅପିଲ୍ କରିବା ସହ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ବିକାଶ ପାଇଁ ଶାନ୍ତି ଜରୁରି ଓ ଭାରତ ସରକାର ଏବଂ ନିଜେ ପିଏମ୍ ମୋଦୀ ରାଜ୍ୟବାସୀଙ୍କ ସହ ଅଛନ୍ତି  ବୋଲି ସେ କହିଛନ୍ତି । ଏହାସହ ସେ ମଣିପୁରକୁ ସାହସ ଓ ବୀରତାର ଭୂମି ବୋଲି କହିଛନ୍ତି । ଚୁଡାଚାନ୍ଦପୁରରେ ଆୟୋଜିତ ଜନସଭାକୁ ସମ୍ୱୋଧିତ କରି ନିଜ ପିଲାଙ୍କ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ଶାନ୍ତି ବାଟ ଆପଣାଇବା ଲାଗି ସବୁ ସଂଗଠନକୁ ନିବେଦନ କରିଛନ୍ତି ।

୨୦୨୩ ମେ’ରେ ଆରମ୍ଭ ହୋଇଥିବା ଜାତିଗତ ହିଂସା ପରେ ପ୍ରଧାନମନ୍ତ୍ରୀ ମୋଦୀ ନିଜ ପ୍ରଥମ ଗସ୍ତରେ କୁକି ବହୁଳ ଚୁଡାଚାନ୍ଦପୁରରେ ଜନସଭାକୁ ସମ୍ୱୋଧନ କରିଛନ୍ତି । ସେ କହିଛନ୍ତି, ଶାନ୍ତି ପାଇଁ କେନ୍ଦ୍ର ସରକାର ନିରନ୍ତର ପ୍ରୟାସ ଦ୍ୱାରା ଦୁଇ ସଂଘର୍ଷରତ ପକ୍ଷ ମଧ୍ୟରେ ଆଲୋଚନା ହୋଇଛି । ପିଏମ୍ କହିଛନ୍ତି, 'ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ ଏଠାରେ ହିଂସା ହୋଇଛି । ଆଜି ମୁଁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ଭାରତ ସରକାର ଆପଣଙ୍କ ସହ ଅଛନ୍ତି ଓ ମୁଁ ଆପଣଙ୍କ ସହ ଅଛି ।'

ପ୍ରଧାନମନ୍ତ୍ରୀ କହିଛନ୍ତି, 'ମୁଁ ସବୁ ଗୋଷ୍ଠୀ ଓ ସଂଗଠନକୁ ଶାନ୍ତି ମାର୍ଗ ବାଛିବା ପାଇଁ ଅପିଲ୍ କରୁଛି । ବିକାଶ ପାଇଁ ଶାନ୍ତି ସର୍ବୋପରି ଅଟେ ଓ କେନ୍ଦ୍ର ସରକାର ଏହାକୁ ହାସଲ କରିବା ପାଇଁ ପ୍ରତିବଦ୍ଧ ଅଛନ୍ତି । କେନ୍ଦ୍ର ସରକାର ରାଜ୍ୟରେ ରେଲୱେ ଓ ରୋଡ୍ ସହ ଜଡ଼ିତ ପରିଯୋଜନା ପାଇଁ ବଜେଟ୍ ଆବଣ୍ଟନରେ ବୃଦ୍ଧି କରିଛନ୍ତି । ୨୦୨୪ ପରଠୁ ମଣିପୁରରେ ସ୍ଥିତି ସୁଧାଇବା ପାଇଁ ବିଶେଷ ଗୁରୁତ୍ୱ ଦେଇଛି । ଭାରତ ଖୁବଶୀଘ୍ର ଦୁନିଆର ତୃତୀୟ ବୃହତ ଅର୍ଥନୀତ ଦେଶ ପାଲଟିବ । ବିକାଶର ଲାଭ ଦେଶର ପ୍ରତିଟି କୋଣରେ ଯେପରି ପହଞ୍ଚିବ ତାହା ସୁନିଶ୍ଚିତ କରିବା ଆମ ଦାୟିତ୍ୱ ।'

ପ୍ରଧାନମନ୍ତ୍ରୀ କହିଛନ୍ତି, 'ମଣିପୁର ସାହସ ଓ ବୀରଙ୍କ ଭୂମି । ଇମ୍ଫାଲରୁ ସଡ଼କ ପଥ ଦେଇ ଚୁଡ଼ାଚାନ୍ଦପୁର ଯିବା ସମୟରେ ମିଳିଥିବା ଭଲ ପାଇବାକୁ କେବେବି ଭୁଲି ପାରିବି ନାହିଁ । ମୁଁ ବିସ୍ଥାପିତ ଲୋକଙ୍କ ସହ କଥା ହୋଇଛି । ମୁଁ ବିଶ୍ୱାସର ସହ କହିପାରିବି ଯେ, ମଣିପୁର ଏକ ନୂଆ ସକାଳ ଦେଖୁଛି । ଲୋକେ ଶାନ୍ତିର ବାଟ ବାଛିଛନ୍ତି ।'