ନୂଆଦିଲ୍ଲୀ ୮।୯:  ଗତ ଅଗଷ୍ଟମାସ ଆରମ୍ଭରେ ୟୁନିଫାଇଡ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ନିୟମରେ କେତେକ ପରିବର୍ତ୍ତନ ହୋଇଥିଲା। ଏଥିରେ ଏବେ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ୟୁପିଆଇ ମାଧ୍ୟମରେ ହେଉଥିବା ବଡ଼ ଡିଜିଟାଲ ପେମେଣ୍ଟକୁ ବି ସରଳ କରିବାକୁ ଯାଉଛନ୍ତି। ଏଥର ଟ୍ରାଞ୍ଜାକ୍ସନ ଲିମିଟ୍ ବଢାଯିବ ବୋଲି ଘୋଷଣା କରାଯାଇଛି। ଏହି ନୂଆ ନିୟମ ଚଳିତମାସ ୧୫ ତାରିଖରୁ କାର୍ଯ୍ୟକାରୀ ହେବ।

ଏହି ନୂଆ ପରିବର୍ତ୍ତନ ଖାସ କରି ପର୍ସନ ଟୁ ମର୍ଚାଣ୍ଟ (ପି ଟୁ ଏମ) ଟ୍ରାଞ୍ଜାକ୍ସନରେ ଲାଗୁ ହେବ। ସରଳ ଶବ୍ଦରେ କହିଲେ ଯେପରି ଆପଣ ଇନସ୍ୟୁରାନ୍ସ ପ୍ରିମିୟମ ପୈଠ କରୁଛନ୍ତି, ଲୋନ ଇଏମଆଇ ପୈଠ କରୁଛନ୍ତି ଅଥବା ମାର୍କେଟରେ ଇନଭେଷ୍ଟ କରୁଛନ୍ତି ତେବେ ଏହି ସୁବିଧାର ଲାଭ ନେଇ ପାରିବେ। ତେବେ ପର୍ସନ ଟୁ ପର୍ସନ (ପି ଟୁ ପି) ଟ୍ରାଞ୍ଜାକ୍ସନ ଲିମିଟ ପୂର୍ବ ଭଳି ଦୈନିକ ୧ ଲକ୍ଷ ଟଙ୍କା ରହିବ। ଏଥିରେ ଏବେ ସେପରି କୌଣସି ପରିବର୍ତ୍ତନ ହେବ ନାହିଁ। ତେବେ ଆସନ୍ତୁ ଜାଣିବା ୟୁପିଆଇ ଲିମିଟରେ କଣ ସବୁ ବଦଳିବ?

କ୍ୟାପିଟାଲ ମାର୍କେଟ୍ ଇନଭେଷ୍ଟମେଣ୍ଟ ଓ ଇନସ୍ୟୁରାନ୍ସ
ଏଠାରେ ଖୁବ୍ ଶୀଘ୍ର ଆପଣ ୨ ଲକ୍ଷ ସ୍ଥାନରେ ୫ ଲକ୍ଷ ପ୍ରତି ଟ୍ରାଞ୍ଜାକ୍ସନ ଓ ୨୪ ଘଣ୍ଟାରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ କରିପାରିବେ।

ସରକାରୀ ଇ-ମାର୍କେଟ ପ୍ଲେସ୍ ଓ ଟ୍ୟାକ୍ସ ପେମେଣ୍ଟ
ଏହାର ଲିମିଟକୁ ମଧ୍ୟ ୧ ଲକ୍ଷରୁ ବଢାଇ ପ୍ରତି ଟ୍ରାଞ୍ଜାକ୍ସନ ୫ଲକ୍ଷ ଟଙ୍କା କରିଦିଆଯିବ।

ଟ୍ରାଭେଲ ବୁକିଂ
ଏବେ ୧ଲକ୍ଷ ବଦଳେ ୫ ଲକ୍ଷ ପ୍ରତି ଟ୍ରାଞ୍ଜାକ୍ସନ ଓ ଡେଲି କ୍ୟାପ୍ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିବ।

କ୍ରେଡିଟ କାର୍ଡ ବିଲ୍ ପେମେଣ୍ଟ
ଥରକରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓ ଦିନକୁ ସର୍ବାଧିକ ୬ଲକ୍ଷ ଟଙ୍କା ପୈଠ କରିପାରିବେ।

ଲୋନ ଇଏମଆଇ କଲେକ୍ସନ
ଏହାର ଲିମିଟକୁ ବଢାଇ ୫ଲକ୍ଷ ଟଙ୍କା ପ୍ରତି ଟ୍ରାଞ୍ଜାକ୍ସନ ଓ ମ୍ୟାକ୍ସିମମ ଦିନକୁ ୧୦ଲକ୍ଷ ଟଙ୍କା କରିଦିଆଯିବ।

ଜ୍ୱେଲରୀ କ୍ରୟ
ନୂଆ ଲିମିଟ ପରେ ୧ ଲକ୍ଷ ଟଙ୍କା ସ୍ଥାନରେ ପ୍ରତି ଟ୍ରାଞ୍ଜାକ୍ସନ ୨ଲକ୍ଷ ଓ ଡେଲିକ କ୍ୟାପ ୬ଲକ୍ଷ ଟଙ୍କା ପର୍ଯନ୍ତ ପେମେଣ୍ଟ କରିପାରିବେ।

ଟର୍ମ ଡିପୋଜିଟ୍
ନୂଆ ଲିମିଟ ପରେ ବି ଏଠାରେ ଆପଣ  ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ କରିପାରିବେ। ଏହା ପୂର୍ବରୁ ୨ଲକ୍ଷ ଟଙ୍କା ଥିଲା।

ତେବେ ଡିଜିଟାଲ ଆକାଉଣ୍ଟ ଓପନିଂରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏହାର ଲିମିଟ୍ ଏବେବି ୨ଲକ୍ଷ ଟଙ୍କା ରହିବ। ଏହା ଛଡା ବିବିପିଏସ ଜରିଆରେ ଫରେନ୍ ଏକ୍ସଚେଞ୍ଜ ପେମେଣ୍ଟ ଖୁବ୍ ଶୀଘ୍ର ପ୍ରତି ଟ୍ରାଞ୍ଜାକ୍ସନ ୫ଲକ୍ଷ ଓ ଡେଲି କ୍ୟାପ୍ ମଧ୍ୟ ୫ଲକ୍ଷ ଟଙ୍କା ହୋଇଯିବ। ଏନପିସିଆଇଙ୍କ ଅନୁସାରେ ଏହି ପରିବର୍ତ୍ତନ ଲୋକ ଓ ବ୍ୟବସାୟୀଙ୍କୁ ବେଶ୍ ଲାଭାନ୍ୱିତ କରିବ। ଏହା ଦ୍ୱାରା ବଡ଼ ଡିଜିଟାଲ ପେମେଣ୍ଟ କରିବା ସହଜ ହେବ। ଏହି ପରିବର୍ତ୍ତନ ଯୋଗୁ କ୍ୟାସ୍ ଲେସ୍ ନେଣଦେଣକୁ ପ୍ରୋତ୍ସାହନ ମିଳିବ।