ମାଥିଲି ୦୧/୧୧: କଥାରେ ଅଛି ନିସ୍ବାର୍ଥ ପର କାମର ଫଳ ସର୍ବଦା ମିଠା । ନିଜ କର୍ମର ଫଳ ଏଠାରେ ହିଁ ମିଳିଥାଏ । ଏଭଳି କିଛି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ମାଥିଲି ବ୍ଳକ ପାଙ୍ଗାମ ରେ । ବିଭିନ୍ନ ପଦ ପଦବୀରେ ଅବସ୍ଥିତ ପୁରାତନ ଶିଷ୍ୟମାନେ ନିଜ ପ୍ରିୟ ଶିକ୍ଷକଙ୍କୁ ଭିନ୍ନ ଢଙ୍ଗରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଛନ୍ତି । ଯାହା ଜନସାଧାରଣଙ୍କୁ ଆଚମ୍ବିତ କରିଛି । 

ଶିକ୍ଷକ ପ୍ରତାପ ଚନ୍ଦ୍ର ରାୟ, ମାଲକାନଗିରି ଜିଲ୍ଲା ମଙ୍ଗଳ ବିଭାଗ ଅଧିନରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରନ୍ତି । ଗତ ୧୯୯୩ ମସିହା ରେ ମାଲକାନଗିରି ଜିଲ୍ଲା ମାଓପ୍ରବଣ ମହୁପଦର ହାଇସ୍କୁଲରେ କାର୍ଯ୍ୟରେ ଯୋଗ ଦେଇଥିଲେ । ମାଓପ୍ରବଣ ଅଂଚଳରେ ପ୍ରାୟତଃ ଅଧିକାରୀ କାମ କରିବାକୁ ଭୟ କରୁଥିବା ବେଳେ ସେସବୁକୁ ଖାତିର ନକରି ନିଜ କର୍ମ କରିଥିଲେ । ତାଙ୍କ ପାଖରେ ଶିକ୍ଷାଲାଭ କରିଥିବା ପ୍ରାୟ ଆଠଶହରୁ ଅଧିକ ଶିଷ୍ୟ ବର୍ତ୍ତମାନ ବିଭିନ୍ନ ପଦପଦବୀରେ ଅବସ୍ଥାପିତ ।

 

ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ନିଜ କର୍ତ୍ତବ୍ୟ ସଂପାଦନ କରିବା ସହ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରକାର ସହଯୋଗ ମଧ୍ୟ କରିଛନ୍ତି । ଯେଉଁଥିପାଇଁ ଜନସାଧାରଣଙ୍କ ମନରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଛନ୍ତି ରାୟ ସାର । ଗତକାଲି ଥିଲା ତାଙ୍କ ଚାକିରି ଜୀବନର ଶେଷ ଦିବସ । ଏହି ଖବର ପାଇ ବିଭିନ୍ନ ସ୍ଥାନରେ ଥିବା ତାଙ୍କ ଶିଷ୍ୟ ଆସି ପହଚିଥିଲେ ପାଙ୍ଗାମ ହାଇସ୍କୁଲରେ । ଆଉ ଏହାକୁ ସ୍ମରଣୀୟ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିଥିଲେ । ସୁସଜ୍ଜିତ ତୋରଣ, ଝୋଟି, ବାଣ ସହ ଫୁଲରେ ସୁସଜ୍ଜିତ ଗାଡି ଏହା ସହିତ ବାଜାବାଜଣାକୁ ଦୁରୁଆ ସଂପ୍ରଦାୟର ନିଆରା ନୃତ୍ୟ ।

ଏକ ବାହାଘର ପଟୁଆରର ଭ୍ରମ ସୃଷ୍ଟି କରିଥିଲା ପାଙ୍ଗାମ ଗ୍ରାମରେ । ପୁରାତନ ଶିଷ୍ୟଙ୍କ ସମେତ ବିଭିନ୍ନ ସ୍ଥାନରେ ପ୍ରତାପ ରାୟଙ୍କ ସହ କାମ କରିଥିବା ସହକର୍ମୀ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇଥିଲେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ । ଦୁରଆ ନୃତ୍ୟର ତାଳେତାଳେ ନିଜ ପ୍ରିୟ ଶିକ୍ଷକଙ୍କୁ ସୁସଜ୍ଜିତ ଗାଡିରେ ଗାଁ ପରିକ୍ରମା କରାଇଛନ୍ତି ପୂରାତନ ଶିଷ୍ୟ । ପରେ ଏକ ସଭାର ଆୟୋଜନ ହୋଇଥିବା ବେଳେ ହସ ଖୁସି ରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବାସହ ତାଙ୍କ ଦୀର୍ଘଜୀବନ ସୁଖମୟ ହେବା କାମନା କରିଛନ୍ତି ପୂରାତନ ଶିଷ୍ୟ ଓ ସହକର୍ମୀ ।