ନୂଆଦିଲ୍ଲୀ: ସୋମବାର ସନ୍ଧ୍ୟାରେ ଦିଲ୍ଲୀର ରାଜଧାନୀରେ ଲାଲକିଲ୍ଲା ନିକଟରେ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି। ଦିଲ୍ଲୀ ଧମାକା ଉପରେ  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ସୁଭାଷ ମାର୍ଗ ଟ୍ରାଫିକ ସିଗ୍ନାଲରେ ଆଇ-ଟ୍ଵେଣ୍ଟି କାରରେ ବିସ୍ଫୋରଣ ଘଟିଛି। ଏଥିରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି ଏବଂ କିଛି ବାହନ କ୍ଷତିଗ୍ରସ୍ତ ହୋଇଛି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, କିଛି ଲୋକଙ୍କ ମୃତ୍ୟୁ ଘଟିଛି। ଘଟଣାର ସମସ୍ତ ଦିଗରୁ ତଦନ୍ତ କରାଯାଉଛି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ବିସ୍ଫୋରଣ ବିଷୟରେ ସୂଚନା ପାଇବାର ୧୦ ମିନିଟ୍ ମଧ୍ୟରେ, ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚ ଏବଂ ଦିଲ୍ଲୀ ସ୍ପେଶାଲ୍ ବ୍ରାଞ୍ଚର ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାକୁ ନେଇ ଏନଏସଜି ଓ ଏନଆଇଏର ଟିମ୍ ଏଫଏସଏଲ ସହ ମିଶି ତନ୍ନ ତନ୍ନ ଯାଞ୍ଚ ଆରମ୍ଭ କରି ଦେଇଛନ୍ତି। ଆଖପାଖର ସମସ୍ତ ସିସିଟିଭି କ୍ୟାମେରା ଯାଞ୍ଚ କରିବାକୁ ଆଦେଶ ଦିଆଯାଇଛି।

ଅମିତ ଶାହ କହିଛନ୍ତି, ମୁଁ ଦିଲ୍ଲୀ ପୋଲିସ କମିଶନର ଓ ସ୍ପେଶାଲ ବ୍ରାଞ୍ଚ ଇନଚାର୍ଜଙ୍କ ସହ କଥା ହୋଇଛି। ଦିଲ୍ଳୀ ପୋଲିସ କମିଶନର ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ସମସ୍ତ ଦିଗ ଉପରେ ବିଚାର କରୁଛୁ । ସବୁ ବିକଳ୍ପ ଉପରେ ତୁରନ୍ତ ଯାଞ୍ଚ କରାଯିବ ଏବଂ ପରିଣାମ ଜନତାଙ୍କ ସାମ୍ନାରେ ରଖିବୁ। ମୁଁ ଯଥା ଶୀଘ୍ର ଘଟଣାସ୍ଥଳ ଓ ହସ୍ପିଟାଲ୍ ଯିବି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପରିସ୍ଥିତି ବିଷୟରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ଏନଏସଜି କମାଣ୍ଡୋ ଏବଂ ଏନଆଇଏ ତଦନ୍ତକାରୀ ବିସ୍ଫୋରଣ ସ୍ଥଳରେ ପହଞ୍ଚିଛନ୍ତି। ଏନଏସଜି ଦଳରେ ବିସ୍ଫୋରକ ବିଶେଷଜ୍ଞ ଟିମ୍ ଘଟଣାସ୍ଥଳ ପହଞ୍ଚିଛନ୍ତି।

ଏହି ଘଟଣା ଉପରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଲଗାତାର ନଜର ରଖିଛନ୍ତି। ଧମାକା ପରେ ପୋଲିସ ପୂରା ଅଞ୍ଚଳକୁ ସିଲ୍ କରି ଦେଇଛି। ଏନଆଇଏ, ଫରେନ୍ସିକ ସାଇନ୍ସ ଲାବୋରାଟୋରୀ(ଏସଏଫଏଲ) ଓ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲର ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସୂଚନାଯାେଗ୍ୟ, ଆଜି ସନ୍ଧ୍ୟା ପ୍ରାୟ ୭ଟାରେ ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି। ଆହତଙ୍କ ଚିକିତ୍ସା ଜୟପ୍ରକାଶ ନାରାୟଣ ହସ୍ପିଟାଲରେ କରାଯାଉଛି।