ମୁମ୍ବାଇ: ମୁମ୍ବାଇ-ଭାଦୋଦରା ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୁମ୍ବାଇର ବଦଲାପୁର ନିକଟରେ ଏକ ଦ୍ରୁତଗାମୀ ବିଏମଡବ୍ଲ୍ୟୁ (BMW Z4) କାର୍ ନିୟନ୍ତ୍ରଣ ହରାଇ ଡିଭାଇଡର ସହ ପିଟି ହୋଇଯିବା ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

ପ୍ରତ୍ୟକ୍ଷଦର୍ଶୀ ଏବଂ ପ୍ରାଥମିକ ସୂଚନା ଅନୁଯାୟୀ, ଦୁର୍ଘଟଣା ସମୟରେ ଏହି ହାଇ-ପରଫରମାନ୍ସ ସ୍ପୋର୍ଟସ୍ କାର୍‌ର ବେଗ ଘଣ୍ଟା ପ୍ରତି ପ୍ରାୟ ୨୫୦ କିଲୋମିଟର ଥିଲା। ରବିବାର ଭୋର ପ୍ରାୟ ୩ଟା ସମୟରେ ଏହି ଅଭାବନୀୟ କାଣ୍ଡ ଘଟିଛି। କାରଟି ତିତୱାଲାରୁ ବଦଲାପୁର ଆଡ଼କୁ ଯାଉଥିଲା। ଗାଡ଼ିର ଗତି ଏତେ ତୀବ୍ର ଥିଲା ଯେ, ଡିଭାଇଡରରେ ପିଟି ହେବା ମାତ୍ରେ କାରଟି ଓଲଟି ପଡ଼ିବା ସହ ସମ୍ପୂର୍ଣ୍ଣ ଭାଙ୍ଗି ଚୂରମାର ହୋଇଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ମୃତଦେହଗୁଡ଼ିକର ଅଙ୍ଗପ୍ରତ୍ୟଙ୍ଗ ରାସ୍ତାର ଅନେକ ମିଟର ଦୂର ପର୍ଯ୍ୟନ୍ତ ବିକ୍ଷିପ୍ତ ହୋଇ ପଡ଼ିଥିଲା।

ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ବ୍ୟକ୍ତି ଜଣେ ବନ୍ଧୁଙ୍କ ଜନ୍ମଦିନ ପାର୍ଟିରୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ମୃତକମାନେ ବଦଲାପୁର ବାସିନ୍ଦା ଯୋଗେଶ ଦିଘେ ଏବଂ ରିକେବା ଜାକପ । ତୃତୀୟ ଯାତ୍ରୀ ଆନନ୍ଦ ଗୁରୁତର ହୋଇଥିବା ବେଳେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ବଦଲାପୁର ଥାନାରେ ଏକ ଅପମୃତ୍ୟୁ ମାମଲା (Accidental Death) ରୁଜୁ କରାଯାଇଛି ଏବଂ ଘଟଣାର ଅଧିକ ସୂଚନା ପାଇଁ ତଦନ୍ତ ଜାରି ରହିଛି ବୋଲି ବଦଲାପୁର ଥାନାର ଏସଏଚଓ ସୂଚନା ଦେଇଛନ୍ତି ।

ଘଟଣାସ୍ଥଳରେ ଏକ ଫୋରେନସିକ୍ ଟିମ୍ ପହଞ୍ଚି ଗାଡ଼ିର ଭଗ୍ନାବଶେଷ ଏବଂ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରିଛନ୍ତି। ଚାଳକ ଜଣକ ମଦ୍ୟପାନ କରି ଗାଡ଼ି ଚଲାଉଥିଲେ କି ନାହିଁ, ସେ ନେଇ ପୋଲିସ ସମସ୍ତ ଦିଗରୁ ଯାଞ୍ଚ କରୁଛି। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ (Post-mortem) ପାଇଁ ସରକାରୀ ମେଡିକାଲକୁ ପଠାଯାଇଛି, ଯାହାର ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ।