ବାରଙ୍ଗ ୨୭।୧୦ : ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ମୋନ୍ଥା । ଏବେ ଉପକୂଳମୁହାଁ ବାତ୍ୟା । ତେବେ ଏହି ବାତ୍ୟାର ମୁକାବିଲା ପାଇଁ ଓଡ଼ିଶାର ଦୁଇଟି ଜିଲ୍ଲାକୁ ପଠାଯାଇଛି ଦୁଇଟି NDRF ଟିମ। ସୋମବାର ଭୋର ୪ ଟା ୩୦ ମିନିଟରେ ଏହି ଦୁଇଟି ଟିମ ଗୋଟିଏ ବସ, ଗୋଟିଏ ଟ୍ରକ ଓ ଗୋଟିଏ ବୋଲେରୋରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଗ୍ରସ୍ତ କରିଛନ୍ତି। ପ୍ରତ୍ୟେକ ଟିମରେ ୩ ଜଣ ଅଫିସର ସହିତ ୩୧ ଜଣ ଜବାନ ଅଛନ୍ତି।

ସେହିପରି ବାତ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ଯ ପାଇଁ ଟ୍ରି କଟର (ଗଛ କଟା), ଡ୍ରିଲ୍‌ ମେସିନ, ହାମର , ଅର୍କ୍ସିଜେନ ସିଲିଣ୍ଡର, ଷ୍ଟ୍ରେଚର ସହିତ ବିଭିନ୍ନ ଉଦ୍ଧାର କାର୍ଯ୍ୟ ପାଇଁ ବ୍ୟବହୃତ ସାମଗ୍ରୀ ନେଇଛନ୍ତି। NDRF ପ୍ରାକୃତିକ କିମ୍ବା ମନୁଷ୍ୟ କୃତ ବିପର୍ଯ୍ୟୟ ସମୟରେ କିଭଳି ମୁକାବିଲା କରାଯାଇପାରିବ ସେଥିପାଇଁ ସେମାନେ ସ୍ଵତନ୍ତ୍ର ଭାବରେ ତାଲିମ ପ୍ରାପ୍ତ। ସେଥିପାଇଁ ବାତ୍ୟା ପୂର୍ବରୁ ସ୍ଥିତିକୁ ଦେଖି ଟିମ୍‌କୁ ବିଭିନ୍ନ ସ୍ଥାନକୁ ପଠାଯାଇଛି ।

ସୂଚନାଯୋଗ୍ୟ ଯେ, ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 'ମୋନ୍‌ଥା' ।  କାକିନାଡ଼ା ଠାରୁ ୬୮୦ କିମି ଦୂରରେ ଅବସ୍ଥିତ ରହିଛି । ଏହା ଘଣ୍ଟା ପ୍ରତି ୧୬ କିମି ବେଗରେ ଗତି କରୁଛି । ଆଗାମୀ ୧୨ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମକୁ ଗତି କରିବ। ମଙ୍ଗଳବାର ସକାଳ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେଇପାରେ 'ମୋନ୍‌ଥା' । ମଙ୍ଗଳବାର ସଂଧ୍ୟା କିମ୍ବା ରାତିରେ ଏହା ଲ୍ୟାଣ୍ଡଫଲ କରିବ । ପରେ ଏହା ମଛଲିପଟନମ ଓ କଳିଙ୍ଗପଟନମ ମଝି କାକିନାଡ଼ା ଦେଇ ଅତିକ୍ରମ କରିବ । ତେବେ ଲ୍ୟାଣ୍ଡଫଲ୍ ସମୟରେ ପବନର ସର୍ବାଧିକ ବେଗ ୧୧୦ କିମି ରହିବ ବୋଲି ସୂଚନା ମିଳିଛି ।