LIVE TV

ସରଣ୍ଡା ଜଙ୍ଗଲରେ ଅପରେସନ ବେଳେ ବିସ୍ଫୋରଣ ଘଟଣା, ରାଞ୍ଚି ଏୟାରଲିଫ୍ଟ ହେବେ ଦୁଇ ଯବାନ

NEWS7
medical

ରାଉରକେଲା ୧୧।୧୦ : ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡରେ ଆଇଇଡି ବ୍ଲାଷ୍ଟ ଘଟଣା । ଏଥିରେ ଗୁରୁତର ଥିବା ଦୁଇ ଯବାନଙ୍କୁ ରାଞ୍ଚି ଏୟାରଲିଫ୍ଟ କରାଯିବ । ବର୍ତ୍ତମାନ ଉଭୟ ରାଉରକେଲା ଇସ୍ପାତ ସୁପର ସ୍ପେଶାଲିଟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ଏହି ଏନ୍‌କାଉଣ୍ଟରରେ ଯବାନ ମହେନ୍ଦ୍ର ଲକ୍ସରଙ୍କ ମୃତଦେହକୁ ରାଞ୍ଚି ସ୍ଥାନାନ୍ତର କରାଯାଇଛି । ରାଞ୍ଚିରେ ଗାର୍ଡ ଅଫ ଅର୍ନର ଦିଆଯିବ ପରେ ତାଙ୍କ ପୈତୃକ ଗାଁ ଆସାମଙ୍କୁ ପଠାଯିବ ବୋଲି ସୂଚନା ମିଳିଛି।

ଖବର ଅନୁଯାୟୀ, ଶୁକ୍ରବାର ଅପରାହ୍ନରେ ସୀମାନ୍ତ ଝାଡଖଣ୍ଡ ଜରେଇକେଲା ସରଣ୍ଡା ରାଟାମାଟି ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଥିଲା ସର୍ଚ୍ଚ ଅପରେସନ । ଏହି ସମୟରେ ଜଙ୍ଗଲରେ ଲୁଚି ଥିବା ମାଓବାଦୀ ସହିତ ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ । ଯାହାଫଳରେ ଦୀର୍ଘ ସମୟ ଧରି ଜଙ୍ଗଲରେ ଗୁଳିବିନମୟ ଜାରି ରହିଥିଲା । ପୂର୍ବରୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ ଆଇଇଡି ପୋତିଥିଲେ ମାଓବାଦୀ । ଏହି ସର୍ଚ୍ଚ ଅପରେସନ ସମୟରେ ଦୁଇଟି ଆଇଇଡି ବିସ୍ଫୋରଣ ହୋଇଥିଲା । ଯାହାଫଳରେ ଦୁଇ ଜଣ ଯବାନ ଗୁରୁତର ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି। ଆଉ ଏବେ ସହିଦ ଯବାନଙ୍କ ମୃତଦେହକୁ ହେଲିକପ୍ଟର ଯୋଗେ ରାଞ୍ଚି ସ୍ଥାନାନ୍ତର କରାଯିବ । ସେଠାରେ ଗାର୍ଡ ଅଫ ଅର୍ନର ଦିଆଯିବ ପରେ ପୈତୃକ ଗାଁକୁ ଯିବ ମୃତଦେହ । ସେହିପରି ରାଉରକେଲା ଇସ୍ପାତ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସିତ ଦୁଇ ଗୁରୁତର ଯବାନଙ୍କୁ ଅଧିକ ଚିକିତ୍ସା ନିମନ୍ତେ ରାଞ୍ଚି ଏୟାରଲିଫ୍ଟ କରାଯିବ ।