ନୂଆଦିଲ୍ଲୀ ୧୮।୧୨: ଭାରତ ୨୦୨୬ ଗଣତନ୍ତ୍ର ଦିବସରେ ବଡ଼ କୂଟନୈତିକ ଚାଲ ଚଳାଇବାକୁ ଯାଉଛି। ଏଥର ସାଧାରଣତନ୍ତ୍ର ଦିବସ ସମାରୋହରେ କୌଣସି ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଆମନ୍ତ୍ରଣ ନ କରି ୟୁରୋପୀୟ ୟୁନିୟନର ୨ ଜଣ ବଡ଼ ନେତାଙ୍କୁ ଚିଫ୍ ଗେଷ୍ଟ କରିବାକୁ ଯୋଜନା କରିଛି। ଏହି ନିଷ୍ପତ୍ତି ଅନୁସାରେ ୟୁରୋପିୟନ କମିସନଙ୍କ ପ୍ରେସିଡେଣ୍ଟ ଉର୍ସୁଲା ଭନ ଡେର ଲେନ ଓ ୟୁରୋପୀୟ କାଉନସିଲ ପ୍ରେସିଡେଣ୍ଟ ଏଣ୍ଟୋନିୟୋ କୋଷ୍ଟା ୨୬ ଜାନୁୟାରୀ ସମାରୋହର ଚିଫ୍ ଗେଷ୍ଟ ହେବେ। ୨୬ ଜାନୁୟାରୀ କେବଳ ଏକ ସେରିମନି ନୁହେଁ ଭାରତ ଓ ୟୁରୋପୀୟ ୟୁନିୟନ ମଧ୍ୟରେ ଫ୍ରି ଟ୍ରେଡ ଏଗ୍ରିମେଣ୍ଟ (ଏଫଟିଏ) ଚୂଡ଼ାନ୍ତ କରିବା ଏହା ପଛର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଏବେ କୁହାଯାଉଛି।

ଉଭୟ ପକ୍ଷ ଜାନୁୟାରୀ ୨୭ରେ ହେବାକୁ ଥିବା ଐତିହାସିକ ଭାରତ ଓ ଇୟୁ ସମ୍ମିଳନୀରେ ଏହି ଐତିହାସିକ ଡିଲରେ ମୋହର ଲଗାଇ ପାରନ୍ତି। ଏଥି ପାଇଁ ପିୟୁଷ ଗୋୟଲ ଓ ଇୟୁ ଅଧିକାରୀ ଏବେ ଦିନରାତି ଏକ କରି ଲାଗି ପଡିଛନ୍ତି, ଯାହା ଦ୍ୱାରା ଦୀର୍ଘ ଦଶନ୍ଧୀ ଧରି ଝୁଲି ରହିଥିବା ଏହି ରାଜିନାମା ହୋଇ ପାରିବ। ଏଣୁ ଗଣତନ୍ତ୍ର ଦିବସରେ ଇୟୁର ଦୁଇ ବଡ଼ ନେତାଙ୍କୁ ଆମନ୍ତ୍ରଣ କରାଯିବା ଏକ ରଣନୀତି ବୋଲି ବିବେଚନା କରାଯାଉଛି। ଏହି ପଦକ୍ଷେପ ନୂଆ ଦିଲ୍ଲୀର ସେହି ଉଦ୍ଦେଷ୍ୟକୁ ସ୍ପଷ୍ଟ କରିବ ଯେ ସେ ୟୁରୋପ ସହିତ ନିଜର କୂଟନୈତିକ ଓ ଆର୍ଥିକ ସମ୍ପର୍କକୁ ନୂଆ ସ୍ତରକୁ ନେବାକୁ ଚାହୁଁଛି।

ଫେବୃଆରୀ ୨୦୨୫ରେ ଇୟୁ କମିଶନର ଭାରତ ଗସ୍ତ କରିବା ପରେ ଉଭୟ ପକ୍ଷଙ୍କ ସମ୍ପର୍କ ବଢିଛି। ଏଥିରେ ଇୟୁର ଦୁଇ ବଡ଼ ନେତା ଭାରତ ଆସିବା ବିଶ୍ୱକୁ ଏକ ନୂଆ ବାର୍ତ୍ତା ଦେବ। ଏହି ଭିଜିଟ୍ ଟ୍ରେଡ, ଡିଫେନ୍ସ, ଟେକ୍ନୋଲଜି ଓ ଲୋକଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ପ୍ରୋତ୍ସାହିତ କରିବା ଲାଗି ଗେମ ଚେଞ୍ଜର ସାବ୍ୟସ୍ତ ହୋଇପାରେ। ଭାରତ-ୟୁରୋପ ମଧ୍ୟରେ ଏଫଟିଏ ଆଲୋଚନା ବେଶ୍ ଦୀର୍ଘ ହେଲାଣି। ହେଲେ ଲାଗୁଛି ଏବେ ଏହା ଚୂଡ଼ାନ୍ତ ହୋଇଯାଇପାରେ। ଏଥି ପାଇଁ ଡିସେମ୍ବର ୮ ତାରିଖରୁ ଦିଲ୍ଲୀରେ ପୁଣି କଥାବାର୍ତ୍ତା ଆରମ୍ଭ ହୋଇଛି।

ମନିକଣ୍ଟ୍ରୋଲର ଏକ ରିପୋର୍ଟ ଅନୁସାରେ ଉଭୟ ପକ୍ଷ ଚଳିତବର୍ଷ ଶେଷ ସୁଦ୍ଧା ଅଥବା ଜାନୁୟାରୀ ସମ୍ମିଳନୀ ପୂର୍ବରୁ ଏହି ଡିଲକୁ ଚୂଡ଼ାନ୍ତ କରିବାକୁ ଚାହୁଁଛନ୍ତି। ଏଥି ପାଇଁ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟଲ ଭାରତୀୟ ଡେଲିଗେସନର ନେତୃତ୍ୱ ନେଉଛନ୍ତି। ସେହିପରି ଇୟୁ ପକ୍ଷରୁ ଟ୍ରେଡ ଡାଇରେକ୍ଟର ସବାଇନ ୱେୟଣ୍ଡ ନେତୃତ୍ୱ ନେଉଛନ୍ତି। ଏଥି ପାଇଁ ସେ ମାସକ ମଧ୍ୟରେ ୨ ଥର ଦିଲ୍ଲୀ ଆସିଲେଣି। ଏଥିରୁ ଫ୍ରି ଟ୍ରେଡ ଡିଲକୁ ନେଇ ଇୟୁ କେତେ ଉତ୍ସାହୀ ତାହା ପ୍ରମାଣିତ ହେଉଛି।

ଯଦିଓ ଡିଲକୁ ନେଇ କଥାବାର୍ତ୍ତା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ତଥାପି କିଛି ପେଞ୍ଚ ଏବେବି ରହିଛି। ଏଥିରେ ସବୁଠୁ ବଡ଼ ପ୍ରସଙ୍ଗ ହେଉଛି କାର୍ବନ ବର୍ଡର ଆଡଜଷ୍ଟମେଣ୍ଟ ମେକାନିଜିମ (ସିବିଏଏମ) ୟୁରୋପୀୟ ୟୁନିୟନରେ ଏହା ଜାନୁୟାରୀ ୧ ତାରିଖରୁ ଲାଗୁ ହେବାକୁ ଯାଉଛି। ତେବେ ଭାରତ ଏହାକୁ ନେଇ କଡ଼ା ଆପତ୍ତି କରିଛି। ଯଦି ଏହା ଲାଗୁ ହୁଏ ତେବେ ଭାରତରୁ ରପ୍ତାନୀ ହେବାକୁ ଥିବା ଷ୍ଟିଲ, ଆଲ୍ୟୁମିନିୟମ ଓ ଅନ୍ୟ କାର୍ବନ ଇଣ୍ଟେନସିଭ ଗୁଡସ୍ ଉପରେ ମୋଟା ପରିମାଣର ଟ୍ୟାକ୍ସ ଲାଗିପାରେ। ଏହା ବଦଳେ ଇୟୁ ଭାରତରେ ତାର କାର ଓ ଷ୍ଟିଲ ନିମନ୍ତେ ମାର୍କେଟ୍ ଆକ୍ସେସ୍ ଦାବି କରୁଛି। ସେହିପରି ଭାରତ ସର୍ଭିସ ସେକ୍ଟରରେ ଇୟୁ କୋହଳ ହେଉ ବୋଲି ଚାହୁଁଛି। ହେଲେ ଏବେ ଦେଖିବାକୁ ରହିଲା ୨୬ ଜାନୁୟାରୀ ପରେଡ ପୂର୍ବରୁ ଏହି ସବୁ ପ୍ରସଙ୍ଗ ଉପରେ ସହମତି ହୋଇ ପାରୁଛି କିନା?