ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍ ୨୦୨୬ରେ ଆମେରିକାର ଷ୍ଟାର୍ ଷ୍ଟ୍ରାଇକର ଫୋଲାରିନ୍ ବାଲୋଗୁନ୍ଙ୍କୁ ନେଇ ଏଭଳି ଏକ ବିବାଦ ସୃଷ୍ଟି ହୋଇଛି, ଯାହାର ଚର୍ଚ୍ଚା ସାରା ଦୁନିଆରେ ହେଉଛି । କାରଣ ହେଉଛି ରେଡ୍ କାର୍ଡ ପରେ ମଧ୍ୟ ଫିଫାର ହଠାତ୍ ନିଷ୍ପତ୍ତି ବଦଳିବା ଏବଂ ଏଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଥିତ ଭୂମିକା ରହିବା ।

ଆମେରିକା ରାଉଣ୍ଡ ଅଫ୍ ୩୨ର ନକଆଉଟ୍ ମୁକାବିଲାରେ ବୋସନିଆ ହର୍ଜେଗୋଭିନାକୁ ୨-୦ରେ ହରାଇଥିଲା । ଏହି ମ୍ୟାଚ୍ରେ ବାଲୋଗୁନ୍ ଏକ ସୁନ୍ଦର ଗୋଲ୍ ମଧ୍ୟ କରିଥିଲେ । କିନ୍ତୁ ମ୍ୟାଚ୍ ସମୟରେ ତାଙ୍କ ଗୋଡ଼ ବୋସନିଆର ଡିଫେଣ୍ଡର ତାରିକ୍ ମୁହାରେମୋଭିଚ୍ଙ୍କ ଗୋଡ଼ରେ ବାଜିଥିଲା । ପଡ଼ିଆରେ ଥିବା ବ୍ରାଜିଲର ରେଫରି ରାଫେଲ୍ କ୍ଲସ୍ ଭିଏଆରରେ ଘଟଣାଟି ପୁଣିଥରେ ଦେଖିବାକୁ କହିଥିଲେ । ସ୍ଲୋ ମୋସନ୍ ରିପ୍ଲେ ଦେଖିବା ପରେ ରେଫରି ବାଲୋଗୁନ୍ଙ୍କୁ ସିଧାସଳଖ ରେଡ୍ କାର୍ଡ ଦେଖାଇ ଦେଇଥିଲେ ।

ଫିଫା ଦୁଇ ଦିନ ପରେ ସ୍ପଷ୍ଟ କରିଦେଇଥିଲା ଯେ ରେଡ୍ କାର୍ଡ ସଠିକ୍ ଅଟେ ଏବଂ ନିୟମ ଅନୁଯାୟୀ ବାଲୋଗୁନ୍ ପରବର୍ତ୍ତୀ ମ୍ୟାଚ୍ରେ ଖେଳିପାରିବେ ନାହିଁ । ଅର୍ଥାତ୍ ବେଲଜିୟମ ବିପକ୍ଷ ପ୍ରି-କ୍ୱାର୍ଟର ଫାଇନାଲ୍ରୁ ତାଙ୍କର ବାଦ୍ ପଡ଼ିବା ନିଶ୍ଚିତ ମନେକରାଯାଉଥିଲା ।

ରବିବାର ଫିଫା ହଠାତ୍ ନିଜର ନିଷ୍ପତ୍ତି ବଦଳାଇ ଦେଲା । ବାଲୋଗୁନ୍ ଏବେ ବେଲଜିୟମ ବିପକ୍ଷରେ ଖେଳିପାରିବେ ବୋଲି କହିଲା । ଯଦିଓ ଫିଫା ରେଡ୍ କାର୍ଡକୁ ସମ୍ପୂର୍ଣ୍ଣ ଭାବେ ଶେଷ କରିନାହିଁ । ତାହା ଏକ ବର୍ଷ ପର୍ଯ୍ୟନ୍ତ ତାଙ୍କ ରେକର୍ଡରେ ରହିବ । ଯଦି ଏହି ସମୟ ମଧ୍ୟରେ ବାଲୋଗୁନ୍ ପୁଣି ସେହିଭଳି ଗୁରୁତର ଫାଉଲ୍ କରନ୍ତି, ତେବେ ଗୋଟିଏ ମ୍ୟାଚର ବ୍ୟାନ ତୁରନ୍ତ ଲାଗୁ ହୋଇଯିବ ।

ଫିଫା ନିୟମ କେମିତି ବଦଳାଇଲା ?

ଫିଫାର ନିୟମରେ ଏକ ପ୍ରାବଧାନ ରହିଛି, ଯାହାକୁ ଆର୍ଟିକେଲ୍ ୨୭ କୁହାଯାଏ । ଏହା ଅଧୀନରେ ଫିଫାର ନ୍ୟାୟିକ ସମିତି ଯେକୌଣସି ଅନୁଶାସନଗତ ଦଣ୍ଡକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବେ ସ୍ଥଗିତ ରଖିପାରିବେ ।

ଅର୍ଥାତ୍ ସାଧାରଣ ଭାବେ ସିଧାସଳଖ ରେଡ୍ କାର୍ଡ ବିରୁଦ୍ଧରେ ଅପିଲ୍ କରାଯାଇପାରିବ ନାହିଁ, କିନ୍ତୁ ଆର୍ଟିକେଲ୍ ୨୭ ଫିଫାକୁ ବିଶେଷ ପରିସ୍ଥିତିରେ ନିଜ ନିଷ୍ପତ୍ତି ବଦଳାଇବାର ଅଧିକାର ଦେଇଥାଏ । ଫିଫା ଏହି ନିୟମର ବ୍ୟବହାର କରି ବାଲୋଗୁନଙ୍କ ପ୍ରତିବନ୍ଧକକୁ ବର୍ତ୍ତମାନ ପାଇଁ ହଟାଇ ଦେଇଛି ।

ବ୍ରିଟିଶ୍ ଖବରକାଗଜ 'ଦ ଗାର୍ଜିଆନ୍'ର ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାରରୁ ରବିବାର ମଧ୍ୟରେ ଫିଫା ଅଧିକାରୀମାନଙ୍କୁ ୩ ଥର ଫୋନ୍ କରିଥିଲେ । ଦାବି କରାଯାଉଛି ଯେ ସେ ବାଲୋଗୁନଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବାକୁ ଫିଫାକୁ କହିଥିଲେ । ହ୍ୱାଇଟ୍ ହାଉସ୍ କିମ୍ୱା ଫିଫା ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନାହିଁ । ରବିବାର ଯେତେବେଳେ ଫିଫା ନିଷ୍ପତ୍ତି ବଦଳାଇଲା, ସେତେବେଳେ ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଫିଫା ଠିକ୍ କରିଛି ବୋଲି କହିଥିଲେ ।

ଇତିହାସରେ ମଧ୍ୟ ଏଭଳି ଏକ ବଡ଼ ଉଦାହରଣ ମିଳିଥାଏ । ବ୍ରାଜିଲର ଷ୍ଟାର୍ ଫୁଟବଲର୍ ଗ୍ୟାରିଞ୍ଚାଙ୍କୁ ୧୯୬୨ ୱାର୍ଲ୍ଡ କପ୍ର ସେମିଫାଇନାଲ୍ରେ ରେଡ୍ କାର୍ଡ ମିଳିଥିଲା, କିନ୍ତୁ ଏହା ସତ୍ତ୍ୱେ ତାଙ୍କୁ ଫାଇନାଲ୍ ଖେଳିବାକୁ ଅନୁମତି ମିଳିଯାଇଥିଲା ଏବଂ ବ୍ରାଜିଲ୍ ଚାମ୍ପିଅନ୍ ହୋଇଥିଲା ।

ବାଲୋଗୁନ୍ଙ୍କୁ ରେଡ୍ କାର୍ଡ ସତ୍ତ୍ୱେ ଖେଳିବାର ସୁଯୋଗ ମିଳିବାକୁ ନେଇ ରୟାଲ୍ ବେଲଜିୟମ ଫୁଟବଲ୍ ଆସୋସିଏସନ୍ କଡ଼ା ଅସନ୍ତୋଷ ପ୍ରକାଶ କରିଛି । ବେଲଜିୟମର କହିବା କଥା ହେଉଛି ଫିଫା ନିଜ ନିୟମ ବିରୁଦ୍ଧରେ ଯାଇ ନିଷ୍ପତ୍ତି ନେଇଛି । ଦଳ ଅଭିଯୋଗ କରିଛି ଯେ ସମସ୍ତ ଦେଶକୁ ପୂର୍ବରୁ ହିଁ କୁହାଯାଇଥିଲା ଯେ ସିଧାସଳଖ ରେଡ୍ କାର୍ଡ ମିଳିଲେ ପରବର୍ତ୍ତୀ ମ୍ୟାଚରୁ ବାଦ୍ ପଡ଼ିବେ । ବେଲଜିୟମ ଏବେ ଆଇନଗତ କାର୍ଯ୍ୟାନୁଷ୍ଠାନର ବିକଳ୍ପ ଉପରେ ମଧ୍ୟ ବିଚାର କରୁଛି ।