News7 Logo

Harley-Davidson କୁ ନେଇ ମିଛୁଆ ହେଲେ ଟ୍ରମ୍ପ, ଟାରିଫ ନୁହେଁ ଏହି କାରଣରୁ ଭାରତରେ ବନ୍ଦ ହୋଇଥିଲା ବାଇକ୍

NEWS7
Harley-davidson

ନୂଆଦିଲ୍ଲୀ ୩।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାରିଫକୁ ନେଇ ପୁଣି ଥରେ ଭାରତ ଉପରେ ମିଥ୍ୟା ଆରୋପ ଲଗାଇଛନ୍ତି। ସେ କହିଛନ୍ତି ଯେ ସାରା ବିଶ୍ୱରେ ଭାରତ ସବୁଠୁ ଅଧିକ ଟାରିଫ ଲଗାଉଛି, ବଦଳରେ ଆମେରିକା ବିନା ବାଧାରେ ଭାରତୀୟ ସାମଗ୍ରୀକୁ ନିଜ ବଜାରରେ ପ୍ରବେଶ ଦେଉଛି। ସେ କହିଛନ୍ତି ଯେ ହାର୍ଲେ-ଡେଭିଡସନ ଭଳି ବାଇକ୍ କମ୍ପାନୀକୁ ଭାରତ ଛାଡି ଆସିବାକୁ ପଡିଲା। ତେବେ ଟ୍ରମ୍ପଙ୍କ ଏହି ଦାବି ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା।

ଭାରତରୁ ହାର୍ଲେ-ଡେଭିଡସନ ପଳାଇଯିବା ଟାରିଫ ସହ କୌଣସି ସମ୍ପର୍କ ନାହିଁ। ହାର୍ଲେ-ଡେଭିଡସନ ଅଗଷ୍ଟ ୨୦୦୯ରେ ତାର ଭାରତ ଅପରେସନ ଆରମ୍ଭ କରିଥିଲା ଓ ଭାରତରେ ତାର ପ୍ରଥମ ଡିଲରସିପ୍ ୨୦୧୦ରେ ଦେଇଥିଲା। ହାର୍ଲେ ପ୍ରଥମେ ଭାରତକୁ ବାଇକ୍ ଆମଦାନୀ କରୁଥିଲା, ତେବେ ପରେ ଭାରତରେ କିଛି ମଡେଲ ଆସେମ୍ବ୍ଲ କରିବା ଆରମ୍ଭ କରିଥିଲା। ତେବେ ପାଖାପାଖି ୧୦ ବର୍ଷ ପରେ ଅର୍ଥାତ ୨୦୨୦ ମସିହାରେ ହାର୍ଲେ ଭାରତ ଛାଡ ଚାଲିଯାଇଥିଲା। ହେଲେ ଭାରତ ଛାଡି ଯିବାର କାରଣ ଟାରିଫ ନଥିଲା।

ହାର୍ଲେ-ଡେଭିଡସନ ୨୦୦୯ ମସିହାରେ ଯେତେବେଳେ ଭାରତ ଆସିଲା ତାର ଅନନ୍ୟ ଡିଜାଇନ ଓ ଶକ୍ତିଶାଳୀ ଇଞ୍ଜିନ ପାଇଁ ରାତାରାତ ପ୍ରସିଦ୍ଧ ହୋଇଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ପାନୀକୁ ଭାରତରେ ଭଲ ରେସପନ୍ସ ମିଳିଥିଲା। ହେଲେ ୨୦୨୦ ମସିହା ଆସିବା ବେଳେକୁ ବାଇକ୍ ର ବିକ୍ରି ବନ୍ଦ ହୋଇଯାଇଥିଲା। ସେତେବେଳେକୁ ହାର୍ଲେ ଭାରତରେ ତାର ପ୍ରଡକ୍ସନ ମଧ୍ୟ ବନ୍ଦ କରିସାରିଥିଲା। ଏହାର କାରଣ ଥିଲା କମ୍ପାନୀର ଚାହିଦା ହ୍ରାସ। କମ୍ ବିକ୍ରି ଓ କ୍ଷତି ବଢିବା ଯୋଗୁ କମ୍ପାନୀ କମ୍ପାନୀ ଭାରତରେ କାରବାର ବନ୍ଦ କରିଥିଲା।

ଏହା କମ୍ପାନୀର ବୈଶ୍ୱିକ ରଣନୀତି ‘ରିୱାୟର’ର ଅଂଶ ବିଶେଷ ଥିଲା। ଏହି ରଣନୀତି ଅନୁସାରେ କମ୍ପାନୀ କେବଳ ବଛାବଛା ଓ ଲାଭଦାୟକ ବଜାର ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲା। ଭାରତ ବିଶ୍ୱର ସବୁଠୁ ବଡ଼ ଦୁଇଚକିଆ ବଜାର, ଏଠାରେ ପୂର୍ବରୁ ହିରୋ, ବଜାଜ ଓ ହଣ୍ଡା ଭଳି ସୁଲଭ ମୂଲ୍ୟ ବାଇକ୍ ର ବେଶ୍ ଦବଦବା ରହିଛି। ଏଥିରେ ହାର୍ଲେର ହାରାହାରି  ବାଇକ ମୂଲ୍ୟ ୫ଲକ୍ଷରୁ ଆରମ୍ଭ କରି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହୁଥିଲା। ଏହା ଅଧିକାଂଶ ଭାରତୀୟ କ୍ରେତାଙ୍କ କ୍ରୟ ଶକ୍ତିର ବାହାରେ ଥିଲା।

୨୦୧୧ ମସିହାରେ ହାର୍ଲେ ଯେତେବେଳେ ହରିୟାଣାରେ ନିଜର ପ୍ଲାଣ୍ଟ ସ୍ଥାପନା କରିଥିଲା ସେତେବେଳେ ମଧ୍ୟ ଭାରତରେ ହାର୍ଲେର ବାର୍ଷିକ ବିକ୍ରି ୩ ହଜାର ୟୁନିଟରୁ ବହୁତ କମ ଥିଲା। ଏହି ବିକ୍ରି ୨ କୋଟିର ବାଇକ ବଜାରରେ ସବୁଠୁ କମ୍ ଥିଲା। ତେବେ ଟାରିଫ ଯୋଗୁ ନୁହେଁ କମ୍ ଚାହିଦା ଓ ବ୍ୟବସାୟୀକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ ନ ପାରି ହାର୍ଲେ ଭାରତରୁ ବାହାରି ଯିବାକୁ ବାଧ୍ୟ ହୋଇଥିଲା।

ତେବେ ହାର୍ଲେ-ଡେଭିଡସନର ଭାରତ ପ୍ରତ୍ୟାବର୍ତ୍ତନ ହୋଇ ସାରିଲାଣି। ଏବେ ଭାରତରେ ହାର୍ଲେ-ଡେଭିଡସନର ସେଲସ୍ ଓ ଅପରେସନ କାମ ହିରୋ ମୋଟୋକର୍ପ କରୁଛି। ହାର୍ଲେ-ଡେଭିଡସନ ହିରୋ ମୋଟୋକର୍ପ ସହିତ ଏକ ଲାଇସେନ୍ସିଂ ବୁଝାମଣା ମାଧ୍ୟମରେ ଭାରତ ଫେରିଛି। ଏହି ପାର୍ଟନରସିପ୍ ରେ କମ୍ପାନୀ ଭାରତରେ ଏକ ସୁଲଭ ହାର୍ଲେ-ଡେଭିଡସନX440କୁ ଲଞ୍ଚ କରିଛି, ଯାହାକୁ ହିରୋ ମେନୁଫେକ୍ଚରିଂ ପ୍ଲାଣ୍ଟରେ ନିର୍ମାଣ କରାଯାଉଛି।