ପର୍ଥ: ଦ୍ରୁତ ବୋଲରଙ୍କ ଦବଦବା ସହ ମାତ୍ର ଦୁଇ ଦିନରେ ସମାପ୍ତ ହୋଇଛି ଆସେସ ସିରିଜର ପ୍ରଥମ ଟେଷ୍ଟ। ଘରୋଇ ଅଷ୍ଟ୍ରେଲିଆ ଇଂଲଣ୍ଡକୁ ୮ ଓ୍ଵିକେଟରେ ହରାଇ ଧମାକାଦାର ବିଜୟ ହାସଲ କରିଛି। ଓ୍ଵିକେଟ୍ ପତନର ଝଡ଼ ମଧ୍ୟରେ ଟ୍ରେଭିସ ହେଡଙ୍କ ବିଧ୍ଵଂସୀ ଶତକୀୟ ଇନିଂସରେ ଧରାଶାୟୀ ହୋଇଛି ଇଂଲଣ୍ଡ। ୨୦୫ ରନର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୨୮.୨ ଓଭରରେ ମାତ୍ର ୨ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ଓପନର ହେଡ୍ ୮୩ ବଲରୁ ୧୨୩ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି। ମାନର୍ସ ଲାବୁସେନ ମଧ୍ୟ ୫୧ ରନର ଅପରାଜିତ ଇନିଂସ ଖେଳିଛନ୍ତି। ବିଜୟ ସହ ଅଷ୍ଟ୍ରେଲିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି।​​​​​​​

୨୦୫ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା  ଅଷ୍ଟ୍ରେଲିଆର ଓପନର ଟ୍ରେଭିସ ହେଡ୍ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ୧୧.୩ ଓଭରେ ହେଡ୍ ଓ  ଜେକ୍ ୱେଦରାଲ୍ଡ ୭୫ ରନ ଯୋଡ଼ି ବିଜୟର ମୂଳଦୁଆ ପକାଇଥିଲେ। ଜେକ୍ ୱେଦରାଲ୍ଡ ୨୩ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ହେଡ୍ ଓ ମାର୍ନସ ଲାବୁସେନ ୨ୟ ଓ୍ଵିକେଟ୍ ପାଇଁ ଶତକୀୟ ଭାଗିଦାରୀ ଯୋଡ଼ି ଦଳକୁ ବିଜୟର ଦ୍ଵାର ଦେଶରେ ପହଞ୍ଚାଇଥିଲେ।

ଏହି ସମୟରେ ଟ୍ରେଭିସ ହେଡ ଟି-୨୦ ଶୈଳୀରେ ବ୍ୟାଟିଂ କରି ବିସ୍ଫୋରକ ଶତକ ହାସଲ କରିଥିଲେ। ହେଡଙ୍କ ଏହା ଟେଷ୍ଟ କ୍ୟାରିୟରରେ ଦଶମ ଶତକ। ହେଡ୍ ୮୩ ବଲରୁ ୧୬ ଚୌକା ଓ ୪ ଛକା ସହ ୧୨୩ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। ମାର୍ନସ ଲାବୁସେନ ୪୯ ବଲରୁ ୬ ଚୌକା ଓ ୧ ଛକା ସହ ୫୧ ରନରେ ଅପରାଜିତ ଥିଲେ।  ଷ୍ଟିଭ ସ୍ମିଥ ୨ ରନ କରି କ୍ରିଜରେ ଥିଲେ।

ଉଲ୍ଲେଖନୀୟ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ  କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ୧୭୨ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ହାରି ବ୍ରୁକ ସର୍ବାଧିକ ୫୨ ରନ କରିଥିବା ବେଳେ ଓଲି ପପ୍ ୪୬  ରନ ଓ ଜେମି ସ୍ମିଥ ୩୩ ରନ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍ ଷ୍ଟାର୍କ ୫୮ ରନ ଦେଇ  ୭ ଓ୍ଵିକେଟ୍ ନେଇଥିଲେ। ଏହା ପରେ ଅଷ୍ଟ୍ରେଲିଆ ଦୟନୀୟ ବ୍ୟାଟିଂ କରି ୧୩୨ ରନର ଅଲଆଉଟ୍ ହୋଇଥିଲା। ଫଳରେ ଭ୍ରମଣକାରୀ ଇଂଲଣ୍ଡ ୪୦ ରନ ମହତ୍ଵପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଇଂଲଣ୍ଡ ୨ୟ ଇନିଂସରେ ୧୬୪ ରନରେ ଅଲଆଉଟ୍ ହୋଇଥିଲା। ଫଳରେ ଅଷ୍ଟ୍ରେଲିଆ ସମ୍ମୁଖରେ ୨୦୫ ରନର ବିଜୟ ଲକ୍ଷ୍ୟ ରହିଥିଲା। ବୋଲରଙ୍କୁ ସୁହାଉଥିବା ପିଚରେ ଦୁଇ ଦିନରେ ପ୍ରଥମ ଟେଷ୍ଟ ସମାପ୍ତ ହୋଇଛି।