ତେହେରାନ: ଇରାନର ଶୀର୍ଷ ବାର୍ତ୍ତାକାର ତଥା ଇରାନ ସଂସଦର ଅଧ୍ୟକ୍ଷ ମହମ୍ମଦ ବାକର ଗାଲିବଫ ଶନିବାର ଯୁକ୍ତରାଷ୍ଟ୍ର ଆମେରିକାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯଦି ଆମେରିକା ‘ମୁର୍ଖତାପୂର୍ଣ୍ଣ’ ଭାବେ ଯୁଦ୍ଧକୁ ପୁଣି ଆରମ୍ଭ କରେ ତେବେ ତାକୁ ଆହୁରି ଅଧିକ କଡ଼ା ଜବାବ ଦିଆଯିବ। ସେ କହିଛନ୍ତି ଯେ ଇରାନ ସଶସ୍ତ୍ର ବଳ ଯୁଦ୍ଧବିରାମ କାଳରେ ନିଜ କ୍ଷମତାର ପୁନନିର୍ମାଣ କରିନେଇଛି। ଇରାନ ସରକାରୀ ଟେଲିଭିଜନ ଅନୁସାରେ ଗାଲିବଫ ତେହେରାନରେ ପାକିସ୍ତାନୀ ସେନାମୁଖ୍ୟ ଅସୀମ ମୁନିରଙ୍କ ସହ ଏକ ବୈଠକରେ କହିଛନ୍ତି ଯେ ଇରାନ ନିଜ ଦେଶର ଅଧିକାର ସହ କୌଣସି ବୁଝାମଣା କରିବନି।

ଇରାନ ସରକାରୀ ଗଣମାଧ୍ୟମ ଗାଲିବଫଙ୍କ ସୂତ୍ରରୁ କହିଛନ୍ତି ଯେ ‘ଯଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୁର୍ଖତାପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନରେ ପୁଣି ଯୁଦ୍ଧ ଆରମ୍ଭ ହୁଏ ଇରାନ ସଶସ୍ତ୍ର ସେନା ଯୁଦ୍ଧର ପ୍ରଥମ ଦିନ ତୁଳନାରେ ଅନେକ ଅଧିକ କଡ଼ା ଜବାବ ଦେବେ’। ଏଥି ମଧ୍ୟରେ କତାର ବିଦେଶ ମନ୍ତ୍ରାଳୟ ଏକ ବୟାନରେ କହିଛି ଯେ କତାରର ଅମୀର ଶେଖ ତମିମ ବିନ୍ ହମଦ ଅଲ ଥାନୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ କ୍ଷେତ୍ରିୟ ଉତ୍ତେଜନାକୁ ପାକିସ୍ତାନ ନେତୃତ୍ୱରେ କମ୍ କରିବାକୁ ହୋଇଥିବା କୂଟନୈତିକ ପଦକ୍ଷେପ ଉପରେ ଚର୍ଚ୍ଚା କରିବା ପାଇଁ ଟେଲିଫୋନରେ ଆଲୋଚନା କରିଛନ୍ତି।

ଅଲ ଜଜିରା ରିପୋର୍ଟ ଅନୁସାରେ ଉଭୟ ପକ୍ଷ ଉତ୍ତେଜନା ହ୍ରାସ କରିବା ଓ ସ୍ଥିରତା କାୟମ ରଖିବା ପ୍ରୟାସର ସମୀକ୍ଷା କରିଛନ୍ତି, ଯେଉଁଥିରେ ଆମେରିକା ଓ ଇରାନ ମଧ୍ୟରେ ପାକିସ୍ତାନର ମଧ୍ୟସ୍ଥତାକୁ ସମର୍ଥନ କରିବାକୁ ବିଶେଷ ଧ୍ୟାନ ଦିଆଯାଇଛି। ଏହି ଚର୍ଚ୍ଚାରେ ଏବେକା ପ୍ରସଙ୍ଗର ସମାଧାନ, ସାମୁଦ୍ରିକ ନୌ ପରିବହନ ସୁରକ୍ଷା ଓ ରଣନୈତିକ ଜଳ ମାର୍ଗର ସୁରକ୍ଷା ସହିତ ବୈଶ୍ୱିକ ଉର୍ଜା ଓ ଯୋଗାଣ ଶୃଙ୍ଖଳାର ସ୍ଥିରତା ସୁନିଶ୍ଚିତ କରିବା ଲାଗି ନିରନ୍ତର ବାର୍ତ୍ତାର ଗୁରୁତ୍ୱ ଉପରେ ଉପରେ ଜୋର ଦିଆଯାଇଛି।

ଏଥି ମଧ୍ୟରେ ଡିଜିଟାଲ ମନିଟର ନେଟ୍ ବ୍ଲକ୍ସ କହିଛି ଯେ ଇରାନରେ ଇଣ୍ଟରନେଟ୍ ବ୍ଲାକ୍ ଆଉଟ୍ ଲଗାତାର ୧୩ତମ ସପ୍ତାହକୁ ପ୍ରବେଶ କରିଛି। ଏହାଦ୍ୱାରା ବାହ୍ୟ ଜଗତରୁ ଡିଜିଟାଲ ବିଛିନ୍ନ ହେବାର ୨୦୧୬ ଘଣ୍ଟା ପାର କରିଯାଇଛି। ତେବେ ଇରାନ ଘରୋଇ ଇଣ୍ଟରନେଟ୍ ଅନେକାଂଶରେ କାର୍ଯ୍ୟକରୁଛି। ହେଲେ ବୈଶ୍ୱିକ ଇଣ୍ଟରନେଟ୍ ପର୍ଯ୍ୟନ୍ତ ପହଞ୍ଚ ଗୁରୁତର ରୂପେ ପ୍ରଭାବିତ ହୋଇଛି।