ନୂଆଦିଲ୍ଲୀ ୧।୮: ଦିଲ୍ଲୀ ଓ ଏନସିଆର ଅଞ୍ଚଳର ଲୋକେ ପୁଣି ଥରେ ଟମାଟର ମୂଲ୍ୟ ବୃଦ୍ଧିର ଶିକାର ହୋଇଛନ୍ତି। ରାଜଧାନୀର ପ୍ରମୁଖ ମଣ୍ଡି ଓ ବଜାରମାନଙ୍କରେ ଟମାଟରର ଖୁଚୁରା ମୂଲ୍ୟ ଏବେ କେଜି ପିଛା ୧୦୦ ଟଙ୍କାକୁ ପହଞ୍ଚିଛି। ଗତ ୪ ଦିନ ହେଲା ଟମାଟର ଦରରେ ୪୦-୫୦% ବୃଦ୍ଧି ରେକର୍ଡ କରାଯାଇଛି। ବ୍ୟବସାୟୀଙ୍କ ଅନୁସାରେ ବେଙ୍ଗାଲୁରୁ, ହିମାଚଳ ଓ ହରିୟାଣା ଭଳି ଉତ୍ପାଦକ ରାଜ୍ୟରେ ମୌସୁମୀ ବର୍ଷାରେ ଫସଲ ହାନୀ ହୋଇଛି। ଏଣୁ ବଜାରକୁ ଯୋଗାଣ ଆସୁନଥିବା ବେଳେ ଚାହିଦା ବଢୁଛି।
ଦିଲ୍ଲୀର ପ୍ରମୁଖ ମଣ୍ଡି ଆଜାଦପୁର, ଓଖଲା ଏବଂ ଗାଜିପୁରକୁ ଆଜିକାଲି ଠିକ୍ ରେ ଟମାଟୋ ଯୋଗାଣ ପହଞ୍ଚିପାରୁନି। ଏଣୁ ଟମାଟରର ଉଭୟ ପାଇକାରୀ ଓ ଖୁଚୁରା ବିକ୍ରିଦର ବୃଦ୍ଧି ହେଉଛି। ଆଜାଦପୁର ମଣ୍ଡିର ଜନୈକ ବ୍ୟବସାୟୀଙ୍କ ଅନୁସାରେ ଏବେ ଟମାଟର ପାଇକାରୀ ଦର କେଜି ପିଛା ୪୦ରୁ ୫୦ ଟଙ୍କା ପଡୁଛି। ହେଲେ ଖୁଚୁରା ବଜାରରେ ଟମାଟର ଦର ଏବେ ପ୍ରତି କେଜି ୧୦୦ ଟଙ୍କାରେ କାରବାର ହେଉଛି।
ହେଲେ କେବଳ ବଜାରରେ ଟମାଟୋ ନୁହେଁ ଅନ୍ୟ ସବୁଜ ପନିପରିବା ଦର ମଧ୍ୟ ବଢିଛି। ଏଥିରେ ଧନିଆ, ଫୁଲ କୋବି ସମେତ ଅନ୍ୟ ସବୁଜ ପନିପରିବା ଦର ମଧ୍ୟ ବଢିଛି। ଲକ୍ଷ୍ମୀନଗର ମାର୍କେଟର ଜନୈକ ବ୍ୟବସାୟୀ କହିଛନ୍ତି ଯେ ୩-୪ ଦିନ ପୂର୍ବେ ଆମେ ଟମାଟର କେଜି ପିଛା ୫୦ରୁ ୭୦ ଟଙ୍କା ଦରରେ କାରବାର କରୁଥିଲୁ। ହେଲେ ଏବେ ଟମାଟର ଦର ଛୁଇଁ ହେଉନି, କିଣିବୁ କେତେ ବିକିବୁ କେତେ?
ରାଜଧାନୀ ଦିଲ୍ଲୀ ଓ ଏନସିଆରରେ ଟମାଟର ଦର ବୃଦ୍ଧିକୁ ନଜରରେ ରଖି ଜାତୀୟ ଖାଉଟି ସମବାୟ ସଂଘ (ଏନସିସିଏଫ) ମୋବାଇଲ ଭ୍ୟାନ ଜରିଆରେ ଟମାଟର ବିକ୍ରି ଆରମ୍ଭ କରିଛନ୍ତି। ଏନସିସିଏଫ ମୋବାଇଲ ଭ୍ୟାନମାନଙ୍କରେ ପ୍ରତି କେଜି ଟମାଟୋ ୫୦ ଟଙ୍କା ଦରରେ ବିକ୍ରି ହେଉଛି। ଏହି ସବୁ ମୋବାଇଲ ଭ୍ୟାନ ରାଜୀବ ଚୌକ ମେଟ୍ରୋ ଷ୍ଟେସନ, ପଟେଲ ଚୌକ ମେଟ୍ରୋ ଷ୍ଟେସନ ୧ ନମ୍ବର ଗେଟ୍, ଉଦ୍ୟୋଗ ଭବନ, ନେହେରୁ ପ୍ଲେସ୍, କୃଷି ଭବନ, ହୌଜ ଖାସ୍, ସରୋଜିନୀ ନଗର ମାର୍କେଟ, ଲୋଧିକୋଲନୀ ଓ ପ୍ରେମନଗର ଆଦି ଅଞ୍ଚଳରେ ଲାଗୁଛି।
ତେବେ ଖୁଚୁରା ବଜାରରେ ଟମାଟର ଦର ଆହୁରି ବଢିପାରେ ବୋଲି ବ୍ୟବସାୟୀ ଆକଳନ କରୁଛନ୍ତି। ବ୍ୟବସାୟୀଙ୍କ ଅନୁସାରେ ବଜାର ଚାହିଦା ଅନୁରୂପ ଟମାଟର ଯୋଗାଣ ନ ପହଞ୍ଚିଲେ ମୂଲ୍ୟ ବୃଦ୍ଧି ହେବା ନିଶ୍ଚିତ। ଏଣୁ ଖୋଲା ବଜାରରେ ପ୍ରତି କେଜି ଟମାଟର ୧୩୦ରୁ ୧୫୦ ଟଙ୍କା କୁ ପହଞ୍ଚିବ ବୋଲି ସେମାନେ ଆକଳନ କରୁଛନ୍ତି।