କୋଲକାତା: ପୂର୍ବ ଉତ୍ତରବଙ୍ଗଳା ବିକାଶ ମନ୍ତ୍ରୀ ଉଦୟନ ଗୁହା ଗିରଫ ହୋଇଛନ୍ତି। ଦିନହାଟାର ପୂର୍ବତନ ତୃଣମୂଳ କଂଗ୍ରେସ ବିଧାୟକଙ୍କୁ କୋଲକାତାର ଫୁଲବାଗାନସ୍ଥିତ ତାଙ୍କ ବାସଭବନରୁ ଦିନହାଟା ଥାନା ପୋଲିସ ଗିରଫ କରିଛି। ସୂଚନା ଅନୁସାରେ ‘ହାଉସିଂ ଫର ଅଲ’ ପ୍ରକଳ୍ପରେ ହିତାଧିକାରୀଙ୍କୁ ଘର ଦେବା ନାମରେ ଅତିରିକ୍ତ ଟଙ୍କା ଅସୁଲ ମାମଲାରେ ତାଙ୍କୁ ଗିରଫ କରାଯାଇଛି।

ପୂର୍ବତନମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ମଧ୍ୟ ରହିଛି। ସୂଚନା ଅନୁସାରେ ନିର୍ବାଚନ ପରବର୍ତ୍ତି ହିଂସା, ଧମକ ଦେବା ଓ ଦୁର୍ନୀତି ସମେତ ଅନ୍ୟ ଅଭିଯୋଗ ଥିବା କଥା ମଧ୍ୟ କୁହାଯାଉଛି। ଦିନହାଟାର ବାଇଁଦାଦା ଅଞ୍ଚଳର ଲୋକଙ୍କୁ ଘର ଦେବା ନାମରେ ନଗର ପାଳିକା ଦ୍ୱାରା ଅତିରିକ୍ତ ୨୦ ହଜାର ଟଙ୍କା ଆଦାୟ କରାଯାଇଥିଲା। ସେ ସମୟରେ ଉଦୟନ ଗୁହା ନଗରପାଳିକା ଚେୟାରମ୍ୟାନ ଥିଲେ। ଦିନହାଟା ଥାନା ସୂତ୍ର ଅନୁସାରେ ମଙ୍ଗଳବାର ସକାଳେ ଦିନହାଟା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ କୋଲାକାତା ପହଞ୍ଚିଥିଲା ଓ ଫୁଲବାଗାନ ଅଞ୍ଚଳରୁ ପୂର୍ବତନ ମନ୍ତ୍ରୀଙ୍କୁ ଗିରଫ କରିଥିଲା।

ଉଲ୍ଲେଖଯୋଗ୍ୟ ଯେ ମେ ୪ ତାରିଖ ଦିନ ଦିନହାଟା ବିଧାନସଭା ଆସନରେ ବିଜେପି ପ୍ରାର୍ଥୀଙ୍କ ଠାରୁ ନିର୍ବାଚନ ହାରିବା ପରଠାରୁ ଉଦୟନ ଦିନହାଟା ଛାଡି ଦେଇଥିଲେ ଓ ସେ ସେବେଠାରୁ କୋଲକାତାରେ ରହୁଥିଲେ। ଗତ କିଛି ଦିନ ହେଲା ସାର୍ବଜନିକ ଭାବେ ତାଙ୍କୁ ଦେଖା ଯାଉ ନଥିଲା। ତେବେ ପୋଲିସକୁ ତାଙ୍କୁ ବେସି ଖୋଜା ଖୋଜି କରିବାକୁ ପଡି ନାହିଁ। ଫୁଲବାଗାନସ୍ଥିତ ବାସଭବନକୁ ପହଞ୍ଚି ପୋଲିସ ତାଙ୍କୁ ଗିରଫ କରିଛି। ଉଦୟନ ପୂର୍ବରୁ ଫରୱାର୍ଡ ବ୍ଲକ୍ ରେ ବିଧାୟକ ଥିଲେ ପରେ ସେ ଟିଏମସିରେ ଯୋଗ ଦେଇଥିଲେ।