ଜଗତସିଂହପୁର ୮।୩: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ତହସିଲଦାରଙ୍କ କାର୍ଯ୍ୟକଳାପକୁ ନେଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖି ସୁପାରିସ କରିଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ତିର୍ତ୍ତୋଲ ଅଞ୍ଚଳରେ ବେଆଇନ ଇଟାଭାଟି ଉଚ୍ଛେଦରେ ଅହେତୁକ ବିଳମ୍ବକୁ ନେଇ ତିର୍ତ୍ତୋଲ ତହସିଲଦାରଙ୍କ ଉପରେ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିଛନ୍ତି । ତିର୍ତ୍ତୋଲ ତହସିଲଦାର ମହେଶ୍ବର ବେହେରା ଉପରିସ୍ଥ ଅଧିକାରୀଙ୍କ ଆଦେଶକୁ ଅଣଦେଖା କରିଥିବା ଚିଠିରେ ଦର୍ଶାଯାଇଛି । ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଚିଠି ହୋଇଛି ।

ଏ ଖବର ବି ପଢ଼ନ୍ତୁ:- ମୋକିମ୍‌ଙ୍କ ନୂଆ ଦଳର ନାଁ 'ଓଡ଼ିଶା ଜନତା କଂଗ୍ରେସ', ଜାରି ହେଲା ଦଳୀୟ ପତାକାର ଚିତ୍ର

ତିର୍ତ୍ତୋଲ ଅଞ୍ଚଳରେ ଅନେକ ବେଆଇନ ଇଟାଭାଟି ରହିଛି । ଯାହାର ଅନେକ ଅଭିଯୋଗ ଜିଲ୍ଲାପାଳଙ୍କର ହସ୍ତଗତ ହୋଇଛି । ଅନେକ ଇଟାଭାଟି ମାଲିକ ମାନେ ସରକାରୀ ଜାଗାକୁ ଜବରଦଖଲ କରି ସମସ୍ତ ନିୟମକୁ ଉଲ୍ଲଂଘନ କରିବାର ପ୍ରମାଣ ମିଳିଛି । ତିର୍ତ୍ତୋଲ ଅଞ୍ଚଳରେ ଅନେକ ବେଆଇନ ଇଟାଭାଟିକୁ ଭାଙ୍ଗିବା ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ପ୍ରଶାସନର ନିୟମକୁ ଅବମାନନା କରିଥିବାରୁ ତାଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠିରେ ଦର୍ଶାଯାଇଛି ।

​​​​​​​ଏ ଖବର ବି ପଢ଼ନ୍ତୁ:- ସମ୍ବଲପୁରରେ ଖୁବ୍‌ଶୀଘ୍ର ପ୍ରତିଷ୍ଠା ହେବ ସିଜିଏଚ୍ଏସ୍ ହେଲଥ୍ ୱେଲନେସ୍ ସେଣ୍ଟର

ସେହିପରି ତିର୍ତ୍ତୋଲ ରାଜସ୍ୱ ନୀରିକ୍ଷକଙ୍କ ବିରୁଦ୍ଧରେ ମଧ୍ୟ ସମାନ ଅଭିଯୋଗକୁ ନେଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି ।