କଟକ ୮।୩: ରାଜ୍ୟରେ ପୁଣି ଏକ ନୂଆ ରାଜନୈତିକ ଦଳର ଅଭ୍ୟୁଦୟ । 'ଓଡ଼ିଶା ଜନତା କଂଗ୍ରେସ ' ଭାବେ ଉଭା ହୋଇଥିବା ଏହି ନୂଆ ଆଞ୍ଚଳିକ ରାଜନୈତିକ ଦଳର ସାରଥି ହେଉଛନ୍ତି ମହମ୍ମଦ ମୋକିମ୍ । ମହମ୍ମଦ ମୋକିମ୍ କଟକରେ ନିଜ ବାସଭବନରେ ଏ ସମ୍ପର୍କରେ ସୂଚନା ଦେବା ସହ ଦଳୀୟ ପତାକାକୁ ମଧ୍ୟ ଗଣମାଧ୍ୟମ ସମ୍ମୁଖରେ ପ୍ରଦର୍ଶନ କରିଛନ୍ତି । ଲୋକଙ୍କ ଭିତରେ ଶୀଘ୍ର ପରିଚୟ ଓ ଗ୍ରହଣୀୟତା ସୃଷ୍ଟି କରିବା ପାଇଁ ଦଳର ନାଁରେ 'ଜନତା' ଓ 'କଂଗ୍ରେସ' ଶବ୍ଦ ଯୋଡା ଯାଇଛି ବୋଲି ମୋକିମ୍ କହିଛନ୍ତି । ଦଳୀୟ ଚିହ୍ନ ନେଇ ଏବେ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟରେ ପ୍ରକ୍ରିୟା ଜାରି ରହିଛି । ଦଳ ନିଜ ଚିହ୍ନରେ ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନ ଲଢ଼ିବ ବୋଲି ମୋକିମ୍ କହିଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ମହିଳା ଦିବସରେ ସରକାରଙ୍କୁ ନବୀନଙ୍କ ଟାର୍ଗେଟ୍ : ଏ ସରକାରରେ ମାଆ ମାନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି, ଶୁଣିବାକୁ କେହି ନାହିଁ

ମୋକିମ୍‌ଙ୍କ ନୂଆ ରାଜନୈତିକ ଦଳର ପତାକାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ଦଳୀୟ ପତାକାର ଉପର ଭାଗ ହଳଦିଆ ରଙ୍ଗ ହୋଇଥିବା ବେଳେ ମଝିରେ ଧଳା ଓ ତଳେ ନୀଳ ରଙ୍ଗ ରହିଛି । ମୋକିମ୍‌ଙ୍କ କହିବା ଅନୁସାରେ ଦଳୀୟ ପତାକାରେ ହଳଦିଆ ରଙ୍ଗ ଯୁବ ଶକ୍ତି, ସାମର୍ଥ୍ୟକୁ ଦର୍ଶାଉଛି । ସେହିପରି ପତାକାର ଧଳା ରଙ୍ଗ ପାରଦର୍ଶୀ ଶାସନ ଓ ନୀଳ ରଙ୍ଗ ସଶକ୍ତ ଏବଂ ଦଳିତ ସ୍ବାର୍ଥକୁ ଦର୍ଶାଉଛି ବୋଲି ମୋକିମ୍ କହିଛନ୍ତି । ନୂଆ ଯୁବକଙ୍କୁ ଓ ଯୁବଶକ୍ତିକୁ ଦଳରେ ପ୍ରାଧାନ୍ୟ ଦିଆଯିବ । ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଯୋଗାଇ ଦେବା ପାଇଁ ଓଡ଼ିଶା ଜନତା କଂଗ୍ରେସର ଅଭ୍ୟୁଦୟ ବୋଲି ମୋକିମ୍ କହିଛନ୍ତି । ଦଳକୁ ବିଭିନ୍ନ ସ୍ତରରୁ ବ୍ୟାପକ ସମର୍ଥନ ମିଳୁଛି । ଆସନ୍ତା ୨୨ରେ ଯାଜପୁରରେ ଏକ ବଡ଼ ସମାବେଶରେ ଦଳରେ ଶତାଧିକ ଯୁବକ, ଯୁବତୀ ଓ ବ୍ୟକ୍ତି ବିଶେଷ ଯୋଗ ଦେବେ ବୋଲି ମୋକିମ୍‌ ସୂଚନା ଦେଇଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ଅନ୍ତର୍ଜାତୀୟ ମହିଳା ଦିବସରେ ମିଳିବ ‘ସୁଭଦ୍ରା’ ଟଙ୍କା, ଖାତାକୁ ଆସିବ କିସ୍ତି

ଏପ୍ରିଲ ପ୍ରଥମାର୍ଦ୍ଧରେ ଦଳର ପ୍ରଥମ ସମାବେଶ ଭୁବନେଶ୍ବରରେ ଆୟୋଜିତ ହେବ । ଏହି ସମାବେଶରେ ଦଳର ରୁପରେଖ ଆହୁରି ସ୍ପଷ୍ଟ ହେବ ବୋଲି ମୋକିମ୍ ସୂଚନା ଦେଇଛନ୍ତି ।