LIVE TV

ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଜଣଙ୍କୁ ବାନ୍ଧିଲା ପୋଲିସ

NEWS7
break

ଭୋଗରାଇ ୧୨।୧୦ : ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳର ପୀଡ଼ିତା ଜଣଙ୍କ ପଶ୍ଚିମବଙ୍ଗ ଦୁର୍ଗାପୁର ସ୍ଥିତ ଏକ ଘରୋଇ ମେଡିକାଲ କଲେଜରେ ଦ୍ବିତୀୟ ବର୍ଷର ଛାତ୍ରୀ। ଗଣଦୁଷ୍କର୍ମ ନେଇ ଛାତ୍ରୀଙ୍କ ମାଆ ଦୁର୍ଗାପୁର ନ୍ୟୁଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ଗତ ୧୦ ତାରିଖ ରାତି ସାଢ଼େ ୮ ସମୟରେ ଜଣେ ପୁରୁଷବନ୍ଧୁ ତାଙ୍କୁ କଲେଜ ଫାଟକ ନିକଟରେ ଥିବା ଷ୍ଟଲ୍ କୁ ଗୁପ୍ ଚୁପ୍ ଖାଇବାକୁ ଡାକିଥିଲେ। ଏହାପରେ, ପୁରୁଷବନ୍ଧୁ ଜଣକ ତାଙ୍କୁ ଆଗକୁ ଆଉ କିଛି ବାଟ ଯିବା ପାଇଁ କହିଥିଲେ। ଉଭୟ କଲେଜକୁ ସଂଯୋଗ କରୁଥିବା ଜଙ୍ଗଲ ରାସ୍ତାରେ ୩ ଶହ ମିଟର ଚାଲିଚାଲି ଯାଇଥିଲେ। ଏହି ସମୟରେ କିଛି ଯୁବକ ସେମାନଙ୍କ ପିଛା କରୁଥିଲେ। ହଠାତ୍ ପୁରୁଷ ବନ୍ଧୁ ଜଣକ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲେ। ଏହି ସମୟରେ ପିଛା କରୁଥିବା ଯୁବକମାନେ ପୀଡ଼ିତାଙ୍କୁ ଘଞ୍ଚ ଜଙ୍ଗଲ ଭିତରକୁ ଟେକିନେଇ ଦୁଷ୍କର୍ମ କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପୀଡ଼ିତାଙ୍କୁ ମେଡିକାଲ କଲେଜ ଆଇସିୟୁରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଦୁର୍ଗାପୁର ପୁଲିସ ପହଞ୍ଚି ତଦନ୍ତ କରୁଛି। ପୋଲିସ ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିବା ସହ ସେହି ଅଞ୍ଚଳର ଭିଡିଓଗ୍ରାଫି କରିଛି। ପୋଲିସ ମେଡିକାଲ କଲେଜର କର୍ମଚାରୀ ଏବଂ ପୀଡ଼ିତାଙ୍କ ବନ୍ଧୁ ସମେତ ଅନ୍ୟ ବ୍ୟକ୍ତିଙ୍କୁ ପଚରାଉଚରା କରିଛି। ଆଉ ଏବେ ପୋଲିସ ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ପୀଡ଼ିତା ମାନସିକ ଓ ଶାରୀରିକ ଭାବେ ଆଘାତ ପାଇଥିବାରୁ ସେ ସାମାନ୍ୟ ସୁସ୍ଥ ଅନୁଭବ କଲାପରେ ବୟାନ ରେକର୍ଡ କରାଯିବ ବୋଲି ପଶ୍ଚିମବଙ୍ଗ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ପଶ୍ଚିମବଙ୍ଗ ସରକାର ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଏକ ୯ ଜଣିଆ ସ୍ପେସାଲ୍ ଇନଭେଷ୍ଟିଗେସନ୍ ଟିମ୍ ଗଠନ କରିଛନ୍ତି। ଛାତ୍ରୀଙ୍କ ବାପାମା’ ଦୁର୍ଗାପୁରରେ ପହଞ୍ଚି ଝିଅ ପାଖରେ ରହିଛନ୍ତି। ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ନିନ୍ଦା କରିଛନ୍ତି।

ସେପଟେ ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ପୀଡ଼ିତାଙ୍କ ବାପାଙ୍କ ସହ ଫୋନ୍ ରେ କଥା ହୋଇ ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଛନ୍ତି ଯେ ଓଡ଼ିଆ ଛାତ୍ରୀଙ୍କ ସହ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡ଼ାଦାୟକ। ଏହି ଖବର ଶୁଣି ମୁଁ ମର୍ମାହତ। ଏହି ସମ୍ବେଦନଶୀଳ ଘଟଣାରେ, ଅଭିଯୁକ୍ତମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟରେ ଦୃଢ଼ ଦାବି ଜଣାଉଛି। ପରିବାରବର୍ଗଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ।