ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ଆସନ୍ତାକାଲିଠୁ ଆରମ୍ଭ ହେଉଛି। ଉଦଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ଆଫଗାନିସ୍ତାନ ଓ ହଂକଂ। ସେପ୍ଟେମ୍ବର ୧୦ରେ ୟୁଏଇ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ। ଭାରତ ତୁଳନାରେ ୟୁଏଇ ଦୁର୍ବଳ ଥିଲେ ହେଁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ କୋଚ୍ ଗୌତମ ଗମ୍ଭୀରଙ୍କ ସାମ୍ନାରେ ଚୂଡ଼ାନ୍ତ ଏକାଦଶକୁ ନେଇ ବଡ଼ ପ୍ରଶ୍ନ ରହିବ। ଏହି ଖେଳାଳିଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯିବ କିଏ ବାଦ୍ ପଡ଼ିବେ ତାକୁ ନେଇ ଅକଳରେ ପଡ଼ି ପାରନ୍ତି ଦଳ ପ୍ରବନ୍ଧକ।

ସଞ୍ଜୁ ସାମସନ ବନାମ ଜିତେଶ ଶର୍ମା

ସଞ୍ଜୁ ସାମସନ ସାଧାରଣତଃ ଓପନିଂ ବ୍ୟାଟର। ମାତ୍ର ତାଙ୍କ ସ୍ଥାନରେ ଶୁଭମନ ଗିଲ୍ ଖେଳିବା ନିଶ୍ଚିତ। ଏହା ପରେ ନମ୍ବର ୩ରେ ତିଳକ ବର୍ମା ଖେଳିବେ। ଏମିତି ସ୍ଥିତିରେ ସଞ୍ଜୁଙ୍କୁ ମଧ୍ୟକ୍ରମରେ ବ୍ୟାଟିଂ କରିବାକୁ ପଡ଼ିବ। ତାଙ୍କ ବିପରୀତ ଅଛନ୍ତି ଜିତେଶ ଶର୍ମା। ଏହି ବ୍ୟାଟରଙ୍କ ଭୂମିକା ଫିନିସରଙ୍କ ପରି ରହିଛି। ସେ ଆଇପିଏଲ୍ ୨୦୨୫ରେ ଦମଦାର ପ୍ରଦର୍ଶନ କରିଛନ୍ତି। ଏବେ ଦେଖିବାକୁ ପଡ଼ିବ ସୂର୍ଯ୍ୟା ଜିତେଶ ନା ସଞ୍ଜୁ କାହାକୁ ଚୟନ କରିବେ।

ବୁମରାଙ୍କୁ ମିଳିବ ବିଶ୍ରାମ !

ବୁମରା ୨୦୨୪ ଟି-୨୦ ବିଶ୍ଵକପ ପରଠୁ ଆଉ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାନ୍ତି। ଦେଖିବାକୁ ପଡ଼ିବ ଯେ ବୁମରା ୟୁଏଇ ବିପକ୍ଷ ମ୍ୟାଚ୍ ଖେଳିବେ ନା ସିଧାସଳଖ ପାକିସ୍ତାନ ବିପକ୍ଷରେ ମଇଦାନକୁ ଓହ୍ଲାଇବେ। ଭାରତ ପାଖରେ ଅର୍ଶଦୀପ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା ଓ ହର୍ଷିତ ରାଣାଙ୍କ ପରି ବିକଳ୍ପ ରହିଛନ୍ତି।

ରିଙ୍କୁ ବନାମ ଶିବମ ଦୁବେ

ଫିନିଶର ଭୂମିକାରେ ରିଙ୍କୁ ସିଂ ଓ ଶିବମ ଦୁବେଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ। ଶିବମଙ୍କ ପାଖରେ ବ୍ୟାଟିଂ ସହ ବୋଲିଂର ବିକଳ୍ପ  ରହିଛି। ରିଙ୍କୁ ନିକଟରେ ୟୁପି ଟି-୨୦ରେ ଫର୍ମକୁ ଫେରିଛନ୍ତି।  ଦୁବେଙ୍କ ଅଲରାଉଣ୍ଡର କ୍ଷମତା ତାଙ୍କୁ ଉପରେ ରଖିପାରେ। ମାତ୍ର ଦୁବାଇ ପିଚ୍ ହିସାବରେ ଚୂଡ଼ାନ୍ତ ଏକାଦଶରେ ଦୁଇ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ।

ଭାରତୀୟ ଦଳ

ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଶୁଭମନ ଗିଲ୍(ଉପଅଧିନାୟକ), ଅଭିଷେକ ଶର୍ମା, ତିଳକ ବର୍ମା, ଜିତେଶ ଶର୍ମା(ଓ୍ଵିକେଟ୍ କିପର), ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ରିଙ୍କୁ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଯଶପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ହର୍ଷିତ ରାଣା।

ଷ୍ଟାଣ୍ଡବାଇ ଖେଳାଳିପ୍ରସିଦ୍ଧ କୃଷ୍ଣା, ଓ୍ଵାଶିଂଟନ ସୁନ୍ଦର, ଧ୍ରୁବ ଜୁରେଲ, ରିୟାନ ପରାଗ, ଯଶସ୍ଵୀ ଜୟସ୍ଵାଲ