LIVE TV

ଫୃଟ ଡ୍ରିଙ୍କ, ରିଭଲଭର, ବାଇକ, ହେଲିକପ୍ଟର ଏହି ୯ ସାମଗ୍ରୀ ସେପ୍ଟେମ୍ବର ୨୨ରୁ ହୋଇଯିବ ମହଙ୍ଗା, ଦେଖନ୍ତୁ ଲିଷ୍ଟ

NEWS7
gfx

ନୂଆଦିଲ୍ଲୀ ୨୧।୯: ଯଦି ଆପଣ ଫୃଟ ଡ୍ରିଙ୍କ ସଉକ ରଖୁଥାନ୍ତି ଅଥବା ଲଗଜରୀ ବାଇକ୍ କିଣିବାର ଯୋଜନାରେ ଥାନ୍ତି ତେବେ ଏହି ଖବର ଆପଣଙ୍କ ଲାଗି। ସେପ୍ଟେମ୍ବର ୨୨ରୁ ସରକାର ଅନେକ ସାମଗ୍ରୀ ଉପରେ ଶୁଳ୍କ ବଢାଇ ଦେଇଛନ୍ତି। ଏହାର ସିଧା ପ୍ରଭାବ ଆପଣଙ୍କ ପକେଟ ଉପରେ ପଡିବ। କାରଣ ଏହି ସବୁ ସାମଗ୍ରୀର ଦାମ ଏବେ ବଢିଯିବ। ଏଥିରେ ସବୁଠୁ ବଡ଼ ଝଟକା ପେୟ ପଦାର୍ଥ ଯୋଗୁ ଲାଗିବ।

ଏବେ ସବୁ ପ୍ରକାର ଫ୍ଲେଭର୍ଡ ଓ ମିଠା ପାଣି, ନନ ଆଲକୋହଲିକ ଡ୍ରିଂକ୍, ପ୍ଲାଣ୍ଟ ବେସଡ୍ ମିଲ୍ସ ଡ୍ରିଂକ୍ ଓ କେଫିନ ଯୁକ୍ତ ଡ୍ରିଂକ ଉପରେ ୧୮-୨୮% ଶୁଳ୍କ ବଢି ୪୦% ହୋଇଯାଇଛି। ଅର୍ଥାତ ଏବେ କୋଲ୍ଡ ଡ୍ରିଂକରୁ ଆରମ୍ଭ କରି ଏନର୍ଜୀ ଡ୍ରିଂକ୍ ପର୍ଯ୍ୟନ୍ତ ସବୁ ମହଙ୍ଗା ହୋଇଯିବ। କେବଳ ଏତିକି ନୁହେଁ ୩୫୦ ସିସିରୁ ଅଧିକ ସିସିର ମୋଟର ସାଇକେଲ କିଣିବାକୁ ଯୋଜନା କରୁଥିଲେ ଏବେ ଏହା ଉପରେ ମଧ୍ୟ ୪୦% ଶୁଳ୍କ ଦେବାକୁ ପଡିବ। ଏହି ହାରରେ ଟ୍ୟାକ୍ସ ଏବେ ରିଭଲଭର, ପିସ୍ତଲ, ୟାଟ୍, ଲଗଜରୀ ସିପ୍, ପ୍ରାଇଭେଟ ଜେଟ୍ ଓ ହେଲିକପ୍ଟର ଭଳି ଜିନିଷ ଉପରେ ଲାଗୁ ହେବ। ପୂର୍ବରୁ ଏପରି ସାମଗ୍ରୀ ଉପରେ ୨୮% ଶୁଳ୍କ ଲାଗୁ ହେଉଥିଲା।

ସରକାରଙ୍କ କହିବା କଥା ହେଉଛି ଏହି ଶୁଳ୍କ ବୃଦ୍ଧି ଲଗଜରୀ ଓ ନନ ଇସେନସିଆଲ ସାମାନ ଉପରେ କରାଯାଇଛି। ଏହା ଦ୍ୱାରା ରାଜସ୍ୱ ବଢିବ ଓ ଅତ୍ୟାବଶ୍ୟକ ସାମଗ୍ରୀ ଶସ୍ତା ହେବ। ତେବେ ସାଧାରଣ ଲୋକଙ୍କ ଲାଗି ଏବେ କୋଲ୍ଡ ଡ୍ରିଂକ ଓ ଉଚ୍ଚ କ୍ଷମତା ସମ୍ପନ୍ନ ଇଞ୍ଜିନର ବାଇକ୍ କିଣିବା ମହଙ୍ଗା ହେବ। ସେପ୍ଟେମ୍ବର ୨୨ରୁ କାର ଉପରେ ମଧ୍ୟ ୪୦% ଶୁଳ୍କ ଲାଗୁ ହେବ। ଏହା ସତ୍ତ୍ୱେ କାର ପୂର୍ବାପେକ୍ଷା ଶସ୍ତା ରହିବ। ରିପୋର୍ଟ ଅନୁସାରେ ଏ ପର୍ଯ୍ୟନ୍ତ ଲଗଜରୀ କାର ଉପରେ ୨୮% ଜିଏସଟି ଓ ୨୨% ସେସ୍ ଲାଗୁ ହେଉଛି, ଯାହା ମିଶି ମୋଟ ୫୦% ହୋଇଯାଉଛି। ତେବେ ସେପ୍ଟେମ୍ବପ ୨୨ରୁ ସେସ୍ ସମାପ୍ତ ହୋଇଯିବ। ହେଲେ ଜିଏସଟି ୨୮%ରୁ ବଢି ୪୦% ହୋଇଯିବ।

ଏଣୁ କାର ରେଟ ଉପରେ ଶୁଳ୍କ ୧୦% ପର୍ଯ୍ୟନ୍ତ ହ୍ରାସ ହେବ। ଉଲ୍ଲେଖଯୋଗ୍ୟ ଯେ ୩ ସେପ୍ଟେମ୍ବର ଜିଏସଟି କାଉନସିଲ ମିଟିଂରେ ଏ ପର୍ଯ୍ୟନ୍ତ ପ୍ରଚଳିତ ଜିଏସଟିର ୪ଟି ସ୍ଲାବକୁ ସମାପ୍ତ କରି ୫ ଓ ୧୨% କରିଦିଆଯାଇଛି। ତେବେ ବିଳାଶିତା ଓ  ପାନମସଲା, ଗୁଟଖା ଆଦି ସାମଗ୍ରୀ ଉପରେ ସର୍ବାଧିକ ୪୦% ଶୁଳ୍କ ଲାଗୁ କରାଯାଇଛି। ସରକାର ଭାବୁଛନ୍ତି ଏଥିରେ ସାଧାରଣ ଉପଭୋକ୍ତାଙ୍କ ଉପରେ ଏତେ ଶୁଳ୍କ ଚାପ ପଡିବ ନାହିଁ।