News7 Logo

ପାକିସ୍ତାନଠୁ ଭଡ଼ାରେ ପରମାଣୁ ବୋମା ନେଲା ସାଉଦୀ ଆରବ? ଡିଫେନ୍ସ ଡିଲରେ ପୁରା ହେଲା ସୁନି ଦେଶର ଇଛା

NEWS7
gfx

ରିୟାଦ ୧୮।୯: ସାଉଦୀ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଏକ ଏପରି ବୁଝାମଣାରେ ସ୍ୱାକ୍ଷର କରିଛନ୍ତି ଯାହା ମଧ୍ୟ ପ୍ରାଚ୍ୟରେ ବଡ଼ ପରିବର୍ତ୍ତନର ସଂକେତ ଦେଉଛି। ରିୟାଦ ଓ ଇସ୍ଲାମାବାଦ ପାରସ୍ପରିକ ରକ୍ଷା ବୁଝାମଣା କରିଛନ୍ତି, ଯାହାକୁ ନାଟୋ ଭଳି ସାମରିକ ମେଣ୍ଟ ବୋଲି ଏବେ କୁହାଯାଉଛି। ତେବେ ଏହା ନାଟୋ ଭଳି ଅନେକ ଦେଶଙ୍କ ମଧ୍ୟରେ ନ ହୋଇ କେବଳ ଦୁଇ ଦେଶଙ୍କ ମଧ୍ୟରେ ହୋଇଛି, ହେଲେ ଏହାର ପ୍ରକୃତି ସମାନ।

ପାକିସ୍ତାନ-ସାଉଦୀ ଆରବ ପ୍ରତିରକ୍ଷା ବୁଝାମଣାରେ କୁହାଯାଇଛି ଯେ କୌଣସି ଏକ ଦେଶ ଉପରେ ଆକ୍ରମଣକୁ ଦୁଇ ଦେଶଙ୍କ ଉପରେ ଆକ୍ରମଣ ମନେ କରାଯିବ। ଏହା ନାଟୋର ଅନୁଚ୍ଛେଦ ୫ ଭଳି ଲାଗୁଛି, ଯେଉଁଥିରେ ସଦସ୍ୟ ଦେଶ ଜଣେ ଜଣକର ସୁରକ୍ଷାର ପ୍ରତିଶ୍ରୁତି ଦେଉଛି। ଏହି ବୁଝାମଣାର ଆଉ ଏକ ଖାସ କଥା ଯାହା ତାହା ହେଉଛି ଏହା ପାକିସ୍ତାନର ୧୭୦ ପରମାଣୁ ବୋମା ଆଡକୁ ଇସାରା କରୁଛି, ଯାହା ସାଉଦୀ ଆରବ ଦୀର୍ଘ ବର୍ଷରୁ ଚାହୁଁଥିଲା।

ଏଥିରୁ ଏବେ ପ୍ରଶ୍ନ ଉଠୁଛି ସାଉଦୀ ଆରବ ବିନା ପରମାଣୁ ପରୀକ୍ଷାରେ ଆଣବିକ ଅସ୍ତ୍ର ହାସଲ କରିଛି? ନା ସାଉଦୀ ଆରବ ପାକିସ୍ତାନର ପରମାଣୁ କବଚକୁ ଭଡ଼ାରେ ନେଇଛି? ୟୁରେସିୟନ ଟାଇମ୍ସ ରିପୋର୍ଟରେ ଏହାକୁ ଏକ ଚତୁର ଚାଲ ବୋଲି କୁହାଯାଇଛି, ଯାହା ବିଶ୍ୱର ଇସ୍ଲାମୀ ଦେଶମାନଙ୍କୁ ଯୋଡି ପାରିବ। ଖାସ କରି ଏପରି ସମୟରେ ଯେତେବେଳେ କତାର ଉପରେ ଇସ୍ରାଏଲର ବିମାନ ଆକ୍ରମଣ ପରେ ଆମେରିକାର ସୁରକ୍ଷାକୁ ନେଇ ଉପସାଗରୀୟ ଦେଶଙ୍କ ଭରସା ଦୋହଲି ଯାଇଛି।

ଦୋହା ଉପରେ ଆକ୍ରମଣ ପରେ ପାକିସ୍ତାନ ନାଟୋ ଭଳି ଇସ୍ଲାମୀ ଦେଶଙ୍କ ସାମରିକ ମେଣ୍ଟ ଗଠନ ଓକିଲାତି କରିଥିଲା। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଖୋଲାଖୋଲି ଏହା କହିଥିଲେ। ଏଥିରେ ସାଉଦୀ ଆରବ ଓ ପାକିସ୍ତାନ ଗତ ୫୦ ବର୍ଷ ହେଲା ପରସ୍ପର ସହଯୋଗୀ ଅଛନ୍ତି। ସାଉଦୀ ଆରବ ପାକିସ୍ତାନକୁ ସୈନ୍ୟ ଓ ଆର୍ଥିକ ସହାୟତା ବାବଦେ ବିପୁଳ ବ୍ୟୟ କରୁଛି। ୧୯୮୦ ଦଶକରୁ ସାଉଦୀ ଆରବ ଏ ବାବଦେ ୩୦ ବିଲିୟନ ଡଲାରରୁ ଅଧିକ ଦେଇସାରିଲାଣି। ଏହା ବଦଳେ ପାକିସ୍ତାନ ମକ୍କା ଓ ମଦିନା ସୁରକ୍ଷା ଲାଗି ସୈନିକ ପଠାଉଛି।

୧୯୭୧ ମସିହାରେ ଭାରତଠାରୁ ସୋଚନୀୟ ପରାସ୍ତ ହୋଇ ପୂର୍ବ ପାକିସ୍ତାନ(ଏବେକା ବାଂଲାଦେଶ) ହରାଇବା ପରେ ପାକିସ୍ତାନ ପରମାଣୁ ବୋମା ହାସଲ କରିବାକୁ ଉଦ୍ୟମ ଆରମ୍ଭ କରିଥିଲା। ହେଲେ ଏଥି ପାଇଁ ପାକିସ୍ତାନର ଧନ ନଥିଲା।  ଏଣୁ ଗୋଟିଏ ପଟେ ଇରାକ ଓ ଅନ୍ୟ ପଟେ ଇରାନ ଭଳି ଶତ୍ରୁ ଘେରି ରହିଥିବା ସାଉଦୀ ଆରବକୁ ମଜଭୁତ ସୁନ୍ନି ସହଯୋଗୀର ଆବଶ୍ୟକତା ଥିଲା। ଏହି କାରଣରୁ ସାଉଦୀ ଆରବ ପାକିସ୍ତାନର ପରମାଣୁ କାର୍ଯ୍ୟକ୍ରମରୁ ପଇସା ଯୋଗାଇ ଦେଇଥିଲା।

ସାଉଦୀ ଆରବକୁ ବିପଦ ପଡିଲେ ପାକିସ୍ତାନ ଅସ୍ତ୍ରଶସ୍ତ୍ର ସହାୟତା କରିବାର ଏକ ଗୋପନ ବୁଝାମଣାରେ ଏହି ପଇସା ଦିଆନିଆ ହେଉଥିଲା। ପାକିସ୍ତାନ-ସାଉଦୀ ଗୋପନ ପରମାଣୁ ଡିଲ ନେଇ ପ୍ରାୟତଃ ଚର୍ଚ୍ଚା ହେଉଛି ହେଲେ ଗତ ୨ ବର୍ଷ ହେଲା ମଧ୍ୟପ୍ରାଚ୍ୟରେ ଯେପରି ପରିସ୍ଥିତି ବଦଳୁଛି ରିୟାଦକୁ ପରିବର୍ତ୍ତନ ଲାଗି ବାଧ୍ୟ କରିଛି। ଏଥିରେ କତାର ଉପରେ ଇସ୍ରାଏଲର ଆକ୍ରମଣ ଏହାକୁ ଅଧିକ ଜରୁରି କରିଛି। ଏବେ ସାଉଦୀ ଆରବ କେବଳ ଆମେରିକା ସୁରକ୍ଷାରେ ରହିବାକୁ ଆଉ ଚହୁଁନି। ସେ ଏବେ ଅସଲୀ ଅସ୍ତ୍ରଶସ୍ତ୍ର ସହିତ ନିଜର ବ୍ୟାକଅପ ଚାହୁଁଛି। ଏହା ଟ୍ରମ୍ପ ପ୍ରଶାସନର ସବୁଠୁ ବଡ଼ ବିଫଳତା ବୋଲି ଏବେ ବିଚାର କରାଯାଉଛି।

ସାଉଦୀ ସହିତ ପ୍ରତିରକ୍ଷା ବୁଝାମଣା ପାକିସ୍ତାନକୁ ଏକ ସୁରକ୍ଷା ଜାଲ ଦେଉଛି। ପାକିସ୍ତାନର ଶାହୀନ-୩ ମିଜାଇଲ ୨୭୫୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ ସନ୍ଧାନ କରିପାରିବ। ହେଲେ ଏହି ବୁଝାମଣାରୁ କେବଳ ସାଉଦୀ ଆରବକୁ ଲାଭ ମିଳିବ। ବଦଳରେ ପାକିସ୍ତାନକୁ ୧୦୦ ବିଲିୟନ ଡଲାର ଋଣରୁ ମୁକୁଳିବା ପାଇଁ ୫-୧୦ ବିଲିୟନ ଡଲାରର ସହାୟତା ମିଳିପାରେ ବୋଲି ଆଶା କରାଯାଉଛି। ତେବେ ଏହା କେବଳ ଏକ ସହାୟତା ନୁହେଁ ଏହା ସାଉଦୀ ନିମନ୍ତେ ଇସ୍ଲାମାବାଦ ଉପରେ ନିୟନ୍ତ୍ରଣ ରଖିବାର ଏକ ଉପାୟ ମଧ୍ୟ। ଏହି ଭଳି ସାଉଦୀ ଆରବ ବିନା ପରମାଣୁରେ ପରମାଣୁ ଛତା ହାସଲ କରିଛି।