LIVE TV

କେବେ ଆରମ୍ଭ ହେବ ମୁମ୍ବାଇ-ଅହମଦାବାଦ ବୁଲେଟ୍ ଟ୍ରେନର ପ୍ରଥମ ଫେଜ? ସୂଚନା ଦେଲେ ରେଳମନ୍ତ୍ରୀ

NEWS7
Bullet train

ମୁମ୍ବାଇ ୨୦।୯:  ମୁମ୍ବାଇ-ଅହମଦାବାଦ ବୁଲେଟ୍ ଟ୍ରେନ ପ୍ରୋଜେକ୍ଟ ଭାରତର ଅର୍ଥ ବ୍ୟବସ୍ଥା ଉପରେ ସେପରି ପ୍ରଭାବ ପକାଇବ ଯେ ପରି ୬୦ ବର୍ଷ ପୂର୍ବେ ଜାପାନରେ ବୁଲେଟ୍ ଟ୍ରେନ ଆରମ୍ଭ ଯୋଗୁ ହୋଇଥିଲା। ଶନିବାର ସିଲଫଟା ଓ ଘନସୋଲ ମଧ୍ୟରେ ୪.୮ କିଲୋମିଟର ଦୀର୍ଘ ଟନେଲର କାମ ପୂରା ହେବା ପରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା କହିଛନ୍ତି। ସେ କହିଛନ୍ତି ଯେ ବୁଲେଟ ଟ୍ରେନର ପ୍ରଥମ ଯାତ୍ରା ଡିସେମ୍ବର ୨୦୨୭ରେ ସୁରଟ-ବିଲମୋରା ଷ୍ଟେସନ ମଧ୍ୟରେ ଆରମ୍ଭ ହେବ।

ବୈଷ୍ଣବ କହିଛନ୍ତି ଯେ ଜାପାନର ପ୍ରଥମ ବୁଲେଟ୍ ଟ୍ରେନ ଟୋକିୟୋ-ନାଗୋୟା ମଧ୍ୟରେ ଚାଲିଥିଲା ଓ ପରେ ଓସାକାକୁ ଯୋଡି ଦେଶର ଅର୍ଥବ୍ୟବସ୍ଥାକୁ ଅଭିବୃଦ୍ଧି ଦେଇଥିଲା। ସେହିପରି ଭାରତର ଏହି ପ୍ରକଳ୍ପ ଆଣନ୍ଦ, ଅହମଦାବାଦ, ବଡୋଦରା,ସୁରଟ, ବାପି ଓ ମୁମ୍ବାଇକୁ ଯୋଡି ଏକ ନୂଆ ଆର୍ଥିକ କରିଡୋର ତିଆରି କରିବ। ଟ୍ରେନ ଯୋଗୁ ସମୟ ବଞ୍ଚିବ, ବାଣିଜ୍ୟ ବଢିବ ଓ ଜ୍ଞାନ ଓ ଟେକନିକର ଆଦାନପ୍ରଦାନ ହେବ। ଦେଶର ଅର୍ଥ ବ୍ୟବସ୍ଥାକୁ ପ୍ରାରମ୍ଭିକ ନିବେଶରୁ ଅନେକ ଗୁଣା ଅଧିକ ଲାଭ ମିଳିବ।

ମନ୍ତ୍ରୀଙ୍କ ସୂଚନା ଅନୁସାରେ ବୁଲେଟ୍ ଟ୍ରେନ ୨୦୨୮ରେ ଠାଣେକୁ ପହଞ୍ଚିବ ଓ ୨୦୨୯ ବେଳକୁ ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ ସହ ସଂଯୁକ୍ତ ହୋଇଯିବ। ମୁମ୍ବାଇରୁ ଅହମଦାବାଦର ଦୂରତା ଅତିକ୍ରମ କରିବାକୁ ଏବେ ୯ ଘଣ୍ଟା ସମୟ ଲାଗୁଛି। ତେବେ ବୁଲେଟ୍ ଟ୍ରେନରେ ଏହି ଯାତ୍ରା ମାତ୍ର ୨ଘଣ୍ଟା ୭ ମିନିଟ୍ ରେ ପୁରା ହେବ। ଏଥିପାଇଁ ନିର୍ମିତ ହୋଇଥିବା ଟନେଲ ନ୍ୟୁ ଅଷ୍ଟ୍ରିୟାନ ଟନେଲିଂ ମେଥଡ (ଏନଏଟିଏମ)ରେ କରାଯାଇଛି। ରେଳମନ୍ତ୍ରୀ କହିଛନ୍ତି  ଏହି ଟ୍ରେନ ମଧ୍ୟମବର୍ଗୀୟଙ୍କ ପରିବହନ ହେବ ଓ ଏହାର ଭଡ଼ା ସାଧାରଣ ରହିବ। ଯାତ୍ରୀଙ୍କୁ ଆଗୁଆ ଟିକେଟ୍ ରିଜର୍ଭ କରିବାର ଆବଶ୍ୟକତା ପଡିବନି।

ଭିଡଭାଡ ସମୟରେ ଟ୍ରେନ ପ୍ରତି ଅଧଘଣ୍ଟାରେ ଉପଲବ୍ଧ ହେବ ଓ ପରେ ପ୍ରତି ୧୦ ମିନିଟରେ ଲୋକେ ରେଳ ଯାତ୍ରା ସୁବିଧା ପାଇ ପାରିବେ। ରାଷ୍ଟ୍ରୀୟ ହାଇସ୍ପିଡ ରେଲ କର୍ପୋରେସନ (ଏନଏଚଏସଆରସିଏଲ) ଅନୁସାରେ ବୁଲେଟ୍ ଟ୍ରେନ ପାଇଁ ଏ ପର୍ଯ୍ୟନ୍ତ ୩୨୧ କିମି ଭାୟାଡକ୍ଟ, ୩୯୮ କିମି ପିୟର, ୧୭ ନଦୀପୋଲ ଓ ୯ ଷ୍ଟିଲ ତିଆରି ସରିଛି। ଏହା ସହିତ ୨ ହଜାରରୁ ଅଧିକ ଓଭର ହେଡ ଉପକରଣ ଲଗାଯାଇଥିବା ବେଳେ ୨୦୬ କିମି ଟ୍ରାକ୍ ବିଛାଇବା କାମ ମଧ୍ୟ ସରିଛି। ଏବେ ଟନେଲର ୱାଟରପ୍ରୁଫିଙ୍ଗ, ଫିନିସିଂ ଓ ଉପକରଣ ଲଗାଇବା କାମ କରାଯିବ।