ଆତଙ୍କୀଙ୍କ ଉପରେ ହେଲା ହମଲା, ଶୋକ ପାଳୁଛି ପାକିସ୍ତାନ ସେନା; ଶେଷ ଦର୍ଶନରେ ଏକାଠି ହେଲେ ସେନା, ISI

Published By : Prameya-News7 Bureau | May 07, 2025 IST

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଭାରତ ପାକିସ୍ତାନର ଆତଙ୍କବାଦୀ ଉପରେ ହମଲା କରି ପହଲଗାମ ଆତଙ୍କୀ ହମଲାର ବଦଲା ନେଇଛି। ଆକ୍ରମଣ ଆତଙ୍କବାଦୀଙ୍କ ଉପରେ ହମଲା ହେଲା, କିନ୍ତୁ ଦୁଃଖ ପାକିସ୍ତାନର ସେନା ମନାଉଛି। ଆଉ ମୃତ ଆତଙ୍କବାଦୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛି ପାକ୍ ସେନା। ଭାରତ ବିରୋଧରେ ଆତଙ୍କବାଦୀଙ୍କୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ପାକିସ୍ତାନ ମୁଖା ବୁଧବାର ପୁଣି ଥରେ ଖୋଲି ଯାଇଛି। ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀର(ପିଓକେ)ରେ ମୃତ ଆତଙ୍କବାଦୀଙ୍କ ଶେଷ ଦର୍ଶନରେ ପାକିସ୍ତାନୀ ସେନା, ପୋଲିସ ଓ ଆଇଏସଆଇର ଅଫିସର ଶୋକ ପାଳୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ଭାରତ ବିରୋଧରେ ନାରାବାଜି ବି କରାଯାଇଛି।

ଲସ୍କର ଏ ତୋଇବା(ଏଲଇଟି)ର ଆତଙ୍କବାଦୀ ହାଫିଜ ଅବଦୁଲ ରଉଫ ଲାହୋର ନିକଟ ମୁରିଦେକରେ ତିନି ମୃତ ଆତଙ୍କବାଦୀଙ୍କ ଶେଷ ଦର୍ଶନର ନେତୃତ୍ଵ ନେଇଥିବା ଦେଖିବାକୁ ମିଳିଛି। ପିଟିଆଇର ରିପୋର୍ଟ ଅନୁସାରେ, ଏହି ତିନି ମୃତ ଆତଙ୍କୀ ହେଉଛନ୍ତି, କାରି ଅବଦୁଲ ମଲ୍ଲିକ, ଖାଲିଦ ଓ ମୁଦସିର। ଆତଙ୍କବାଦୀଙ୍କ ଶେଷ ଦର୍ଶନରେ ପାକିସ୍ତାନୀ ସେନା, ପୋଲିସ ଓ ଆଇଏସଆଇର ଅଫିସର ସାମିଲ ହୋଇ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। 

ଭାରତ ‘ଅପରେସନ ସିନ୍ଦୂର’ ଜରିଆରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ପାକିସ୍ତାନ ଓ ପିଓକେରେ ୯ ଆତଙ୍କୀ ଶିବିର ଉପରେ ମିସାଇଲ ବର୍ଷା କରିଛି। ଏହି ହମଲାରେ ବହୁ ସଂଖ୍ୟାରେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଭାରତୀୟ ବାୟୁସେନାର ଲଢୁଆ  ବିମାନ ନିଜର ଏୟାରସ୍ପେସରେ ରହି ପାକିସ୍ତାନର ବହାବଲପୁର ଓ ମୁରିଦେକରେ ମଧ୍ୟ ମିସାଇଲ ମାଡ଼ କରିଛି। 

ଏହି ମିସାଇଲଗୁଡିଡ଼କୁ ବହାବଲପୁରରେ ଜୈଶ ଏ ମହମ୍ମଦ ଓ ମୁରିଦେକ ସ୍ଥିତ ଲସ୍କର ଏ ତୋଇବାର ଆତଙ୍କୀ ଭିତ୍ତିଭୂମି ଉପରେ ମିସାଇଲ ମାଡ଼ କରାଯାଇଛି। ଏଥିରେ ଲସ୍କର ଏ ତୋଇବାର ଅନେକ ଆତଙ୍କୀଙ୍କ ମୃତ୍ୟୁ ଘଟିଛି। ହମଲା ପରେ ଗୋଟିଏ ପଟେ ପାକିସ୍ତାନ ସରକାର ଭାରତକୁ ଫମ୍ପା ଧମକ ଦେଉଥିବା ବେଳେ ଅନ୍ୟପଟେ ଆତଙ୍କବାଦୀ ପରିବାରଙ୍କ କାନ୍ଦ ବୋବାଳିରେ ପରିବେଶ ଫାଟି ପଡ଼ୁଥିଲା। ସୋସିଆଲ ମିଡିଆରେ କିଛି ଏମିତି ଭିଡିଓ ଭାଇରାଲ୍ ହୋଇଛି ଯେଉଁଥିରେ ତାବୁତ ସାମ୍ନାରେ ପାକ୍ ସେନାର ଅଫିସର ମୁଣ୍ଡ ନୁଆଁଇ ଛିଡ଼ା ହୋଇ ରହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.