Live Live
LIVE

ବିଜେଡି ଛାଡ଼ିଲେ ରବୀନ୍ଦ୍ର ଜେନା, ରାଜ୍ୟସଭା ଗଣିତରେ ପଡ଼ିବ କି’ ପ୍ରଭାବ ?

NEWS7
tempreture-rise-in-be-next-two-days

ଭୁବନେଶ୍ବର: ବିଜୁ ଜନତା ଦଳ ଛାଡ଼ିଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା । ମଙ୍ଗଳବାର ଏକ ଆକସ୍ମିକ ଘଟଣା କ୍ରମରେ ରବୀନ୍ଦ୍ର ଜେନା ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପଠାଇଥିବା ଏବଂ ବ୍ୟକ୍ତିଗତ କାରଣରୁ ଏଭଳି ନିଷ୍ପତ୍ତି ନେଇଥିବା ଦର୍ଶାଇଛନ୍ତି । ତେବେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ରବୀନ୍ଦ୍ର ଜେନା ବିଜୁ ଜନତା ଦଳ ଛାଡ଼ିବା ରାଜନୈତିକ ଚର୍ଚ୍ଚାକୁ ଜୋରଦାର କରିଛି। କାରଣ ଶ୍ରୀ ଜେନାଙ୍କ ପତ୍ନୀ ସୁଭାଷିନୀ ଜେନା ବର୍ତ୍ତମାନ ବସ୍ତା ବିଧାନସଭା ଆସନରୁ ବିଜେଡିର ବିଧାୟିକା ଅଛନ୍ତି।

ରବୀନ୍ଦ୍ର ଜେନା ରାଜନୈତିକ ଇନିଂସ ?

ବ୍ୟବସାୟରୁ ରାଜନୀତିକୁ ଆସିଥିବା ରବୀନ୍ଦ୍ର ଜେନା ବାଲେଶ୍ବର ତଥା ଉତ୍ତର ଓଡ଼ିଶାର ଜଣେ ଟାଣୁଆ ନେତା ଭାବେ ପରିଚିତ। ୨୦୧୪ ନିର୍ବାଚନରେ ସେ ବାଲେଶ୍ବର ଆସନରୁ ଷୋଡ଼ଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ ଲୋକସଭା ନିର୍ବାଚନରେ ସେ ବିଜେପିର ପ୍ରତାପ ଷଡ଼ଙ୍ଗୀଙ୍କ ଠାରୁ ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ସେ ବାଲେଶ୍ବର ବିଜେଡିର ସଭାପତି ସହ ବିଭିନ୍ନ ସାଂଗଠନିକ ଦାୟିତ୍ବ ସମ୍ଭାଳିଥିଲେ। ତେବେ ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳ ତାଙ୍କୁ ଲୋକସଭା ଟିକେଟ ନଦେଇ ବିଜେପିରୁ ଆସିଥିବା ଲେଖାଶ୍ରୀ ସାମନ୍ତସିଂହାରୁଙ୍କ ପ୍ରାର୍ଥୀ କରିଥିଲା। ହେଲେ ବିଜେଡି ଏହି ଆସନରେ ପରାଜିତ ହୋଇଥିଲା। ଯଦିଓ ରବୀନ୍ଦ୍ର ଜେନାଙ୍କୁ ଦଳ ଲୋକସଭା ଟିକେଟ ଦେଇନଥିଲା କିନ୍ତୁ ତାଙ୍କ ପତ୍ନୀ ଶୁଭାଷିନୀଙ୍କୁ ବସ୍ତା ବିଧାନସଭା ଆସନରେ ପ୍ରାର୍ଥୀ କରିଥିଲା। ଶ୍ରୀମତି ଜେନା ବିଜେଡି ଟିକେଟରେ ବସ୍ତା ଆସନରେ ୮୩ ହଜାରରୁ ଅଧିକ ଭୋଟ ପାଇଁ ବିଜୟୀ ହୋଇଥିଲେ।

ରାଜନୈତିକ କମ୍ପନ

ରବୀନ୍ଦ୍ର ଜେନାଙ୍କ ଇସ୍ତଫାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ହଟଚମଟ। କ୍ରସ ଭୋଟିଂର ଚର୍ଚ୍ଚାବେଳେ ରବୀନ୍ଦ୍ରଙ୍କ ପତ୍ନୀ ସୁଭାଷିନୀଙ୍କ ଭୋଟ କୁଆଡ଼େ ଯିବ, ତାକୁ ନେଇ ଆରମ୍ଭ ହୋଇଗଲାଣି ଆଶଙ୍କା ଓ ଅନୁମାନ। ବ୍ୟକ୍ତିଗତ କାରଣ ଦର୍ଶାଇ ଦଳ ଛାଡ଼ିଥିବା ରବୀନ୍ଦ୍ର ଜେନାଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତାହା ସ୍ପଷ୍ଟ ହୋଇନାହିଁ। ଯଦିଓ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଏଣ୍ଟ୍ରି ପରେ ରବୀନ୍ଦ୍ର ଦଳରେ କୋଣଠେସା ହୋଇଥିବା ଚର୍ଚ୍ଚା ହୁଏ। କିନ୍ତୁ ବିଜେଡିର ପ୍ରଭାବୀ ନେତାଙ୍କ ସହ ରବୀନ୍ଦ୍ର ଜେନାଙ୍କ ସମ୍ପର୍କ ଭଲ ଥିଲା ଏବଂ ତାଙ୍କର ଏପରି ପଦକ୍ଷେପରେ ଅନେକ ଆଶ୍ଚର୍ଯ୍ୟ ହୋଇଥିବା ନାମ ପ୍ରକାଶ ନକରି ଜଣେ ବରିଷ୍ଠ ନେତା କହିଛନ୍ତି।