ରାଜନ୍ନା ସିରିସିଲ୍ଲା: ତେଲେଙ୍ଗାନା ରାଜନ୍ନା ସିରିସିଲ୍ଲା ଜିଲ୍ଲାର ଜନୈକ ଯୁବକଙ୍କୁ ଜୋର ଜବରଦସ୍ତ ଋଷିଆ ସେନାରେ ଭର୍ତ୍ତି କରାଯିବା ନେଇ ତାଙ୍କ ପତ୍ନୀ ଡୋମାପତି ରକ୍ଷିତା ୟଲାରେଡ୍ଡୀପେଟ୍ ଥାନାରେ ଏତଲା ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ କିସନ ଆଦିତ୍ୟ ଚାକିରି ପାଇଁ ମ୍ୟାନପାୱାର ଏଜେଣ୍ଟ ଧରନମ ଶ୍ରୀନିବାସଙ୍କ ସହ ସମ୍ପର୍କ କରିଥିଲେ। ଏଥି ଲାଗି ସେ ତାଙ୍କୁ ଅଢେଇ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ। ଏଜେଣ୍ଟ କିସନଙ୍କୁ ସେପ୍ଚେମ୍ବର ୫ ତାରିଖ ଦିନ ଋଷିଆ ପଠାଇ ଥିଲେ। ସେଠାରେ ପହଞ୍ଚିବା ପରେ ତାଙ୍କୁ ଜୋର ଜବରଦସ୍ତ ଋଷିଆ ସେନାରେ ନିଯୁକ୍ତି କରିଦିଆଯାଇଛି।

କିସନ ଆଦିତ୍ୟ ଋଷିଆ ସେନାରେ ଯୋଗ ଦେଇଥିବା ନେଇ ଟେଲିଫୋନରେ ପତ୍ନୀଙ୍କୁ ସୂଚିତ କରିବା ପରେ ସେ ଏ ନେଇ ୟେଲାରେଡ୍ଡୀପେଟ୍ ଥାନାରେ ଏତଲା ଦେଇଛନ୍ତି। ରକ୍ଷିତାଙ୍କ ଅନୁସାରେ କିସନ ଆଦିତ୍ୟଙ୍କୁ ୟୁକ୍ରେନ ସୀମା ଯୁଦ୍ଧକ୍ଷେତ୍ରରେ ମୁତୟନ କରାଯାଇଛି। ରକ୍ଷିତ ପୋଲିସ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ତାଙ୍କ ସ୍ୱାମୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଲାଗି ନିବେଦନ କରିବା ସହ ଅଭିଯୁକ୍ତ ଏଜେଣ୍ଟ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଥାନା ଉପ ନିରୀକ୍ଷକ ଏନ.ରମେଶ କହିଛନ୍ତି ଯେ ଏଜେଣ୍ଟ ବିରୋଧରେ ମୋକଦ୍ଦମା ରୁଜୁ କରାଯାଇ ମାମଲାର ତଦନ୍ତ ଆରମ୍ଭ ହୋଇଛି। ଅନେକ ଭାରତୀୟ ଏବେବି ଋଷୀୟ ସେନାରେ କାର୍ଯ୍ୟ କରୁଛନ୍ତି। ଏ ନେଇ ଭାରତ ସରକାରଙ୍କ ପକ୍ଷରୁ ଋଷିଆ ସରକାରଙ୍କୁ ସୂଚିତ କରାଯିବା ସହ ଯୁଦ୍ଧରେ ଭାରତୀୟଙ୍କୁ ନିୟୋଜିତ ନ କରିବା ପାଇଁ କୁହାଯାଇଛି। ଋଷିୟ ସେନାରେ ଭାରତୀୟଙ୍କ ଚିହ୍ନଟ କରାଯାଉଛି। ସେମାନଙ୍କୁ ଚିହ୍ନଟ କରାଯିବା ପରେ ସୁରକ୍ଷିତ ଭାରତ ପଠାଇ ଦିଆଯିବ ବୋଲି ଅଧିକାରୀମାନେ ଆଶ୍ୱସ୍ତ କରିଛନ୍ତି।