ନୂଆଦିଲ୍ଲୀ: ଏୟାର ଶୋ’ରେ କ୍ରାସ ହେଲା ତେଜସ୍ ବିମାନ । ଖବର ସରବରାହ ସଂସ୍ଥା ଏପିର ରିପୋର୍ଟ ଅନୁଯାୟୀ, ଦୁବାଇ ଏୟାର ଶୋ’ରେ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ଏକ ତେଜସ୍ ବିମାନ ଶୁକ୍ରବାର ଅପରାହ୍ନରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ସ୍ଥାନୀୟ ସମୟ ପ୍ରାୟ ଅପରାହ୍ନ ୨.୧୦ ସମୟରେ ଆକାଶ ମାର୍ଗରେ ପ୍ରଦର୍ଶନ କରୁଥିବା ସମୟରେ ଏଚଏଏଲ ନିର୍ମିତ ତେଜସ୍ ବିମାନଟି ଖସି ପଡ଼ିଛି। ଏହି ଏୟାର ଶୋ’ ଦେଖିବା ଲାଗି ପ୍ରବଳ ଜନସମାଗମ ହୋଇଥିଲା  ।

ଦୁର୍ଘଟଣାସ୍ଥଳରୁ ଘନ କଳା ଧୂଆଁ ଉଠିଥିଲା । ଏହି ଦୁର୍ଘଟଣା ପରେ ଦର୍ଶକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଏୟାର ଶୋ’ ଦେଖିବାକୁ ପରିବାର ସହ ପିଲାମାନେ ମଧ୍ୟ ଆସିଥିଲେ । ଦୁର୍ଘଟଣା ପୂର୍ବରୁ ପାଇଲଟ୍ ବିମାନରୁ ବାହାରକୁ ବାହାରି ପାରିଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଉଦ୍ଧାରକାରୀ ଦଳଗୁଡ଼ିକ ଘଟଣାସ୍ଥଳକୁ ପହଞ୍ଚିଛନ୍ତି । ସେପଟେ ଘଟଣା ସଂପର୍କରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅଧିକ ସୂଚନା ମିଳିପାରି ନାହିଁ।

ଦୁବାଇର ଅଲ ମକତୁମ ଏୟାରପୋର୍ଟ ନିକଟରେ ତେଜସ୍‌ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହା ତଳକୁ ଖସିପଡ଼ିବା ପରେ ଜଳି ଯାଇଥିବା ଦେଖିବାକୁ ମିଳିଛି । ଭୟଙ୍କର ବିସ୍ଫୋରଣ ପରେ କଳ ଧୂଆଁ ପ୍ରବଳ ଉଚ୍ଚକୁ ଉଠିଛି । ତେବେ ଏହି ଦୁର୍ଘଟଣାରେ କ୍ଷୟକ୍ଷତି ନେଇ ଅଧିକ ସୂଚନା ମିଳିନାହିଁ । ସୂଚନାଯୋଗ୍ୟ, ଏହା ପୂର୍ବରୁ ୨୦୨୪ରେ ଜୈସାଲମେରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଭାରତୀୟ ବାୟୁସେନାର ତେଜସ୍‌ ଲଢ଼ୁଆ ବିମାନ । 

ଏମିରେଟସ୍‌ର ୪୦ ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ଏୟାର ଶୋ’ ଆୟୋଜିତ ହୋଇଛି । ଏହି ଶୋ’ରେ ଅଂଶଗ୍ରହଣ କରିଥିବା ଦେଶଗୁଡ଼ିକ ପାଇଁ ଏହା ଗୁରୁତ୍ବପୂର୍ଣ୍ଣ । ଏଥିରେ ସାମିଲ ହୋଇଥିବା ଲଢ଼ୁଆ ବିମାନଗୁଡ଼ିକ ଉପରେ ସମଗ୍ର ବିଶ୍ବର ନଜର ରହିଛି । ଆଧୁନିକ ଏବଂ ଶକ୍ତିଶାଳୀ ଲଢ଼ୁଆ ବିମାନ କ୍ରୟ କରିବାକୁ ଚାହିଁବେ ଅନେକ ଦେଶ । କିନ୍ତୁ ଏଭଳି ସମୟରେ ଭାରତୀୟ ଜ୍ଞାନକୌଣଳରେ ନିର୍ମିତ ତେଜସ୍‌ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଭାରତ ପାଇଁ ଆଦୌ ଶୁଭ ଖବର ନୁହେଁ ।