ନୂଆଦିଲ୍ଲୀ, ୨୩|୧୧: ଦୁବାଇରେ ଆୟୋଜିତ ଏୟାର ଶୋରେ ବୀରଗତି ପ୍ରାପ୍ତ କରିଛନ୍ତି ଭାରତୀୟ ବାୟୁସେନାର ଓ୍ୱିଙ୍ଗ୍ କମାଣ୍ଡର ନମାଂଶ ସିୟାଲ । ଶୁକ୍ରବାର ସେ ତେଜସ ଏୟାରକ୍ରାଫ୍ଟକୁ ଉଡାଉଥିବା ବେଳେ ଏହା ଦୁର୍ଘଟଣାର ଶିକାର ହୋଇଥିଲେ । ତଳେ ମାଡ ହୋଇ ବିମାନ ନିଆଁ ପିଣ୍ଡୁଳା ପାଲଟିଯାଇଥିଲା । ଆଖିପିଛୁଳାକେ ବିମାନଟି ଖଣ୍ଡଖଣ୍ଡ ହୋଇଯାଇଥିଲା ।

ତେବେ ନମାଂଶ କୌଣସି ନୂଆ ପାଇଲଟ୍ ନଥିଲେ । ସେ ତାଙ୍କ ଜୀବନ ସାରା ଅନେକ କୌଶଳ ପ୍ରଦର୍ଶନ କରିଛନ୍ତି । ସୈନିକ ସ୍କୁଲର ହାଉସ କ୍ୟାପ୍ଟେନ, ଏନଡିଏ ଆକାଡେମୀ କ୍ୟାଡେଟ୍ ଆଡଜୁଟାଣ୍ଟ ଏବଂ ଭାରତୀୟ ବାୟୁ ସେନାର ଇନଷ୍ଟ୍ରକ୍ଟର ଭାବେ ସେ କାର୍ଯ୍ୟ କରିଥିଲେ । ଭବିଷ୍ୟତ ପାଇଁ ଯୁଦ୍ଧ ବିମାନର ପାଇଲଟଙ୍କୁ ସେ ଟ୍ରେନିଂ ମଧ୍ୟ ଦେଇଥିଲେ ।

ବୀରଗତି ପ୍ରାପ୍ତ ପରେ ତାଙ୍କ ମରଶରୀରକୁ ଭାରତ ଅଣାଯାଇଥିଲା । ହିମାଚଳ ପ୍ରଦେଶ କଙ୍ଗରାରେ ଥିବା ପୈତୃକ ଗ୍ରାମ ପଟିଆଲକରରେ ତାଙ୍କର ଶେଷକୃତ୍ୟ ସମାପ୍ତ ହୋଇଥିଲା । ହେଲେ ପୁଅର ଅକାଳ ବିୟୋଗରେ ଭାଙ୍ଗି ପଡିଛନ୍ତି ବାପା ଜଗନ ନାଥ । ସେ ମଧ୍ୟ ଭାରତୀୟ ସେନାରେ ନାଏବ ସୁବେଦାର ଭାବେ କାର୍ଯ୍ୟ କରିସାରିଛନ୍ତି । ୭୧ ବର୍ଷୀୟ ଜଗନ ପୁଅର ଭିଡିଓ ଦେଖି କାନ୍ଦି ପକାଇଥିବା ପ୍ରକାଶ କରିଛନ୍ତି ।

ଜଗନ କହିଛନ୍ତି ଯେ, ବିଭିନ୍ନ ଟିଭିରେ ତେଜସ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ଆସିଥିଲା । ଯାହାକୁ ତାଙ୍କ ପୁଅ ଚଲାଉଥିଲା । ଏତିକି ବେଳେ ସେ ନିଜେ ପୁଅର ଭିଡିଓ ଦେଖିବା ପାଇଁ ଖୋଜୁଥିଲେ । କିଛି ସମୟ ପରେ ବାୟୁସେନାର କିଛି ଅଧିକାରୀ ତାଙ୍କୁ ପୁଅର ଆକାଳ ବିୟୋଗ ବାବଦରେ ଖବର ଦେଇଥିଲେ ।

ଯେତେବେଳେ ପରିବାର ଲୋକେ ମୃତ୍ୟୁର ଖବର ପାଇଥିଲେ ସେତେବେଳେ ତାଙ୍କ ପତ୍ନୀ ଅଫସାନ କୋଲକାତାରେ ଥିଲେ । ସେ ମଧ୍ୟ ଜଣେ ଓ୍ୱିଙ୍ଗ୍ କମାଣ୍ଡର । ସେମାନଙ୍କର ୬ ବର୍ଷର ଝିଅ କୋଲକାତାର ସୁଲୁରରେ ଅଜା ଘରେ ରହୁଥିଲେ । ନମାଂଶ ମଧ୍ୟ ସ୍କ୍ୱାର୍ଡନ ନମ୍ବର ୩ର ସଦସ୍ୟ ରହିଥିଲେ । ୨୦୦୮ରେ ତାଙ୍କୁ ରାଷ୍ଟ୍ରପତିଙ୍କ ତରଫରୁ ରୌପ୍ୟ ପଦକ ମିଳିଥିଲା । ସେ ମିଗ-୨୧, ସୁଖୋଇ ଭଳି ଶକ୍ତିଶାଳୀ ଯୁଦ୍ଧ ବିମାନ ଉଡାଇଥିଲେ ।

ଯୁଦ୍ଧ ବିମାନ ଚଲାଇବାରେ ଖୁବ୍ ପାରଦର୍ଶିତା ହାସଲ କରିଥିଲେ ନମାଂଶ । ୨୦୦୫ରେ ଏନଡିଏରେ ସେ ଯୋଗ ଦେଇଥିଲେ । ପାଠରେ ମଧ୍ୟ ସେ ଅନ୍ୟମାନଙ୍କଠୁ ଢେର ଆଗରେ ଥିଲେ । ତାଙ୍କ ଦେହାନ୍ତ ସତ୍ତ୍ୱେ ସେ ସମସ୍ତଙ୍କ ହୃଦୟରେ ରହିବେ ବୋଲି ନମାଂଶଙ୍କ ଟ୍ରେନିଂ ସ୍କୁଲର ଅଧ୍ୟକ୍ଷା ଗ୍ରୁପ୍ କ୍ୟାପ୍ଟେନ୍ ରଚନା ଯୋଶୀ ପ୍ରକାଶ କରିଛନ୍ତି ।