ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଏକ ଐତିହାସିକ ମୋଡ଼ ଆସିଛି। ଥଲପତି ବିଜୟଙ୍କ ପାର୍ଟି ତମିଲଗା ୱେତ୍ରି କଝଖମ (ଟିଭିକେ) ମ୍ୟାଜିକ ନମ୍ବର ପାର ହୋଇଯାଇଛି। ନିର୍ବାଚନରେ ୧୦୮ ଆସନ ଜିତି ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଥିବା ଟିଭିକେ ମେଣ୍ଟ ମାଧ୍ୟମରେ ୧୨୧ସି ସିଟ୍ ହାସଲ କରିବାରେ ସମର୍ଥ ହୋଇଛି। ଦଳକୁ ମ୍ୟାଜିକ୍ ନମ୍ବର ମିଳିଯିବା ପରେ ତାମିଲନାଡୁ ରାଜ୍ୟପାଳ ବିଜୟଙ୍କୁ ସରକାର ଗଢିବା ଲାଗି ଔପଚାରିକ ଆମନ୍ତ୍ରଣ କରିଛନ୍ତି। ଏଣୁ ବିଜୟ ଏବେ ତାମିଲନାଡୁର ଆଗାମୀ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ହୋଇଯାଇଛି।

୯ ମନ୍ତ୍ରୀଙ୍କ ସହ ନେବେ ଶପଥ
ତାମିଲନାଡୁର ନିର୍ବାଚିତ ମୁଖ୍ୟମନ୍ତ୍ରୀ ସି.ଜୋସେଫ ବିଜୟ ୧୦ ମେ ରବିବାର ପଦ ଓ ଗୋପନୀୟତାର ଶପଥ ପାଠ କରିବେ। ଟିଭିକେ ପାର୍ଟିର ଅଧ୍ୟକ୍ଷ ବିଜୟ ଚେନ୍ନାଇର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏକ ଭବ୍ୟ ସମାରୋହରେ ୯ ଜଣ ମନ୍ତ୍ରୀଙ୍କ ସହିତ ପଦ ଓ ଗୋପନୀୟତାର ଶପଥ ପାଠ କରିବେ। ଏହା ପୂ୍ର୍ବରୁ ବିଜୟ ରାଜ୍ୟପାଳଙ୍କୁ ଭେଟି ସରକାର ଗଢିବା ପାଇଁ ତାଙ୍କର ଦାବି ଉପସ୍ଥାପନ କରିଥିଲେ। ରାଜ୍ୟପାଳ ବିଜୟଙ୍କୁ ସମ୍ବିଧାନର ଅନୁଚ୍ଛେଦ ୧୬୪ ଅନୁସାରେ ସିଏମ ଡେଜିଗ୍ନେଟ ନିଯୁକ୍ତ କରିଛନ୍ତି।

କସରତ ପରେ ହାସଲ ହେଲା ମ୍ୟାଜିକ୍ ନମ୍ବର
ତାମିଲନାଡୁରେ ସରକାର ଗଢିବା ବିଜୟଙ୍କ ପାଇଁ ଏତେ ସହଜ ନଥିଲା। ତେବେ ରଣନୈତିକ ମେଣ୍ଟ ତାଙ୍କୁ ମୁଖ୍ୟମନ୍ତ୍ରୀ ଚେୟାର ପର୍ଯ୍ୟନ୍ତ ପହଞ୍ଚାଇ ଦେଇଛି। ପ୍ରାଥମିକ ତାଲିକାରେ ଟିଭିକେକୁ ୧୦୮ଟି ଆସନ ମିଳିବା ପରେ ପ୍ରଥମେ ବାମପନ୍ଥୀ ପାର୍ଟି ସିପିଆଇ ଓ ସିପିଏମର ୪ ଜଣ ବିଧାୟକଙ୍କ ସମର୍ଥନ ପ୍ରାପ୍ତ ହୋଇଥିଲା। ଏହା ପରେ କଂଗ୍ରେସ ଡିଏମକେ ସହିତ ପୁରୁଣା ସମ୍ପର୍କକୁ ଭାଙ୍ଗି ଟିଭିକେର ହାତ ଧରିଥିଲା। ଫଳରେ ଟିଭିକେର ବିଧାୟକ ସଂଖ୍ୟା ୧୧୩କୁ ପହଞ୍ଚିଥିଲା। ଶେଷରେ ଆଇୟୁଏମଏଲ ଓ ଭିସିକେର ସମର୍ଥନ ବିଜୟଙ୍କ ଦଳକୁ ୧୨୧ ଆସନକୁ ପହଞ୍ଚାଇ ଦେଇଛି। ତାମିଲନାଡୁରେ ସଂଖ୍ୟାଗରିଷ୍ଠତା ସଂଖ୍ୟା ୧୧୮। ତେବେ ଟିଭିକେକୁ ୧୨୧ ବିଧାୟକଙ୍କ ସମର୍ଥନ ମିଳିଛି।

୩ ଥରରେ ମିଳିଲା ସରକାର ଗଢିବାକୁ ନିମନ୍ତ୍ରଣ
ଗତ ୪ ଦିନ ହେଲା ବିଜୟଙ୍କ ବାସଭବନ ଓ ରାଜଭବନ ମଧ୍ୟରେ ଭିଡାଓଟରା ଲାଗି ରହିଥିଲା। ରାଜ୍ୟପାଳନ ସାମ୍ବିଧାନିକ ମର୍ଯ୍ୟଦାକୁ ପାଳନ କରି ଦୁଇ ଥର ବିଜୟଙ୍କୁ ପୂର୍ଣ୍ଣ ବହୁମତ ଆଣିବାକୁ ଆଦେଶ ଦେଇଥିଲେ। ଶନିବାର ଅପରାହ୍ନରେ ଯେବେ ବିଜୟ ତାଙ୍କ ଘରୁ ଲୋକଭବନ ଅଭିମୁଖେ ବାହାରିଲେ ସାରା ରାଜ୍ୟର ନଜର ତାଙ୍କ ଉପରେ ଥିଲା। ପାର୍ଯ୍ୟାପ୍ତ ସମର୍ଥନ ହାସଲ ପରେ ରାଜ୍ୟପାଳ ବିଜୟଙ୍କୁ ସନ୍ଧ୍ୟା ସାଢେ ୬ଟା ବେଳେ ଭେଟିବାକୁ ସମୟ ଦେଇଥିଲେ।

ଅନ୍ତ ହେଲା ଡିଏମକେ ଓ ଏଆଇଏଡିଏମକେର ବର୍ଚ୍ଚସ୍ୱ
ଏହି ନିର୍ବାଚନ ଫଳାଫଳ ତାମିଲନାଡୁର ଦ୍ୱିଦଳୀୟ ରାଜନୀତିକୁ ସମ୍ପୂର୍ଣ୍ଣ ବଦଳେଇ ଦେଇଛି। ଶାସକ ଡିଏମକେ ନିର୍ବାଚନରେ ୬୯ଟି ସିଟ୍ ମଧ୍ୟରେ ସୀମିତ ହୋଇଯାଇଛି।ସେହିପରି ଏନଡିଏ ସହ ମେଣ୍ଟ କରି ଏଆଇଏଡିଏମକେ ୪୭ଟି ଆସନ ପାଇବାକୁ ସକ୍ଷମ ହୋଇଛି। ଟିଭିକେ ନା କେବଳ ରାଜ୍ୟର ଗ୍ରାମାଞ୍ଚଳରେ ପହଞ୍ଚିଛି ବରଂ ଯୁବବର୍ଗଙ୍କ ମଧ୍ୟରେ ନିଜର ଲୋକପ୍ରିୟତାକୁ ଭୋଟରେ ବଦଳାଇବାର ସଫଳତା ହାସଲ କରିଛି। ଦୀର୍ଘ ଦଶନ୍ଧୀରୁ ପାଳି କରି ଶାସନ କରିଆସୁଥିବା ଦ୍ରାବିଡ଼ ଦଳ ପାଇଁ ଏହା ବଡ଼ ଝଟକା ସାବ୍ୟସ୍ତ ହୋଇଛି। କାରଣ ଜନତା ଏକ ନୂଆ ବିକଳ୍ପରେ ମୋହର ଲଗାଇଛନ୍ତି।