ତିରୁଅନନ୍ତପୁରମ ୧୨।୪: ତାମିଲନାଡୁର ଡିଏମକେ ସରକାର ଏକ ଅଭୂତପୂର୍ବ ପଦକ୍ଷେପ ନେଇ ୧୦ ବିଧେୟକ (ବିଲ)କୁ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ଔପଚାରିକ ସହମତି ବିନା ଅଧିନିୟମ (ଆକ୍ଟ) ରୂପେ ଅଧିସୂଚିତ କରିଦେଇଛନ୍ତି। ସରକାର ଏହି ପଦକ୍ଷେପ ନିକଟରେ ସୁପ୍ରିମକୋର୍ଟ ଦେଇଥିବା ରାୟ ପରେ ଉଠାଇଛନ୍ତି, ଯେଉଁଥିରେ ଏହି ସବୁ ବିଧେୟକକୁ ସ୍ୱତଃ ସ୍ୱୀକୃତ ମାନି ନିଆଯାଇଛି। ଭାରତରେ ପ୍ରଥମ ଥର କୌଣସି ରାଜ୍ୟ ବିନା ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ସ୍ୱାକ୍ଷରରେ ବିଧେୟକକୁ ଲାଗୁ କରିଛି। ଯାହାକୁ ଏବେ ରାଜ୍ୟ ସରକାରଙ୍କ ସ୍ୱାୟତତା ଓ ସଂଘୀୟ ଢାଞ୍ଚାର ବିଜୟ ଭାବେ ଦେଖାଯାଉଛି।
ସୁପ୍ରିମକୋର୍ଟ ୮ ଏପ୍ରିଲ ୨୦୨୫ରେ ତାମିଲନାଡୁ ସରକାର ବନାମ ତାମିଲନାଡୁ ରାଜ୍ୟପାଳ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। କୋର୍ଟ ରାଜ୍ୟପାଳ ଆର.ଏନ.ରବିଙ୍କ ଦ୍ୱାରା ୧୦ ବିଧେୟକକୁ ରାଷ୍ଟ୍ରପତିଙ୍କ ବିଚାର ନିମନ୍ତେ ପଠାଯିବା ଘଟଣାକୁ ‘ଅସାମ୍ବିଧାନି’ ଓ ‘ବେଆଇନ’ ବୋଲି କହିଥିଲେ। ସୁପ୍ରିମକୋର୍ଟ କହିଥିଲେ ଯେ ରାଜ୍ୟପାଳଙ୍କ ଦ୍ୱାରା ଦ୍ୱିତୀୟବାର ଗୃହୀତ ବିଧେୟକଗୁଡିକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବା ସମ୍ବିଧାନର ଅନୁଚ୍ଛେଦ ୨୦୦ର ଉଲ୍ଲଂଘନ ଅଟେ। ଏଣୁ କୋର୍ଟ ସ୍ପଷ୍ଟ ରୂପେ କହିଥିଲେ ଯେ ରାଜ୍ୟ ବିଧାନସଭା ଦ୍ୱାରା ୧୮ ନଭେମ୍ବର ୨୦୨୩ରେ ପୁନଃ ଗୃହୀତ ବିଧେୟକଗୁଡିକୁ ସେହିଦିନ ଠାରୁ ରାଜ୍ୟପାଳଙ୍କ ସ୍ୱୀକୃତି ପ୍ରାପ୍ତ ବୋଲି ମନେ କରାଯିବ।
ଏହି ସବୁ ବିଧେୟକ ଜାନୁୟାରୀ ୨୦୨୦ରୁ ଅଗଷ୍ଟ ୨୦୨୩ ମଧ୍ୟରେ ରାଜ୍ୟ ବିଧାନସଭା ଦ୍ୱାରା ଗୃହୀତ କରାଯାଇଥିଲା। ଏହି ବିଧେୟକ ଗୁଡିକ ଦୀର୍ଘ ସମୟରୁ ଲମ୍ବିତ ଥିଲା। କୋର୍ଟ କହିଥିଲେ ଯେ ବିଧାନସଭା ଦ୍ୱାରା ଦ୍ୱିତୀୟବାର ଗୃହୀତ କରାଯାଇଥିବା ବିଧେୟକ ଉପରେ ରାଜ୍ୟପାଳ ତୁରନ୍ତ ସହମତି ଦେବାର ଥିଲା, ତେବେ ଏଗୁଡିକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବାର ପଦକ୍ଷେପ ତ୍ରୁଟିପୂର୍ଣ୍ଣ ଥିଲା। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଜେ.ବି.ପାରଦିୱାଲା ଓ ଜଷ୍ଟିସ୍ ଆର.ମହାଦେବନଙ୍କ ପୀଠ ସମ୍ବିଧାନର ଅନୁଚ୍ଛେଦ ୧୪୨ ଅନୁସାରେ ନିଜର ସ୍ୱତନ୍ତ୍ର ଶକ୍ତିର ପ୍ରୟୋଗ କରି ଏହି ୧୦ ବିଧେୟକଙ୍କୁ ୧୮ ନଭେମ୍ବର ୨୦୨୩ରେ ସ୍ୱୀକୃତ ମାନି ନେଇଥିଲେ।
କୋର୍ଟ ଏହା ବି ସ୍ପଷ୍ଟ କରିଥିଲେ ଯେ ରାଷ୍ଟ୍ରପତିଙ୍କ ଦ୍ୱାରା ଏହି ବିଧେୟକ ଉପରେ କରାଯାଇଥିବା ଯେ କୌଣସି କାର୍ଯ୍ୟାନୁଷ୍ଠାନ (୭ଟିକୁ ଅସ୍ୱୀକାର କରିବା ଓ ୨ଟି ଉପରେ ବିଚାର ନ କରିବା) ଆଇନତଃ ଅମାନ୍ୟ। ସମ୍ବିଧାନ ଅନୁସାରେ ରାଜ୍ୟ ବିଧାନସଭାରେ ଗୃହୀତ କୌଣସି ବିଧେୟକକୁ ରାଜ୍ୟପାଳଙ୍କ ନିକଟକୁ ମଞ୍ଜୁରୀ ନିମନ୍ତେ ପଠାଯାଏ। ରାଜ୍ୟପାଳ ଏହାକୁ ମଞ୍ଜୁରୀ ଦେଇ ପାରନ୍ତି, ଅସ୍ୱୀକାର କରିପାରନ୍ତି ଅଥବା ସଂଶୋଧନ ପାଇଁ ଫେରାଇ ଦେଇ ପାରନ୍ତି। ଏଥିରେ ଯଦି ବିଧାନସଭା ଏହାକୁ ଦ୍ୱିତୀୟବାର ଗୃହୀତ କରେ ତେବେ ଏହା ଉପରେ ପୁନଃ ବିଚାର କରିବା ଅଥବା ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବା ରାଜ୍ୟପାଳଙ୍କ ଅଧିକାର ବାହାରେ ଓ ଏହାକୁ ବାଧ୍ୟତାମୂଳକ ରୂପେ ମଞ୍ଜୁରୀ ଦେବାକୁ ପଡିଥାଏ।
ତେବେ ତାମିଲନାଡୁ ସରକାର ସୁପ୍ରିମକୋର୍ଟରେ ତର୍କ ରଖିଥିଲେ ଯେ ବିଧାନସଭାରେ ଦ୍ୱିତୀୟବାର ଗୃହୀତ ବିଧେୟକଙ୍କୁ ରାଜ୍ୟପାଳ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବା ନା କେବଳ ଅବୈଧ ବରଂ ରାଜ୍ୟ ସରକାରଙ୍କ ଅଧିକାରରେ ହସ୍ତକ୍ଷେପ ମଧ୍ୟ ଅଟେ। କୋର୍ଟ ଏହାକୁ ସ୍ୱୀକାର କରି କହିଛନ୍ତି ଯେ ପରେ ରାଷ୍ଟ୍ରପତିଙ୍କ ଦ୍ୱାରା କରାଯାଇଥିବା ସମସ୍ତ କାର୍ଯ୍ୟ ‘ନନ୍ ଇଷ୍ଟ ଇନ ଲ’ ଅର୍ଥାତ ଆଇନ ଦୃଷ୍ଟିରୁ ଅସ୍ତିତ୍ୱହୀନ ମନେକରାଯିବ।
ତେବେ କୋର୍ଟଙ୍କ ରାୟ ଅନୁସାରେ ରାଜ୍ୟ ସରକାର ଏହି ସବୁ ଆକ୍ଟ ରାଜ୍ୟରେ ଲାଗୁ କରିଦେଇଛନ୍ତି। ଏହି ସବୁ ଆଇନ ରାଜ୍ୟର ବିଶ୍ୱବିଦ୍ୟାଳୟ ମାନଙ୍କରେ କୂଳପତିଙ୍କ ନିଯୁକ୍ତି ଓ ପ୍ରଶାସନିକ ଶକ୍ତି ସମ୍ପର୍କିତ। ଏହା ଛଡା ଏଥିରେ କିଛି ଆଇନ ମଧ୍ୟ ରହିଛି। ରାଜ୍ୟ ସରକାର ବିଧେୟକଗୁଡିକୁ ଆଇନରେ ପରିଣତ କରିବା ପରେ ଏହାକୁ ନେଇ ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇଯାଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ ଏକ୍ସ ରେ ପୋଷ୍ଟ କରି ‘ଡିଏମକେର ଅର୍ଥ ଇତିହାସ ରଚିବା’ ବୋଲି ଉଲ୍ଲେଖ କରିଛନ୍ତି।
ସେହିପରି ଡିଏମକେ ସାଂସଦ ତଥା ବରିଷ୍ଠ ଓକିଲ ପି.ୱିଲସନ ଏହାକୁ ଏକ ଐତିହାସିକ କ୍ଷଣ ବୋଲି କହି ‘ଏବେ ବିଶ୍ୱବିଦ୍ୟାଳୟ ସରକାରଙ୍କ ଚାନ୍ସେଲରସିପରେ କାମ କରିବେ’ ବୋଲି ଉଲ୍ଲେଖ କରିଛନ୍ତି। ତେବେ ରାଜ୍ୟପାଳ ଓ ବିଧାନସଭା ବିବାଦ କେବଳ ତାମିଲନାଡୁ ପର୍ଯ୍ୟନ୍ତ ସୀମିତ ନାହିଁ। କେରଳ, ପଶ୍ଚିମବଙ୍ଗ ଓ ପଞ୍ଜାବ ଭଳି ବିରୋଧୀ ଦଳ ଶାସିତ ରାଜ୍ୟରେ ରାଜ୍ୟପାଳ ବିଧେୟକକୁ ଲମ୍ବିତ ରଖୁଥିବାର ଅଭିଯୋଗ ରହିଛି। ସୁପ୍ରିମକୋର୍ଟଙ୍କ ଏହି ରାୟ ସେହି ରାଜ୍ୟାମାନଙ୍କରେ ମଧ୍ୟ ଆଇନର ଉଦାହରଣ ହୋଇପାରେ।