ନୂଆଦିଲ୍ଲୀ: ସାଂଘାଇ ବିମାନବନ୍ଦର ଭାରତୀୟ ମହିଳାଙ୍କୁ ହଇରାଣ କରିବା ଅଭିଯୋଗରେ ଚୀନର ମନମୁଖୀ ମନ୍ତବ୍ୟକୁ ନେଇ ବୁଧବାର ଭାରତ ଡ୍ରାଗନକୁ କଡ଼ା ଚେତାବନୀ ଦେଇଛି। ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ୱାଭାବିକ କରିବା ପାଇଁ ଆବଶ୍ୟକ ପାରସ୍ପରିକ ବିଶ୍ୱାସ ଏବଂ ବୁଝାମଣା ଗଠନ କରିବାରେ ଏହା ସବୁଠାରୁ ବଡ଼ ବାଧକ ହେବ ବୋଲି ଭାରତ କହିଛି।

ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ଭାରତ ଏକ କଡ଼ା ଡିମାର୍ଚେ ଜାରି କରିଛି, ଏବଂ ଦିଲ୍ଲୀରେ ଥିବା ଚୀନ ଦୂତାବାସ ଓ ବେଜିଂରେ ଏହି ପ୍ରସଙ୍ଗ ଉଠାଇଛି। ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ସ୍ୱଭାବିକ ପାଇଁ ସୀମାରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ଏକ ଆବଶ୍ୟକତା ବୋଲି ଜୟସୱାଲ ଦୃଢ଼ତାର ସହିତ କହିଛନ୍ତି।

ସେ କହିଛନ୍ତି "ଆମ କହିବା କଥା ହେଲା ଅରୁଣାଚଳ ଭାରତର ଏକ ଅବିଚ୍ଛେଦ୍ୟ ଓ ଅତୁଟ ଅଂଶ ଏବଂ ଏହା ଏମିତି ଏକ ସତ୍ୟ ଯାହା ସ୍ୱୟଂ ହିଁ ସ୍ପଷ୍ଟ। ଚୀନ୍ ପକ୍ଷରୁ ଯେତେ ପ୍ରତ୍ୟାଖ୍ୟାନ କଲେ ମଧ୍ୟ ଏହି ନିର୍ବିବାଦୀୟ ବାସ୍ତବତାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ।"

ଜୟସୱାଲ ଆହୁରି ମଧ୍ୟ କହିଛନ୍ତି ଯେ ଉଭୟ ପକ୍ଷ ଅକ୍ଟୋବର ୨୦୨୪ ଠାରୁ ସୀମାନ୍ତ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ ଘନିଷ୍ଠ ଭାବରେ କାର୍ଯ୍ୟ କରିଛନ୍ତି। ଯାହା ଆଧାରରେ ଲୋକ-କୈନ୍ଦ୍ରିକ ସମ୍ପର୍କ ଉପରେ ଅଗ୍ରଗତି ହୋଇଛି। ହେଲେ ଏଭଳି କାର୍ଯ୍ୟ ହେଲେ ସମ୍ପର୍କ ସୁଧାରରେ ବାଧା ସୃଷ୍ଟି ହେବ ବୋଲି ଜୟସ୍ୱାଲ କହିଛନ୍ତି।

ସୂଚନା ଥାଉକି ଅରୁଣ ପ୍ରଦେଶରେ ଜନ୍ମିତ ୟୁକେରେ ରହୁଥିବା ପେମା ୱାଙ୍ଗଜୋମ ଥଙ୍ଗଡୋକ ନାମକ ଜଣେ ମହିଳା ନଭେମ୍ବର ୨୧ ତାରିଖେ ଜାପାନରୁ ଲଣ୍ଡନ ଯାଉଥିଲେ। ଯାତ୍ରା ସମୟର ରହଣୀରେ ତାଙ୍କୁ ସାଂଘାଇର ପୋଡଙ୍ଗ ବିମାନ ବନ୍ଦରରେ ରହିବାକୁ ପଡ଼ିଥିଲା। ସେଠାରେ ଚୀନ୍ ଇମିଗ୍ରେସନ ଅଧିକାରୀମାନେ ତାଙ୍କ ପାସପୋର୍ଟକୁ "ଅବୈଧ" ଘୋଷଣା କରିବା ପରେ ତାଙ୍କୁ ଦୀର୍ଘ ୧୮ ଘଣ୍ଟାର ନାନା ହଇରାଣ ହରକତ କରିଥିଲେ। ତାଙ୍କ ଜନ୍ମସ୍ଥାନ ଅରୁଣାଚଳ ପ୍ରଦେଶ ଲେଖାଥିବାରୁ ଏହା ଚୀନର ଏକ ଅବିଚ୍ଛେଦୀୟ ଅଙ୍ଗ ତୁମେ ଚୀନ ପାସ୍‌ପୋର୍ଟ ଆବେଦନ କର ବୋଲି ଚୀନ ଅଧିକାରୀମାନେ କହିଥିଲେ। ଚୀନରେ ଥିବା ଭାରତୀୟ ଦୂତାବାସ ହସ୍ତକ୍ଷେପ କରିବା ପରେ ହିଁ ପେମା ସେଠାରେ ସୁରକ୍ଷିତ ଫେରିଥିଲେ। ଏହାପରେ ପେମା ଅଭିଯୋଗ କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଭାରତ ଏନେଇ ବେଜିଂ ପାଖରେ ଫେରାଦ ହୋଇଥିଲା। ହେଲେ ଚୀନ ଏଥିରେ ପ୍ରତିକ୍ରିୟା ଦେଇ ଅଧିକାରୀମାନେ କୌଣସି ଭୁଲ୍ କରି ନାହାନ୍ତି ବୋଲି କହିଥିଲା। ଏବଂ ନିୟମ ଅନୁସାରେ ଅଧିକାରୀମାନେ କାର୍ଯ୍ୟ କରିଛନ୍ତି। ମହିଳାଙ୍କୁ ଖାଦ୍ୟ ଓ ବିଶ୍ରାମ ପାଇଁ ସ୍ଥାନ ଦିଆଯାଇଥିଲା। ତାଙ୍କୁ କୌଣସି ହଇରାଣ ହରକତ କରାଯାଇ ନଥିଲା ବୋଲି ଚୀନ କହିଥିଲା।

ଚୀନ ବୈଦେଶିକ ବ୍ୟାପାର ପ୍ରବକ୍ତା ମାଓ ନିଙ୍ଗ କହିଥିଲେ ଯେ ଜାଙ୍ଗନାନ୍ ହେଉଛି ଚୀନ୍‌ର ଅଞ୍ଚଳ। ଭାରତ ଦ୍ୱାରା ଅବୈଧ ଭାବରେ ପ୍ରତିଷ୍ଠିତ ତଥାକଥିତ ଅରୁଣାଚଳ ପ୍ରଦେଶକୁ ଚୀନ୍‌ କେବେବି ସ୍ୱୀକାର କରି ନାହିଁ। ଭାରତ ବୁଧବାର ଏହାର କଡ଼ା ଉତ୍ତର ରଖିଛି।