କରଞ୍ଜିଆ ୨୭।୩: ଶ୍ରମିକ ହୋଇ ଯାଇଥିଲେ, ଶବ ହୋଇ ଫେରିଲେ । ବାହାର ରାଜ୍ୟକୁ କାମ କରିବାକୁ ଯାଇ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଶ୍ରମିକଙ୍କୁ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଜାରି ରହିଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ତରାମରା ଗ୍ରାମ ପଞ୍ଚାୟତର ବରାବିନ୍ଧା ସାହିରେ ।

ବରାବିନ୍ଧା ସାହିର ଅମର ବେହେରାଙ୍କ ପୁଅ ରଞ୍ଜିତ ବେହେରା ଏବଂ ତାଙ୍କ ପତ୍ନୀ ୨୦୨୫ ମସିହା ଅଗଷ୍ଟ ମାସରେ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ କର୍ଣ୍ଣାଟକ ରାଜ୍ୟର କଲାର ଜିଲ୍ଲାକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ଗୋଟିଏ କୁକୁଡ଼ା ଫାର୍ମରେ ଉଭୟ ସ୍ବାମୀ-ସ୍ତ୍ରୀ କାମ କରୁଥିଲେ । କୌଣସି ଘଟଣାକୁ ନେଇ ସେମାନଙ୍କ ମଧ୍ୟରେ ଝଗଡା ହୋଇଥିବା ଜଣାପଡିଛି । ଫଳରେ ରଞ୍ଜିତ ଆତ୍ମହତ୍ୟା କରିଥିବା କୁହାଯାଉଛି । ଗତ ୨୩ ତାରିଖ ରାତି ୧୧ଟା ବେଳେ ରଞ୍ଜିତଙ୍କ ମୃତ୍ୟୁ ନେଇ ବୋହୂ ଏବଂ କୁକୁଡ଼ା ଫାର୍ମ ମାଲିକଙ୍କ ଠାରୁ ତାଙ୍କ ବାପା ଅମର ବେହେରା ଖବର ପାଇଥିଲେ । ସେଠାରେ ଶବ ବ୍ୟବଚ୍ଛେଦ ପରେ ଗୁରୁବାର ସନ୍ଧ୍ୟା ୮ଟା ସମୟରେ ଆମ୍ବୁଲାନ୍ସ ଯୋଗେ ରଞ୍ଜିତଙ୍କ ମରଶରୀର ତରାମରା ଗାଁରେ ପହଞ୍ଚିଥିଲା । ଫଳରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

​​​​​​​Also Read:- Odisha Census News: 'ଜନ ଗଣନାରୁ ଜନ କଲ୍ୟାଣ', ଲୋଗୋ ସହ ସଚେତନତା ବାର୍ତ୍ତା

ତେବେ ଅମରଙ୍କ ୩ ପୁଅଙ୍କ ମଧ୍ୟରୁ ରଞ୍ଜିତ ବଡ଼ ଏବଂ ରୋଜଗାରିଆ ପୁଅ ଥିବାରୁ ତାଙ୍କର ମୃତ୍ୟୁ ଆତ୍ମହତ୍ୟା ନୁହେଁ ଏକ ହତ୍ୟା ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ମୃତ ରଞ୍ଜିତଙ୍କ ପରିବାରକୁ ନ୍ୟାୟ ଦେବା ସହ ନିଜ ଅଞ୍ଚଳରେ ନିଯୁକ୍ତି ସୃଷ୍ଟି କରି ବେକାରୀ ଯୁବକଙ୍କୁ ରୋଜଗାରକ୍ଷମ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ତରାମରା ସରପଞ୍ଚ ଦାବି କରିଛନ୍ତି ।​​​​​​​