LIVE TV

ଦେଶର ନେତା ନିଜେ ଫ୍ରଣ୍ଟ ଫୁଟରେ ଖେଳୁଛନ୍ତି, ପିଏମ୍ ମୋଦୀଙ୍କୁ ପ୍ରଶଂସା କଲେ ସୂର୍ଯ୍ୟ କୁମାର ଯାଦବ

NEWS7
surya

ନୂଆଦିଲ୍ଲୀ: ଏସିଆ କପ୍ ବିଜେତା ଟିମର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଦେଶର ନେତା ଯେତେବେଳେ ନିଜେ ଫ୍ରଣ୍ଟ ଫୁଟ୍‌ରେ ଖେଳନ୍ତି, ସେତେବେଳେ ଭଲ ଲାଗେ । ପାକିସ୍ତାନ ବିପକ୍ଷ ବିଜୟ ପରେ ପିଏମ୍ ମୋଦୀ ଅପରେସନ ସିନ୍ଦୂର କଥା ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ସବୁ ମୈଦାନରେ ଭାରତର ହିଁ ବିଜୟ ହେବ ।

ସୂର୍ଯ୍ୟ କୁମାର କହିଛନ୍ତି, "ଭଲ ଲାଗେ, ଯେତେବେଳେ ଦେଶର ଲିଡର୍ ନିଜେ ଫ୍ରଣ୍ଟ ଫୁଟରେ ବ୍ୟାଟିଂ କରନ୍ତି । ଏପରି ଲାଗୁ ଥିଲା ଯେ ସେ ଷ୍ଟ୍ରାଇକ୍ ନେଇଛନ୍ତି ଓ ରନ୍ କରିଛନ୍ତି । ଏହା ଦେଖି ବହୁତ ଭଲ ଲାଗୁଛି । ଯେତେବେଳେ ସାର୍ ନିଜେ ସମସ୍ତଙ୍କ ଆଗରେ ଛିଡ଼ା ହୋଇଛନ୍ତି, ସେତେବେଳେ ଖେଳାଳି ଫ୍ରି ହ୍ୟାଣ୍ଡରେ ଖେଳିବେ ।" ସେ କହିଛନ୍ତି, ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସାରା ଦେଶରେ ଉତ୍ସାବ ପାଳନ କରାଯାଉଛି । ଆମେ ଯେତେବେଳେ ଭାରତ ଫେରିବୁ, ଭଲ ଲାଗିବ ଓ ଆଗକୁ ଭଲ ପ୍ରଦର୍ଶନ କରିବା ପାଇଁ ପ୍ରୋତ୍ସାହନ ମିଳିବ ।

​​​​​​​ଭାରତର ବିଜୟ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରି ଲେଖିଥିଲେ, "ଖେଳ ମୈଦାନରେ ବି ଅପରେସନ ସିନ୍ଦୂର । ପରିଣାମ ସମାନ...ଭାରତର ବିଜୟ । ଆମ କ୍ରିକେଟରଙ୍କୁ ଶୁଭେଚ୍ଛା ।" ଉଲ୍ଲେଖଯୋଗ୍ୟ ଯେ ରବିବାର ହୋଇଥିବା ଏସିଆ କପ୍ ଫାଇନାଲରେ ପାକିସ୍ତାନକୁ ୫ ୱିକେଟରେ ଭାରତ ପରାସ୍ତ କରିଥିଲା ।​​​​​​​

​​​​​​​ଉଲ୍ଲେଖଯୋଗ୍ୟ, ମ୍ୟାଚ୍ ପରେ ଅଧିନାୟକ ସୂର୍ଯ୍ୟ କୁମାର ଘୋଷଣା କରିଥିଲେ ଯେ ଏସିଆ କପ୍ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ଫି' ଭାରତୀୟ ସେନାକୁ ଦାନ କରିବେ । ଏହା ଉପରେ ସୂର୍ଯ୍ୟ କୁମାର କହିଛନ୍ତି, "ଯେତେବେଳେ ମୁଁ ସାମ୍ବାଦିକ ସମ୍ମିଳନୀକୁ ଯାଉଥିଲି, ମୁଁ ଭାବିଥିଲି ଯେ ସେଠାରେ ଏତେ ସଂଖ୍ୟକ ଭାରତୀୟ ଉପସ୍ଥିତ ଅଛନ୍ତି ଏବଂ ଆମେ ଅତି କମରେ କିଛି ଛୋଟ ସାହାଯ୍ୟ କରିପାରିବା । ଯଦି ସମସ୍ତେ ଅଳ୍ପ ଅଳ୍ପ ଯୋଗଦାନ ଦିଅନ୍ତି, ତେବେ ଭଲ ହେବ । ମୁଁ ସେତେବେଳେ ସମ୍ପୂର୍ଣ୍ଣ ଧାଡ଼ି ଲେଖିପାରି ନଥିଲି କାରଣ ଏହା ସେନା ଏବଂ ପହଲଗାମ୍ ଆକ୍ରମଣର ପୀଡିତଙ୍କ ପାଇଁ । ସବୁକିଛି ଏତେ ଶୀଘ୍ର ହେଉଥିଲା ଯେ ମୁଁ ଅଧିକ କିଛି କହିପାରିଲି ନାହିଁ । କିନ୍ତୁ ମୁଁ ଯାହା କରିପାରିବି ତାହା କରିବି।"