ହାଇଦ୍ରାବାଦ: ତେଲେଙ୍ଗାନା ସାମାଜିକ, ଆର୍ଥିକ, ଶୈକ୍ଷିକ, ରୋଜଗାର, ରାଜନୀତି ଓ ଜାତି (ଏସଇଇଇପିସି) ସର୍ଭେକ୍ଷଣରେ ପାଖାପାଖି ୧୨ ଲକ୍ଷ ଲୋକେ ସେମାନଙ୍କୁ ‘ଜାତି ନିରପେକ୍ଷ’ ଅର୍ଥାତ ସେମାନଙ୍କର କୌଣସି ଜାତି ନାହିଁ ବୋଲି ଘୋଷଣା କରିଛନ୍ତି। ସର୍ଭେକ୍ଷଣରେ ସାମ୍ନାକୁ ଆସିଥିବା ଏପରି ଲୋକେ ରାଜ୍ୟର ପ୍ରମୁଖ ୧୦ ବଡ଼ ସମୂଦାୟ ରୂପେ ସ୍ଥାନ ପାଇବାକୁ ପର୍ଯ୍ୟାପ୍ତ। ରାଜ୍ୟରେ ଏପରି ଲୋକଙ୍କ ସଂଖ୍ୟା ୧୧,୯୬,୪୮୨ ବୋଲି ଜଣାପଡିଛି, ଯାହା ମୋଟ ଜନସଂଖ୍ୟାର ପାଖାପାଖି ୩.୪%ରୁ ବି ଅଧିକ।

ତେବେ ନିଜକୁ ଜାତିବିହୀନ ଘୋଷଣା କରୁଥିବା ଏପରି ଲୋକଙ୍କ ସଂଖ୍ୟାର ଅଧାରୁ ଅଧିକ ସରକାରୀ ସୁବିଧା ସୁଯୋଗ ହାସଲ ନିମନ୍ତେ ଜାତି ସମ୍ପର୍କିତ କାଗଜପତ୍ର କିନ୍ତୁ ସାଙ୍ଗରେ ରଖିଛନ୍ତି। ଏପରି ଜନସଂଖ୍ୟା ମଧ୍ୟରୁ ଅଧିକାଂଶ ଗ୍ରେଟର ହାଇଦ୍ରାବାଦ ଓ ଆଖପାଖରେ ବସବାସ କରୁଛନ୍ତି ଓ କମ୍ପୋଜିଟ ବ୍ୟାକୱାରର୍ଡନେସ ସୂଚକାଙ୍କ (ସିବିଆଇ)ରେ ଏମାନେ ସବୁଠୁ କମ ପଛୁଆ ବର୍ଗରେ ଥିବାର ଜଣାପଡିଛନ୍ତି। ଏପରି ଲୋକେ ପୂର୍ବରୁ ଉଚ୍ଚଶିକ୍ଷା, ଉଚ୍ଚବେତନର ଚାକିରୀ ସାଙ୍ଗକୁ ସାମାଜିକ ଓ ଆର୍ଥିକ ସ୍ତରରେ ବେଶ୍ ସମ୍ପନ୍ନ ବୋଲି ଜଣାପଡିଛନ୍ତି।

ତେବେ ସର୍ଭେକ୍ଷଣରେ ଜାତିହୀନ ବିକଳ୍ପକୁ ଏକ ଖାଲି ଉତ୍ତର ରୂପେ ନୁହେଁ ବରଂ ଏବେ ଏକ ସ୍ୱତନ୍ତ୍ର ସାମାଜିକ ଘଟଣା ରୂପେ ଦେଖା ଯାଉଛି ଓ ପ୍ରଶାସନିକ ରୂପେ ଏପରି ଲୋକଙ୍କ ସମୂହକୁ ଅନ୍ୟ ଜାତି ବା ଅଦର କାଷ୍ଟ (ଓସି) ଶ୍ରେଣୀରେ ରଖା ଯାଇଛି। ତେବେ ଏପରି ପରିଚୟ ମୂଳରେ ମଧ୍ୟ ଏକ ବିରୋଧାଭାସ ରହିଛି। ନିଜକୁ ଜାତି ବିହୀନ ଦର୍ଶାଉଥିବା ୪୩.୩% ଲୋକଙ୍କ ପାଖରେ ଏବେବି ଜାତି ସମ୍ପର୍କିତ ପ୍ରମାଣପତ୍ର ରହିଛି।

ଏହି ସମୂହ ଶିକ୍ଷା ମାମଲାରେ ବେଶ୍ ଭଲ ସ୍ଥିତିରେ ଅଛନ୍ତି। ସର୍ଭେକ୍ଷଣ ଅନୁସାରେ ଜାତି ବିହୀନ ଜନସଂଖ୍ୟାରେ ୩୦.୨% ପ୍ରାଥମିକ ଶିକ୍ଷା ପ୍ରାପ୍ତ କରିଛନ୍ତି। ଏଥିରେ ଏହା ବି କୁହାଯାଇଛି ଯେ ୩୬.୮% ଲୋକଙ୍କ ପାଖରେ ଡିପ୍ଲୋମା ଅଥବା ଉଚ୍ଚଶିକ୍ଷା ସାର୍ଟିଫିକେଟ ଅଛି। ଏଣୁ ଏହି ସମୂହ ରାଜ୍ୟରେ ହାରାହାରି ଉନ୍ନତ ସ୍ଥିତିରେ ଅଛନ୍ତି। ସେହିପରି ରୋଜଗାର କ୍ଷେତ୍ରରେ ଦେଖିଲେ ଜାତିହୀନ ସମୂହର ୭.୭% ସରକାରୀ ଦପ୍ତରମାନଙ୍କରେ କାର୍ଯ୍ୟରତ।

ସାର୍ବଜନିକ କ୍ଷେତ୍ରର ଚାକିରୀ ସହିତ ଚିକିତ୍ସା ଓ ସଫ୍ଟୱେର କ୍ଷେତ୍ରରେ ଏହି ସମୂହର ବେଶ୍ ଭଲ ଉପସ୍ଥିତି ରହିଛି। ଏହି ସମୂହର ୨୨.୯% ଲୋକେ ଆଇଏଏସ ଓ ଆଇପିଏସ୍ ଭଳି ସିଭିଲ ସର୍ଭିସ କ୍ଷେତ୍ରରେ ଥିବା ବେଳେ ୧୩.୨% କେନ୍ଦ୍ର ସରକାରୀ ପଦପଦବୀରେ, ୯.୩% ବିଚାରବିଭାଗରେ, ୯.୯% ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ କାମ କରୁଥିବା ସର୍ଭେକ୍ଷଣରୁ ଜଣାପଡିଛି। ଜାତିହୀନ ସମୂଦାୟର ୨୯% ଆୟକରଦାତା ଅଟନ୍ତି। ଏହି ସବୁ ତଥ୍ୟକୁ ମିସାଇ ଦେଖିଲେ ଏହି ଜାତିହୀନ ସମୂହ କମ ପଛୁଆ ବର୍ଗର। ସର୍ଭେକ୍ଷଣ ଅନୁସାରେ ବିନା ଜାତିର ଲୋକଙ୍କ ପରିବାର ମଧ୍ୟରୁ ୪.୩%ଙ୍କ ନିଜସ୍ୱ କାର ଅଛି। ଏହି ସମୂହର ୪୭.୬% ଲୋକଙ୍କ ୨ ବା କମ କୋଠରୀର ଘର ରହୁଛନ୍ତି। ସେହିପରି ୨୩.୨% ଲୋକେ ୩ ବଖୁରିଆ ବା ତତୋଧିକ ଘରେ ବସବାସ କରୁଛନ୍ତି। ଏଥିରୁ ଜଣାପଡୁଛି ଯେ ଏପରି ପରିବାରଙ୍କ ମଧ୍ୟରେ ବାସହୀନଙ୍କ ସଂଖ୍ୟା ସବୁଠୁ କମ୍।

କାହିଁକି ଛାଡିଲେ ଜାତି?
ସର୍ଭେକ୍ଷଣର ବ୍ୟାପକ ତର୍କ ହେଉଛି ଲୋକେ ଏକ ନିର୍ଦ୍ଧିଷ୍ଟ ସ୍ତରକୁ ପହଞ୍ଚିବା ପରେ ନିଜକୁ ଜାତିଠୁ ପୃଥକ କରିଛନ୍ତି। ଏହା ସେମାନଙ୍କ ଋଣ ଓ ଭୂମି ସମ୍ପର୍କିତ ତଥ୍ୟରୁ ମଧ୍ୟ ସ୍ପଷ୍ଟ ଜଣାପଡୁଛି। ଜାତିହୀନ ପରିବାରର କେବଳ ୨.୨% ଫସଲ ଋଣ ସମ୍ପର୍କରେ ସୂଚନା ଦେଇଛନ୍ତି। ଯାହା କୃଷି ସମ୍ପର୍କିତ ଋଣ ଉପରେ କମ ନିର୍ଭରତାକୁ ଦର୍ଶାଉଛି। ସେହିପରି ୧.୪% ଲୋକେ ବିବାହ ଓ ଚିକିତ୍ସା ବାବଦ ଖର୍ଚ୍ଚ ନିମନ୍ତେ ଋଣ କରିଥିବାର ସୂଚନା ଦେଇଛନ୍ତି। ଏହି ଜାତି ବିହୀନ ପରିବାରଙ୍କ ମଧ୍ୟରୁ ୭୫.୨%ଙ୍କ ପାଖରେ ୫ ଏକରରୁ କମ୍ ଜମି ଅଛି। ତେବେ ୧୭.୭% ଲୋକଙ୍କ ପାଖରେ ୫-୨୦ ଏକର ଜମି ରହିଛି ଓ ୭.୩%ଙ୍କ ନିକଟରେ ୨୦ ଏକରରୁ ଅଧିକ ଜମି ଅଛି। ଏଥିରୁ ଏମାନଙ୍କ ମଧ୍ୟମ ଓ ବଡ଼ଭୂମି ମାଲିକାନା ପ୍ରତିନିଧିତ୍ୱକୁ ଦର୍ଶାଉଛି।