ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, କହିଲେ- ଡିଜିଟାଲ ଆକ୍ସେସ୍ ହେଉଛି ମୌଳିକ ଅଧିକାର

Published By : Prameya-News7 Bureau | April 30, 2025 IST

ନୂଆଦିଲ୍ଲୀ ୩୦।୪: ସୁପ୍ରିମକୋର୍ଟ ବୁଧବାର ଏକ ଐତିହାସିକ ରାୟରେ ଡିଜିଟାଲ ଆକ୍ସେସକୁ ମୌଳିକ ଅଧିକାର ଘୋଷଣା କରିଛନ୍ତି।  ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁସାରେ କୋର୍ଟ ଏହି ଘୋଷଣା କରିଥିବା ବେଳେ ଏସିଡ ଆକ୍ରମଣ ପୀଡ଼ିତ ଓ ନେତ୍ରହୀନ ଲୋକଙ୍କ ନିମନ୍ତେ କ୍ନୋ ୟୋର କଷ୍ଟମର (କେୱାଇସି) ପ୍ରକ୍ରିୟାକୁ ଶରଳ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଗାଇଡଲାଇନ ଜାରି କରିଛନ୍ତି। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଜେ.ବି.ପାରଦୀୱାଲା ଓ ଜଷ୍ଟିସ୍ ଆର.ମହାଦେବନଙ୍କ ଖଣ୍ଡପୀଠ ଏହି ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି। 

ଉପରୋକ୍ତ ପ୍ରସଙ୍ଗରେ ଆଗତ ଦୁଇଟି ଜନସ୍ୱାର୍ଥ ମାମଲାର ଶୁଣାଣିରେ ଦୁଇ ସଦସୀୟ ପୀଠ ଏହି ଯୁଗାନ୍ତକାରୀ ରାୟ ଦେଇଛନ୍ତି। ବାର ଆଣ୍ଡ ବେଞ୍ଚ ରିପୋର୍ଟ ଅନୁସାରେ କୋର୍ଟ କହିଛନ୍ତି ଯେ କେନ୍ଦ୍ର ସରକାର ଏହା ସୁନିଶ୍ଚିତ କରନ୍ତୁ ଡିଜିଟାଲ ପ୍ରକ୍ରିୟା ଖାସ କରି କେୱାଇସି ଭଳି ଅନିବାର୍ଯ୍ୟ ପ୍ରକ୍ରିୟା ସମସ୍ତଙ୍କ ଲାଗି ସୁଲଭ ହେଉ। ଏଥି ସହିତ ଏସିଡ ଆକ୍ରମଣ ପୀଡ଼ିତ ହୋଇଥାନ୍ତୁ କି କୌଣସି କାରଣରୁ ବିକୃତ ହୋଇଥିବା ଚେହେରା ଅଥବା ଦ୍ରୁଷ୍ଟିହୀନ ହୋଇଥାନ୍ତୁ। ଏହି ଅଧିକାର ସମ୍ବିଧାନର ଅନୁଚ୍ଛେଦ ୨୧(ଜୀବନ ଓ ବ୍ୟକ୍ତିଗତ ସ୍ୱତନ୍ତ୍ରତାର ଅଧିକାର), ଅନୁଚ୍ଛେଦ ୧୪ (ସମାନତାର ଅଧିକାର) ଓ ଅନୁଚ୍ଛେଦ ୧୫(ଭେଦଭାବରୁ ସୁରକ୍ଷା) ଅନୁସାରେ ସୁନିଶ୍ଚିତ କରାଯାଇଛି। 

କୋର୍ଟ ସ୍ୱତନ୍ତ୍ର ରୂପେ କହିଛନ୍ତି ଯେ ଡିଜିଟାଲ ଆକ୍ସେସ ଅଧିକାର ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁସାରେ ଜୀବନ ଅଧିକାରର ଅଭିନ୍ନ ଅଙ୍ଗ। ଜଷ୍ଟିସ ଜେ.ବି.ପାରଦିୱାଲା ଓ ଜଷ୍ଟିସ୍ ଆର.ମହାଦେବନଙ୍କ ପୀଠ କହିଛନ୍ତି ଯେ ଆମେ ଜାଣିବାକୁ ପାଇଛୁ କେୱାଇସି ପ୍ରକ୍ରିୟାରେ ପରିବର୍ତ୍ତନ ଆବଶ୍ୟକ। ଯାହା ଦ୍ୱାରା ଦିବ୍ୟାଙ୍ଗ ବିଶେଷ କରି ଏସିଡ ଆକ୍ରମଣ ପୀଡ଼ିତ ଓ ନେତ୍ରହୀନଙ୍କୁ ପ୍ରକ୍ରିୟା ପୂରା କରିବାରେ ଯେପରି ଅସୁବିଧା ନ ହୁଏ। କୋର୍ଟ ତାଙ୍କ ରାୟରେ ୨୦ଟି ନିର୍ଦ୍ଦେଶ ଜାରି କରିଛନ୍ତି, ଯେଉଁଥିରେ ଡିଜିଟାଲ କେୱାଇସି ଓ ଇ-କେୱାଇସି ପ୍ରକ୍ରିୟାଗୁଡିକୁ ଅଧିକ ସମାବେଶୀ କରିବା ସହିତ ବୈଷୟିକ ଓ ନୀତିଗତ ପରିବର୍ତ୍ତନର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି। 

କୋର୍ଟ କହିଛନ୍ତି ଯେ ଦୃଷ୍ଟିହୀନ ଓ ଅନ୍ୟ ଏପରି ନାଗରିକ ଯେଉଁମାନେ ସାଧାରଣ କେୱାଇସି ପ୍ରକ୍ରିୟା ପୂରଣ କରି ପାରୁ ନାହାନ୍ତି ସେମାନଙ୍କ ଲାଗି ବିଶେଷ ପରିବର୍ତ୍ତନର ଆବଶ୍ୟକତା ରହିଛି। ପୀଠ କହିଛନ୍ତି ଯେ ଆମେ ଦିବ୍ୟାଙ୍ଗଜନଙ୍କ ନିମନ୍ତେ ପରିବର୍ତ୍ତନ ଆବଶ୍ୟକତାକୁ ସ୍ୱୀକାର କରିଛୁ। ଏଥି ପାଇଁ ୨୦ଟି ଦିଶାନିର୍ଦ୍ଦେଶ ଜାରି କରିଛୁ। ଆବଦେନକାରୀଙ୍କ ମଧ୍ୟରେ ଏସିଡ ଆକ୍ରମଣ ପୀଡ଼ିତଙ୍କ ସମେତ ନେତ୍ରହୀନ ମଧ୍ୟ ସାମିଲ ଅଛନ୍ତି। ଏମାନେ ବିକୃତ ଚେହେରା ପାଇଁ ସେମାନଙ୍କ କେୱାଇସି ପ୍ରକ୍ରିୟା ପୂରଣ କରିପାରୁନଥିଲେ।  ଡିଜିଟାଲ ଆକ୍ସେସ ଓ ଆର୍ଥିକ ଅବସରର ଏହି ଯୁଗରେ ଅନୁଚ୍ଛେଦ ୨୧ର ବ୍ୟାଖ୍ୟା ବୈଷୟିକ ଯୁଗ ଅନୁସାରେ କରିବାକୁ ହେବ ବୋଲି ପୀଠ କହିଛନ୍ତି। 

ଏଥିରେ ପ୍ରଥମ ପିଟିସନଟି ଓକିଲ  ତଥା ଆକ୍ସେସେବିଲିଟି ପ୍ରଫେସନାଲ ଅମର ଜୈନ ଦାଖଲ କରିଥିଲେ, ଯିଏ ନିଜେ ୧୦୦% ଦୃଷ୍ଟିହୀନ। ସେ କହିଛନ୍ତି ଯେ ତାଙ୍କୁ ନିୟମିତ ରୂପେ କେୱାଇସି ପ୍ରକ୍ରିୟା ପୂରଣ କରିବାରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। କେବଳ ସେ ଏକାକୀ ନୁହନ୍ତି ତାଙ୍କଭଳି ଅନେକ ଦୃଷ୍ଟିବାଧିତ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତାଙ୍କର ତର୍କ ଏହା ଯେ ଏବେକା କେୱାଇସି ପ୍ରଣାଳୀ ଆକ୍ସେସେବିଲିଟିକୁ ଧ୍ୟାନରେ ରଖି କରାଯାଇ ନାହିଁ ଓ ଦୃଷ୍ଟିହୀନ ବ୍ୟକ୍ତି ଅନ୍ୟ କାହାର ସହାୟତା ବିନା ଏହା ପୂରଣ କରି ପାରୁ ନାହାନ୍ତି। ସେହିପରି ଦ୍ୱିତୀୟ ଆବେଦନଟି ଏସିଡ ଆକ୍ରମଣ ପୀଡ଼ିତ ପ୍ରଜ୍ଞା ପ୍ରସୁନ ଙ୍କ ଦ୍ୱାରା ରୁଜୁ ହୋଇଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.